Latest Odisha News

ଥାନା ଭିତରେ ଥାନା ଅଧିକାରଣୀଙ୍କୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ କୋର୍ଟ ଚାଲାଣ

ମୟୂରଭଞ୍ଜ: ମୟୂରଭଞ୍ଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ବିଶୋଇ ଥାନା ଭିତରେ ଥାନା ଅଧିକାରିଣୀଙ୍କୁ ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଅଭିଯୁକ୍ତ । ଏଥିରେ ଥାନା ଅଧିକାରିଣୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସେ ଲହୁଲୁହାଣ ହୋଇଛନ୍ତି । ତେବେ ଘଟଣା ଘଟାଇଥିବା ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ସୂଚନାଥାଉକି, ଗତ ୧୬ ତାରିଖ ରାତିରେ ବିଶୋଇ ଅଞ୍ଚଳର ସର୍ବପୁରାତନ ଶୈବ ପୀଠ ବାବା ଜଳେଶ୍ୱର ପୀଠର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହୋଇଥିଲା। ଏହି ଘଟଣାକୁ ନେଇ ଗତ ୧୭ ତାରିଖରେ ମନ୍ଦିର କମିଟି ପକ୍ଷରୁ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଏହାପରେ ଉକ୍ତ ଘଟଣାକୁ ନେଇ ବିଶୋଇ ଥାନାରେ କେସ ନଂ ୧୯୭/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଏନେଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା ବିଶୋଇ ପୋଲିସ । ମନ୍ଦିରରେ ଦୀର୍ଘବର୍ଷ ଧରି ସେବାୟତ ଭାବରେ କାର୍ଯ୍ୟରତ ମନ୍ଦିର ନିକଟସ୍ଥ ବିଶୋଇ ଗାଁର ସୁଶାନ୍ତ ଦେଓ(୫୨)ଙ୍କୁ ପଚରାଉଚରା ପାଇଁ ଡ଼କାଯାଇଥିଲା।

ତେବେ ଘଟଣାର ତଦନ୍ତ ପାଇଁ ଗତକାଲି (ଶୁକ୍ରବାର) ସନ୍ଧ୍ୟା ସମୟରେ ମଧ୍ୟ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ପୁଣି ଥରେ ସୁଶାନ୍ତଙ୍କୁ ଥାନାକୁ ଡାକିଥିଲେ। ପଚରାଉଚରା କରିବା ପରେ ସୁଶାନ୍ତ ହୁଣ୍ଡି ଟଙ୍କା ଚୋରି ଘଟଣାରେ ସମ୍ପୃକ୍ତ ଥିବା ନେଇ ସ୍ୱୀକାର କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କ ନାମ ମଧ୍ୟ କହିଥିଲେ । ତେଣୁ ଅଭିଯୁକ୍ତ ସୁଶାନ୍ତଙ୍କୁ ବିଶୋଇ ଥାନା ଗୃହରେ ଅଟକ ରଖାଯାଇଥିଲା । ରାତି ପ୍ରାୟ ୮ଟା ସମୟରେ ଥାନାରେ ଅନ୍ୟ କର୍ମଚାରୀମାନେ ଅନ୍ୟ ଏକ ଘଟଣାର ତଦନ୍ତ କରିବାକୁ ବାହାରକୁ ଯାଇଥିଲେ । ଏହାର ସୁଯୋଗ ନେଇ ଶ୍ରୀମତୀ ଭୋଇ ଥାନାରେ ଏକାକି ବସିଥିବାବେଳେ ଅଭିଯୁକ୍ତ ପୂର୍ବ ଯୋଜନା ମୁତାବକ ନିଜ ସହିତ ଆଣିଥିବା ଏକ ଧାରୁଆ ବ୍ଲେଡ଼ ସହାୟତାରେ ଶ୍ରୀମତୀ ଭୋଇଙ୍କ ଗଳା କାଟିବାକୁ ଉଦ୍ୟମ କରିଥିଲା ଯାହାର ଭିଡିଓ ସିସିଟିଭି ଫୁଟେଜରେ କଏଦ ହୋଇଛି ।

ତେବେ, ଶ୍ରୀମତୀ ଭୋଇ ଅଭିଯୁକ୍ତ କବଳରୁ ରକ୍ଷା ପାଇଁ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଥାନା ପରିସରରେ ଥିବା ଅନ୍ୟ କର୍ମଚାରୀ ମାନେ ଅଫିସ ଗୃହକୁ ଆସି ଅଭିଯୁକ୍ତକୁ କାବୁ କରିବା ସହିତ ଧାରୁଆ ବ୍ଲେଡ଼କୁ ଜବତ କରିଥିଲେ । ଥାନା ଅଧିକାରୀଣୀ ଭୋଇଙ୍କ ବେକ ଓ ହାତ ଆଙ୍ଗୁଳି ବ୍ଲେଡ଼ରେ କଟି ଯାଇଥିବା ହେତୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ବିଶୋଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ଏହି ଘଟଣାକୁ ନେଇ ଆଜି ବିଶୋଇ ଥାନାରେ କେସ ନଂ ୨୦୯/୨୩ରେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ଯାହାକୁ ନେଇ ପୋଲିସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ଜିଲ୍ଲା ପୋଲିସ ସୂଚନା ଅଧିକାରୀ ଡୋଳାମଣି ଭୋଇ ।

Comments are closed.