Latest Odisha News

୧୪ ହଜାର ଫୁଟ ଉପରେ ଜଣାପଡ଼ିଲା ବିମାନର ନାହିଁ ୨ ଝରକା

ଲଣ୍ଡନ: ୧୪ ହଜାର ଫୁଟ ଉପରେ ଜଣାପଡ଼ିଲା ବିମାନର ନାହିଁ ୨ ଝରକା ା ଏହା ଜାଣିବା ପରେ ବିମାନରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । କୌଣସି ଉପାୟ ନ ପାଇ ବିମାନଟି ଅବତରଣ କରିବାକୁ ବାଧ୍ୟ ହୋଇଥିଲା । ଏମିତି ଏକ ଘଟଣା ଘଟିଛି ଲଣ୍ଡନରେ ।

ଲଣ୍ଡନର ଷ୍ଟାନଷ୍ଟେଡ ବିମାନବନ୍ଦରରୁ ଏକ ବିମାନ ଫ୍ଲୋରିଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ୯ ଜଣ ଯାତ୍ରୀଙ୍କ ସହ ୧୧ ଜଣ କ୍ରୁ ମେମ୍ବରଙ୍କୁ ନେଇ ବିମାଟି ଯାଉଥିଲା । ହେଲେ ବିମାନଟି ୧୪ ହଜାର ଫୁଟ୍ ଉପରକୁ ଉଠିବା ପରେ ସେଥିରେ ଦୁଇଟି ଝରକା ନ ଥିବା ଜଣାପଡ଼ିଥିଲା । ତେବେ କର୍ମଚାରୀମାନେ ବିମାନରେ ଏହି ସମସ୍ୟା ଜାଣିବା ପରେ ବିମାନଟିକୁ ସସେକ୍ସ ବିମାନବନ୍ଦରରେ ଅବତରଣ କରାଇଥିଲେ ।

ଏୟାର ଦୁର୍ଘଟଣା ଅନୁସନ୍ଧାନ ଶାଖା କହିଛି ଯେ, ଏହି ଘଟଣାର ପରିଣାମ ଗୁରୁତର ହୋଇପାରିଥାନ୍ତା । ଅନୁସନ୍ଧାନ ବେଳେ ଜଣାପଡିଛି କ୍ୟାବିନର ଦୁଇଟି ୱିଣ୍ଡୋର ଗ୍ଲାସ ନ ଥିଲା ଏବଂ ଅନ୍ୟ ଦୁଇଟିର କାଚ ଭୁଲ ଭାବେ ଲଗା ଯାଇଥିଲା । ଏହି ବିମାନଟି ଆମେରିକାରେ ଅବସ୍ଥିତ ବିଳାସପୂର୍ଣ୍ଣ ଭ୍ରମଣ ବ୍ୟବସାୟ ଟିସିଏସ ୱାର୍ଲଡ ଟ୍ରାଭେଲ ଦ୍ୱାରା ବ୍ୟବହୃତ ହୋଇଥିଲା । ଏହି ବିମାନଟି ଟାଇଟାନ ଏୟାରୱେଜ ଦ୍ୱାରା ପରିଚାଳିତ ହୋଇଥିଲା ।

ବିମାନରେ ସମସ୍ତ ଯାତ୍ରୀ ବିମାନ ମଝିରେ ବସିଥିଲେ । ଟେକ ଅଫ ଏବଂ ସିଟ ବେଲ୍ଟ ବିଚ୍ଛିନ୍ନ ହେବା ପରେ ଜଣେ କ୍ରୁ ସଦସ୍ୟ ବିମାନର ପଛ ପଟକୁ ଯାଇ ଦେଖିଲେ ଝରକା ଫାଟିଛି । ସେ ତାଙ୍କର ଅନ୍ୟ ସହକର୍ମୀଙ୍କୁ ଜଣାଇଲେ ପରେ ବିମାନଟିକୁ ବିମାନ ବନ୍ଦରରେ ଅବତରଣ କରିବାକୁ ନିଷ୍ପତ୍ତି ନିଆଗଲା । ଏହି ଘଟଣା ସମୟରେ ବିମାନଟି ୧୪,୫୦୦ ଫୁଟ ଉଚ୍ଚତାରେ ଥିଲା ।

Comments are closed.