ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଆଫଗାନିସ୍ତାନ ୭ ୱିକେଟରେ ନେଦରଲାଣ୍ଡକୁ ପରାସ୍ତ କରିଛି । ଏଥିସହ ଆଫଗାନିସ୍ତାନ ୭ ମ୍ୟାଚରୁ ୮ ପଂଏଟ ହାସଲ କରି ୫ମ ସ୍ଥାନକୁ ଉନ୍ନୀତ ହୋଇ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ୧୮୦ ରନର ବିଜୟ ଲକ୍ଷ୍ୟକୁ ୩୧.୩ ଓଭରରେ ୩ ୱିକେଟ ହରାଇ ଆଫଗାନିସ୍ତାନ ହାସଲ କରି ନେଇଥିଲା । ରହମତ ଶାହ ୫୨ ରନ କରି ଆଉଟ ହୋଇଥିବା ବେଳେ ହସମୁତାଲ୍ଲାହ ଶାହୀଦ ୫୬ ଓ ଅଜମୁଲ୍ଲାହ ଓମରାଜାଇ ୩୧ ରନ କରି ନଟଆଉଟ ରହିଥିଲେ । ନେଦରଲାଣ୍ଡ ପକ୍ଷରୁ ଲୋଗାନ ଭାନ ୱିକ, ରୋଏଲେଫ ଭେନଡେର ମେରୱେ ଗୋଟିଏ ଲେଖାଁଏ ୱିକଟ ନେଇଥିଲେ ।
ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ଟିମ ୪୬.୩ ଓଭରରେ ୧୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ମାକ୍ସ ଓ ଡାଉଦ ୪୨, ସାଇବ୍ରାଣ୍ଡ ଇନଗେଲବ୍ରେଚେଟ ୫୮ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଫଗାନିସ୍ତାନ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ୬ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ । ମହମ୍ମଦ ନବି ଆଫଗାନିସ୍ତାନ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ନୂର ଅହମ୍ମଦ ୨ଟି ଓ ମୁଜୀବ ଉର ରହେମାନ ଗୋଟିଏ ୱିକେଟ ନେଇଥିଲେ । ଟସ ଜିତି ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ସୂଚନାଯୋଗ୍ୟ, ଭାରତ ପ୍ରଥମ ଟିମ ଭାବେ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି ।
Comments are closed.