ଭୁବନେଶ୍ୱର: ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଆୟୋଜିତ୧୭ତମ ଗୁରଦେବ ପ୍ରସାଦ ପୁରସ୍କାର ଉତ୍ସବର ଆଜି ଥିଲା ଚତୁର୍ଥ ସନ୍ଧ୍ୟା । ଆଜିର ସନ୍ଧ୍ୟାରେ ଓଡ଼ିଶୀ ଏବଂ ସତ୍ରୀୟା ନୃତ୍ୟରେ କମ୍ପିଥିଲା ମଞ୍ଚ । ଏଥିସହିତ ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତଜ୍ଞଙ୍କ ଦ୍ୱାରା ପାରମ୍ପାରିକ କଣ୍ଠସଙ୍ଗୀତ ପରିବେଷିତ ହୋଇଥିଲା, ଯାହା ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
ଚତୁର୍ଥ ସନ୍ଧ୍ୟାର ପ୍ରଥମ ଉପସ୍ଥାପନା ଥିଲା ଏକକ ଓଡ଼ିଶୀ ନୃତ୍ୟ । ଯାହାକୁ ପରିିବଷଣ କରିଥିଲେ ଡଃ. ଇଲିୟାନା ସିତାରିଷ୍ଟ । ତାଙ୍କ ପ୍ରସ୍ତୁତିରେ ଥିଲା ଅନ୍ୟାୟ ଯାହା ମହାଭାରତର ତିନିଜଣ ନାରୀଙ୍କ ବିଷୟରେ ଉଲ୍ଲେଖ କରାଯାଇଥିଲା । ନୃତ୍ୟଟିର ସଂଳାପ ରଚନା କରିଛନ୍ତି ପଣ୍ଡିତ ପ୍ରଫୁଲ୍ଲ କୁମାର ମିଶ୍ର, ସଙ୍ଗୀତ ସଂଯୋଜନା କରିଛନ୍ତି ଗୁରୁଗୋପାଳଚନ୍ଦ୍ର ପଣ୍ଡା ଏବଂ ନୃତ୍ୟ ସଂରଚନା କରିଛନ୍ତି ନିଜେ ଡଃ. ଇଲିୟାନା ସିତାରିଷ୍ଟ । ତାଙ୍କୁ ମର୍ଦ୍ଦଳରେ ସଚ୍ଚିଦାନନ୍ଦ ଦାସ, କଣ୍ଠରେ ସଙ୍ଗୀତା ପଣ୍ଡା, ବେହେଲାରେ ରମେଶଚନ୍ଦ୍ର ଦାସ ଏବଂ ବଂଶୀରେ ପର୍ଶୁରାମ ଦାସ ସହେଯାଗ କରିଥିଲେ । ପରେ ପରେ ଓଡ଼ିଶୀ ଦଳଗତ ନୃତ୍ୟ ପରିବେଷଣ କରିଥିଲେ କଟକ କଳା ବିକାଶ କେନ୍ଦ୍ରର ଶିଳ୍ପୀମାନେ । ସେମାନଙ୍କ ପ୍ରସ୍ତୁତିରେ ଥିଲା ଅଭିନୟ ଗଣନାୟକ ପଞ୍ଚକ ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଡ଼ଃ. ପ୍ରଫୁଲ୍ଲକର, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା ।
ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଦୈତ୍ୟ ସତ୍ରୀୟା ନୃତ୍ୟ । ଯାହାକୁ ପରିବେଷଣ କରିଥିଲେ ଗୁରୁ ରାମକୃଷ୍ଣ ତାଲୁକଦାର ଓ ରୂମୀ ତାଲୁକଦାର । ମଞ୍ଚରେ ଦୁଇଜଣଙ୍କର ନୃତ୍ୟ ବେଶ୍ ଉଚ୍ଚକୋଟିର ଥିଲା ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ସନ୍ଧ୍ୟାରେ ଶେଷ ପ୍ରସ୍ତୁତିଟି ଥିଲା ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପାରମ୍ପାରିକ କଣ୍ଠସଙ୍ଗୀତ ପରିବେଷଣ । ସେହି ସୁନାମ ଧନ୍ୟ କଣ୍ଠଶିଳ୍ପୀମାନେ ହେଲେ ପଣ୍ଡିତ ଲକ୍ଷ୍ମୀକାନ୍ତ ପାଲିତ , ଗୁରୁ କେଶବଚନ୍ଦ୍ର ରାଉତ, ଡ଼ଃ. ସଙ୍ଗୀତା ଗୋସାଇଁ, ଗୁରୁ ସୁକାନ୍ତ କୁଣ୍ଡୁ, ଗୁରୁ ପ୍ରଭାକର ଶ୍ରୀଚନ୍ଦନ, ସଙ୍ଗୀତା ପଣ୍ଡା, ଅନୁଜା ତାରିଣୀ ମିଶ୍ରଏବଂ ସତ୍ୟ ସିଦ୍ଧାନ୍ତ । ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶାର ପାରମ୍ପାରିକ ତଥା ଭକ୍ତିମୂଳକ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ । ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଉପଭୋଗ କରିଥିଲେ । ଏହି ସନ୍ଧ୍ୟାରେ ଅତିଥିମାନେ ଥିଲେ ରାଜ୍ୟସଭା ସାଂସଦ ସୁଲତା ଦେଓ, ବିଶିଷ୍ଟ ଭାରତନାଟ୍ୟମ ନୃତ୍ୟାଙ୍ଗନା ପ୍ରତିଭା ପ୍ରହଲ୍ଲାଦ, ହିନ୍ଦୁସ୍ଥାନ ଆର୍ଟ ଆଣ୍ଡ ମ୍ୟୁଜିକ ସୋସାଇଟିର ସଚିବ ତଥା ବିଶିଷ୍ଟ ତବଲାବାଦନ ପ୍ରଶ୍ନଜିତ ପୋଦ୍ଦାର ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ରକୁମାର ପଣ୍ଡା । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ।
Comments are closed.