Latest Odisha News

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ଦେବ ଦୀପାବଳି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ବର୍ଣ୍ଣନା କରିବା ଅବସରରେ ମନରେ ପ୍ରଶ୍ନ ଆସେ ପ୍ରଭୁ ମଣିଷମାନଙ୍କ ଭଳି ସବୁ ଲୀଳା କରୁଛନ୍ତି, ବେଶ ଗୁଡିକ ମଧ୍ୟ ଧାରଣ କରୁଛନ୍ତି ତେବେ ମାର୍ଗଶିର ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀଠାରୁ ଶୁକ୍ଳ ପ୍ରତିପଦ ପର୍ଯ୍ୟନ୍ତ ତିନି ଦିନ ଧରି ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦେବ ଦୀପାବଳି ଅବସରରେ, ଯେତେବେଳେ ଶ୍ରୀଜଗନ୍ନାଥ ତାଙ୍କର ଚାରି ଯୁଗର ପିତା ମାତାଙ୍କୁ ଶ୍ରାଦ୍ଧ ପ୍ରଦାନ କରନ୍ତି ସେତେବେଳେ କି ବେଶ ଧାରଣ କରିଥାନ୍ତି । କାରଣ ଆମେ ଶ୍ରଦ୍ଧାରୁ ହେଉ ଅବା ପିତୃଋଣ ସୁଝିବାକୁ ହେଉ ନିଶ୍ଚୟ ଭାବରେ ଶ୍ରାଦ୍ଧ ଦେଇଥାଉ ଓ ଏହି ଶ୍ରାଦ୍ଧ ପ୍ରଦାନ ସମୟରେ ଅତ୍ୟନ୍ତ ଶୁଦ୍ଧ ପୁତ ଭାବରେ ସାଧାରଣ ପରିଧାନ ସହ ଏହି କ୍ରିୟା ସମ୍ପାଦନ କରିଥାଉ। ଏହାର ଉତ୍ତରରେ କେବଳ ଏତିକି କହିବି ଅଯୋନି ଶମ୍ଭୁତ ଶ୍ରୀଜଗନ୍ନାଥ ଯୁଗେ ଯୁଗେ ନିଜର ଅବତାର ଗ୍ରହଣ କରିବା ଅବସରରେ ଯେଉଁ ପିତା ମାତାଙ୍କ ସାହାରା ନେଇଥାନ୍ତି ସେହିମାନଙ୍କୁ ଅତ୍ୟନ୍ତ ନିଷ୍ଠାର ସହିତ ଏହି ଦେବଦୀପାବଳି ଅବସରରେ ଏକ ନିଆରା ବେଶ “ଶ୍ରାଦ୍ଧ ବେଶ “ଧାରଣ ପୂର୍ବକ ଶ୍ରାଦ୍ଧ ଅର୍ପଣ କରିଥାନ୍ତି। ଏହି ଶ୍ରଦ୍ଧାର ରୀତିନୀତି ପାଳନ ସମୟରେ ପ୍ରଭୁ ସମସ୍ତ ଅହଂକାର ବର୍ଜିତ ଏକ ସାତ୍ଵିକ ବେଶ ଧାରଣ କରିବା ପାଇଁ କେବଳ ନାଗପୁରୀ ଅର୍ଥାତ କୁମ୍ଭପକା ଧଡ଼ି ଥିବା ବସ୍ତ୍ର ପରିଧାନ କରନ୍ତି। ଏହି ବେଶରେ ନଥାଏ ଆଡମ୍ବର ଵା ରାଜକିୟ ଠାଣି। ତେଣୁ ଭକ୍ତଙ୍କ ମାନସରେ ଏହି ବେଶର ଏକ ସ୍ୱତନ୍ତ୍ର ଛାପ ରହି ଯାଏ। ମହାପ୍ରଭୁ ଚତୁର୍ଦ୍ଦଶୀ ତିଥିରେ ସତ୍ୟ ଯୁଗର ଅଦିତୀ ଓ କଶ୍ୟପ ଋଷିଙ୍କୁ, ଅମାବାସ୍ୟା ତିଥିରେ ତ୍ରେତେୟା ଯୁଗର କୌଶଲ୍ୟା ଓ ମହାରାଜ ଦଶରଥଙ୍କୁ, ଶେଷରେ ପ୍ରତିପଦ ତିଥିରେ ଦ୍ୱାପର ଯୁଗର ଦେବକୀ ଓ ବସୁଦେବ ତଥା ଯଶୋଧା ଓ ନନ୍ଦରାଜା, କଳିଯୁଗର ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରାଦ୍ଧ ଦାନ କରିଥାନ୍ତି। ଏହି ତିନି ଦିନ ପ୍ରଭୁ ନିରାଡ଼ମ୍ବର ଭାବେ କୁମ୍ଭପକା ଶ୍ୱେତ ବସ୍ତ୍ର ପରିଧାନ ପୂର୍ବକ ପବିତ୍ର ଶ୍ରାଦ୍ଧ ବେଶ ଧାରଣ କରିଥାନ୍ତି। ପ୍ରଭୁଙ୍କ ଭଳି ଆସନ୍ତୁ ଅତ୍ୟନ୍ତ ନିଷ୍ଠା ର ସହ କରିବା ଆରାଧନା ଓ ଭାଗବତ ପଠନ ।

“ଶୁଚି ପବିତ୍ର ଶାନ୍ତ ଦାନ୍ତ
ଯେ ହରି ସର୍ବ ଜୀବ ହିତ ।
ତପ ଆଚରି ଶମ ଦମେ
ପ୍ରାଣ ସଂଯମୀ ମହାଶ୍ରମେ ।
ଭଜନ୍ତି ସେ ହରି ଚରଣେ
ନିଗମ ଧର୍ମ ଆଚରଣେ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.