ନୃତ୍ୟ କାହାକୁ ବା ଭଲ ନ ଲାଗେ । ନୃତ୍ୟ କରିବା ହେଉ ବା ଦେଖିବା ସମସ୍ତେ କରନ୍ତି ପସନ୍ଦ । ସେଥିପାଇଁ ତ ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ନୃତ୍ୟ ରହିଛି । ଯାହାକି ସେହି ସ୍ଥାନର ସଂସ୍କୃତି ଓ ପରମ୍ପରାକୁ ବି ଦର୍ଶାଏ । ତେଣୁ କିଛି ଲୋକ ବିଭିନ୍ନ ପ୍ରକାରର ନୃତ୍ୟ ଶିଖିବାରେ ରୁଚି ରଖନ୍ତି । ହେଲେ ଏମିତି ଏକ ନୃତ୍ୟ ଅଛି, ଯାହା ପୃଥିବୀର ସବୁଠାରୁ କଷ୍ଟକର ନୃତ୍ୟ । ଯାହାକୁ ଚାହିଁଲେ ବି ଜଣେ ଶିଖିପାରିବେନି ।
ୟୁନେସ୍କୋ ଅନୁସାରେ ଜୌଲି ଏକ ଲୋକପ୍ରିୟ ନୃତ୍ୟ ଅଟେ । ଯାହା କୋଟେ ଡି ଆଇୱରର ବୋଆଫଲେ ଓ ଜ୍ୟୁଏନୋଲା ସହରର ଗୁରୋ ସମ୍ପ୍ରଦାୟର ସଂସ୍କୃତିର ଅଂଶ ଅଟେ । ଉକ୍ତ ନୃତ୍ୟ ନାରୀ ସୌନ୍ଦର୍ଯ୍ୟକୁ ସମର୍ପିତ । ଏଥିରେ ମାସ୍କ, ପୋଷାକ, ସଙ୍ଗୀତ ଓ ନୃତ୍ୟ ସବୁକିଛି ଥାଏ । ଏହି ନୃତ୍ୟ ‘ଡିଜେଲା ଲୋଉ ଜୌଲି’ ବା ‘ଡିଜେଲାଙ୍କ ଝିଅ ଜୌଲା’ନାମରେ ବି ପରିଚିତ । ଏଥିରେ ସଙ୍ଗୀତର ତାଳେ ତାଳେ ନୃତ୍ୟ କରୁଥିବା ବ୍ୟକ୍ତି କାଠର ସ୍ୱତନ୍ତ୍ର ମୁଖା ପିନ୍ଧି ଗୋଡକୁ ଏତେ କ୍ଷୀପ୍ର ଗତିରେ ଚାଳନା କରନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।
ଏଥିରେ ପାଦର ମୁଭମେଣ୍ଟ ଏକାପରି ଲାଗୁଥିଲେ ହେଁ, ପ୍ରତି ପାଦର ମୁଭମେଣ୍ଟ ଭିନ୍ନ ଭିନ୍ନ ହୋଇଥାଏ । କୁହାଯାଏ ମାଇକେଲ୍ ଜ୍ୟାକ୍ସନ ବି ଏହି ନୃତ୍ୟରୁ ଦିନେ ପ୍ରଭାବିତ ହୋଇ କିଛି ଡ୍ୟାନ୍ସ ଷ୍ଟେପ୍କୁ ଆପଣେଇଥିଲେ । ଏଥିରେ ସାତ ପ୍ରକାରର ମାସ୍କ ପିନ୍ଧି ନୃତ୍ୟ କରାଯାଏ । ଏହି ନୃତ୍ୟ ପରିବେଶ ସୁରକ୍ଷାର ବାର୍ତ୍ତା ବି ଦେଇଥାଏ । ଉକ୍ତ ନୃତ୍ୟକୁ ଶିଖିବା ଲାଗି ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଲାଗେ ।
Comments are closed.