ନୂଆପଡ଼ା: ବାଜା ସାଙ୍ଗକୁ ବୀରବାଦ୍ୟ ଆଉ ନାଚଗୀତରେ କମ୍ପୁଥିଲା ଗଗନପବନ । ହର୍ଷଉଲ୍ଲାସରେ ଉଛୁଳି ଉଠୁଥିଲା ସହରର ଗଳିକନ୍ଦି । ଶହଶହ ଭକ୍ତଙ୍କ ଗହଣରେ ଧୁମଧାମରେ ଶେଷ ହୋଇଛି ଖଡ଼ିଆଳ ଐତିହାସିକ ଯୋଡି ଛତର ଯାତ୍ରା । ଖଡ଼ିଆଳର ମା’ ସମଲେଶ୍ବରୀ ଓ ରକ୍ତାମ୍ବରୀଙ୍କ ଯୋଡି ଛତର ଯାତ୍ରା ଦର୍ଶନ ପାଇଁ ପଡୋଶୀ କଳାହାଣ୍ଡି ବଲାଙ୍ଗୀର ଓ ଛତିଶଗଡ଼ ର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ଖଡ଼ିଆଳରେ ହେଉଥିବା ଯୋଡି ଛତର ଯାତ୍ରାର ପରମ୍ପରା ସତରେ ଅନନ୍ୟ । ମାଁ ଗଡ଼ଦେବୀ ରକ୍ତାମ୍ବରୀ ଓ ଇଷ୍ଟ ଦେବୀ ସମଲେଶ୍ବରୀଙ୍କ ଛତର ନିଜ ନିଜ ମନ୍ଦିରରୁ ଏକା ସାଙ୍ଗରେ ବାହାରିଥିଲା । ହେଲେ କେବେ ଦୁହିଁଙ୍କ ଛତର ନିଜନିଜ ସାମ୍ନାକୁ ଆସିନଥିଲା । ଦୁଇ ଦେବୀ ମୁହାଁମୁହିଁ ହୋଇଗଲେ ଅଞ୍ଚଳରେ ବିପଦ ଆସିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି ।
ଚଳିତ ବର୍ଷ ମାଁଙ୍କ ଛତର ଯାତ୍ରାରେ ବଜାଗାଯା ,ବିରବାଦ୍ୟ , ନାଚଗୀତ ସହ ବାହାରି ନଗର ପରିକ୍ରମା କରିଥିଲେ । ମାନଙ୍କ ଆଶିଷ ପାଇବା ପାଇଁ ଧୂପଦୀପ ମନ୍ଦାର ମାଳ ଧରି ରାସ୍ତାର ଉଭୟ ପାର୍ଶ୍ଵରେ ଭକ୍ତମାନେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ମାଁ ନଗର ପରିକ୍ରମା କରି ନିଜ ପୀଠରେ ପହଞ୍ଚି ଖପର ଚୋପା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମାଟି ଖପର ଖଣ୍ଡିକ ପାଇଵା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଖଡ଼ିଆଳ ରାଜଦରବାର ପରିସର ଭକ୍ତିମୟ ପରିବେଶରେ ଉଛୁଳି ପଡୁଥିଲା । ମାଁ ଙ୍କ ଦର୍ଶନ ସହ ରାଜ ଦରବାର ଦେଖିବାର ମଜା ଖଡ଼ିଆଳରେ ଜନ ସମୁଦ୍ର ସୃଷ୍ଟି କରିଥିଲା ।
ଶାନ୍ତିଶୃଙ୍ଖଳା ପାଇଁ ପୋଲିସର ବ୍ୟାପକ ବ୍ୟବସ୍ଥା ହୋଇଥିଲା । ମା’ ଙ୍କ ଆଶୀର୍ବାଦରେ ଶାନ୍ତିଶୃଙ୍ଖଳାର ସହ ଯୋଡି ଛତର ଯାତ୍ରା ସମାପନ ହୋଇଥିଲା ।
Comments are closed.