Latest Odisha News

ରାଜ୍ୟରେ ବଦଳିବ ପାଣିପାଗ, ଆସନ୍ତା ୨ ଦିନ ଭିତରେ ପୁଣି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲିଠୁ ବଦଳିବ ରାଜ୍ୟର ପାଣିପାଗ। ୨ ଦିନ ଭିତରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ-ଝଡ ଏବଂ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ନଭେମ୍ବର ୨୦ ଏବଂ ୨୧ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଆଲର୍ଟ ଜାରି କରାଯାଇଛି। ନଭେମ୍ବର ୨୦ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କାଲାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ଜଗତ୍ସିଂହପୁର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।

ସେହିପରି ନଭେମ୍ବର ୨୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଝାରସୁଗୁଡା, ଦେବଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କାଲାହାଣ୍ଡି, କଟକ ଏବଂ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ସମ୍ଭାବନା ରହିଛି।

ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ପରବର୍ତ୍ତୀ ସମୟରେ ରାତ୍ରି ତାପମାତ୍ରା ରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାର ସମ୍ଭାବନା ରହିଛି। ଅନ୍ୟପଟେ ବାତ୍ୟା ମିଥିଲି ବାଂଲାଦେଶ ଅତିକ୍ରମ କରିଥିବା ବେଳେ ଓଡ଼ିଶାରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡ଼ିନାହିଁ।

Comments are closed.