ହାଇଦ୍ରାବାଦ: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପ୍ରଚାର ନେଇ ଆଜି (ମଙ୍ଗଳବାର) ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ ମୋଦୀ ମୁଖ୍ୟମନ୍ତ୍ରୀ କେସିଆର ଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ ତେଲେଙ୍ଗାନାରେ ବିଜେପିର ବିଜୟ ଦାବି କରିଛନ୍ତି । ଏହାସହ ତେଲେଙ୍ଗାନାରେ ପ୍ରଥମ ଥର ପାଇଁ ବିଜେପିରେ ଅନ୍ୟ ପଛୁଆ ବର୍ଗ (ଓବିସି) ର ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ହାଇଦ୍ରାବାଦରେ କହିଛନ୍ତି ଯେ, କଂଗ୍ରେସ ଏବଂ ବିଆରଏସ କୌଣସି ପଛୁଆ ବର୍ଗର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବ ନାହିଁ । ଏହି ସମୟରେ ସେ ଦାବି କରିଛନ୍ତି ଯେ କଂଗ୍ରେସ ଏବଂ ବିଆରଏସ ମିଳିତ ମଞ୍ଚରେ ଅଛନ୍ତି । ଉଭୟଙ୍କ ର ଡିଏନଏ (DNA)ରେ ତିନୋଟି ଜିନିଷ ସମାନ ରହିଛି । ତାହା ହେଉଛି ଦୁର୍ନୀତି, ତୃଷ୍ଟିକରଣ ଏବଂ ପରିବାରବାଦ ।
ମୋଦୀ ଆହୁରି କହିଛନ୍ତି ଯେ, ଏନଡିଏ ଏବଂ ବିଜେପି ହିଁ ଓବିସିର ହିତ ପାଇଁ ବେଶି ଧ୍ୟାନ ଦେଉଛି । ସର୍ବଦା ସେମାନଙ୍କୁ ସର୍ବାଧିକ ପ୍ରତିନିଧିତ୍ୱ ପ୍ରଦାନ କରିଆସିଛି । କେନ୍ଦ୍ରରେ ଏନଡିଏ ସରକାରରେ ୨୭ ଓବିସି ମନ୍ତ୍ରୀ ଅଛନ୍ତି, ଯାହା ସ୍ୱାଧୀନତା ପରଠାରୁ ସର୍ବୋଚ୍ଚ ଅଟେ । ବର୍ତ୍ତମାନ ଦେଶରେ ବିଜେପିର ୮୫ ଜଣ ଓବିସି ସାଂସଦ ଥିବାବେଳେ, ବିଜେପିର ୩୬୫ ଜଣ ଓବିସି ବିଧାନସଭା ସଦସ୍ୟ ମଧ୍ୟ ଅଛନ୍ତି ।
ବର୍ତ୍ତମାନ ମୋଦୀ ସରକାରରେ କେନ୍ଦ୍ର ମନ୍ତ୍ରୀ, କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଏବଂ କେନ୍ଦ୍ରୀୟ ସ୍ବତନ୍ତ୍ର ପ୍ରଭାରୀ ମିଶି ୭୭ ଜଣ ମନ୍ତ୍ରୀ ଅଛନ୍ତି । ଯଦି ଓବିସି (OBC) ସମ୍ପ୍ରଦାୟରୁ ୨୭ ଜଣ ମନ୍ତ୍ରୀ ରୁହନ୍ତି, ତେବେ ଏହା ପ୍ରାୟ ୩୫ ପ୍ରତିଶତ ହେବ ।
ପିଏମ ମୋଦୀ ଦାବି କରିଛନ୍ତି ଯେ, କେସିଆର ସରକାର ଲୋକଙ୍କୁ ରୋଜଗାର ଏବଂ ପାନୀୟ ଜଳ ଯୋଗାଇବାରେ ଠକିଛନ୍ତି । ଏଭଳି ପରିସ୍ଥିତିରେ ତେଲେଙ୍ଗାନାର ଲୋକମାନେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି ।
ତେଲେଙ୍ଗାନାରେ ବର୍ତ୍ତମାନ ସରକାର ପରିବର୍ତ୍ତନ ନେଇ ଯେଉଁ ଝଡ଼ ସୃଷ୍ଟି ହୋଇଛି ତାହା ଏହି ବିଶାଳ ଜନସାଧାରଣ ସଭାରେ ମଧ୍ୟ ଅନୁଭବ କରାଯାଇପାରେ । ଆପଣମାନେ ତେଲେଙ୍ଗାନାର ପ୍ରତ୍ୟେକ କୋଣ ଅନୁକୋଣରୁ ଆସିଛନ୍ତି ଏବଂ ଆପଣଙ୍କ ସହିତ ଏକ ସ୍ପଷ୍ଟ ବାର୍ତ୍ତା ମଧ୍ୟ ଆଣିଛନ୍ତି । ଏଥିରୁ ସ୍ପଷ୍ଟ ଯେ, ତେଲେଙ୍ଗାନା ଏବେ ବିଜେପି ଉପରେ ବିଶ୍ୱାସ ରଖିଛି ବୋଲି ମୋଦି କହିଛନ୍ତି ।
Comments are closed.