Latest Odisha News

ସୋଲାର ବିଶ୍ୱ କଂଗ୍ରେସରେ ଅଚ୍ୟୁତ ସାମନ୍ତ ସମ୍ମାନୀତ

ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ଚାଲିଥିବା ସୋଲାର ବିଶ୍ୱ କଂଗ୍ରେସ ୨୦୨୩ରେ ଶୁକ୍ରବାର କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନିତ କରାଯାଇଛି । କିଟ୍ ଓ କିସ୍ ମାଧ୍ୟମରେ ସବୁଜ ଶକ୍ତିକୁ ବ୍ୟାପକ ପ୍ରୋତ୍ସାହନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ସୋଲାର ଏନର୍ଜୀ ସୋସାଇଟି ଅଫ୍ ଇଣ୍ଡିଆ (ଏସ୍‌ଇଏସ୍‌ଆଇ) ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କିଟ୍ ଓ କିସ୍‌କୁ ସମ୍ପୂର୍ଣ୍ଣ ସବୁଜ କ୍ୟାମ୍ପସରେ ପରିଣତ କରିବା ସହ ସୌରଶକ୍ତିକୁ ପ୍ରୋତ୍ସାହନ ଦେଇ ଆସୁଛି ।

ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତଙ୍କୁ ସୋଲାର ଏନର୍ଜୀ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ପ୍ରଫୁଲ୍ଲ ପାଠକ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷା ଓ ସମାଜସେବା ସହ ପରିବେଶ ସୁରକ୍ଷା ଦିଗରେ ସୌର ଶକ୍ତି ଓ ସବୁଜ ଶକ୍ତିକୁ ବ୍ୟାପକ ପ୍ରୋତ୍ସାହନ ନିମନ୍ତେ ସେମାନେ ଶ୍ରୀ ସାମନ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ପାଇଁ ଶ୍ରୀ ସାମନ୍ତଙ୍କ ଅନବଦ୍ୟ ପ୍ରୟାସ ପ୍ରେରଣାଦାୟୀ ବୋଲି ସୋଲାର ବିଶ୍ୱ କଂଗ୍ରେସରେ ଏସ୍‌ଇଏସ୍‌ଆଇ ପକ୍ଷରୁ କୁହାଯାଇଛି ।

ସବୁଜ ପ୍ରୟାସ ସକାଶେ ଏହା ପୂର୍ବରୁ ୨୦୧୮ରେ ତେହେରାନ୍‌ଠାରେ ଏନର୍ଜୀ ଗ୍ଲୋବ୍ ଫାଉଣ୍ଡେସନ ପକ୍ଷରୁ କିସ୍‌କୁ ସମ୍ମାନଜନକ ଏନର୍ଜୀ ଗ୍ଲୋବ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଅର୍ନ୍ତଜାତୀୟ ସୋଲାର ଏନର୍ଜୀ ସୋସାଇଟି (ଆଇଏସ୍‌ଇଏସ୍‌) ପକ୍ଷରୁ ଅକ୍ଟୋବର ୩୦ରୁ ୬ ଦିନିଆ ଆଇଏସ୍‌ଇଏସ୍ ସୋଲାର ବିଶ୍ୱ କଂଗ୍ରେସ ଚାଲିଛି । ଏହି କଂଗ୍ରେସରେ ୫୦ରୁ ଊର୍ଦ୍ଧ୍ୱ ଦେଶରୁ ବହୁ ବୈଜ୍ଞାନିକ, ଗବେଷକ, ଇଂଜିନିୟର, ଆର୍କିଟେକ୍‌ଟ, ଶିଳ୍ପ ସଂସ୍ଥା ପ୍ରତିନିଧି ପ୍ରମୁଖ ଯୋଗ ଦେଇଛନ୍ତି ।

Comments are closed.