Latest Odisha News

BREAKING NEWS

ଜାତୀୟ ମିଡିଆ କନକ୍ଲେଭ: ଡିଜି-ଟେକ୍ ସାଜିବ ଗଣମାଧ୍ୟମ ଓ ଗଣତନ୍ତ୍ର ମଧ୍ୟରେ ସେତୁବନ୍ଧ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ତିନି ଦିନିଆ ଜାତୀୟ ମିଡିଆ କନକ୍ଲେଭ ଗୁରୁବାର ଉଦଯାପିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଓ କିଟ୍ ସହଯୋଗରେ ଆୟୋଜିତ ଏହି କନକ୍ଲେଭରେ ଭାରତର ବିଶେଷଜ୍ଞମାନେ ଗଣମାଧ୍ୟମ ଓ ଗଣତନ୍ତ୍ରକୁ ଡିଜି-ଟେକ୍ ସହ ଯୋଡ଼ିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁର୍ଗାନ୍ ଏଭଳି ଏକ ପରିକଳ୍ପନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଗଣମାଧ୍ୟମ ଓ ଗଣତନ୍ତ୍ର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି ଡକ୍ଟର ମୁର୍ଗାନ କହିଥିଲେ । ଡିଜି-ଟେକ୍ ସହିତ ସେମାନଙ୍କର ସମ୍ପର୍କ ଗଣତନ୍ତ୍ରକୁ ଅଧିକ ସୁଦୃଢ କରିବ । ନାସନାଲ ମିଡ଼ିଆ କନକ୍ଳେଭର ଏଭଳି ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ ଓଡ଼ିଶାରେ ଗଣମାଧ୍ୟମର ବିକାଶ ପାଇଁ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ସରକାର କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ପ୍ରୟୁକ୍ତିବିଦ୍ୟା ଓ ଗଣମାଧ୍ୟମର ସମ୍ପର୍କ ଉପରେ ଆଲୋଚନା କରିଥିଲେ । ଏଥିରେ ଜନମାନସର ସହଭାଗିତା ଗଣତନ୍ତ୍ରକୁ ସୁଦୃଢ କରିପାରିବ ବୋଲି ସେ କହିଥିଲେ । କର୍ଣ୍ଣାଟକର କୋପ୍ପାଲ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି. କେ. ରବି କହିଥିଲେ ଯେ ଗଣମାଧ୍ୟମ ଶିଳ୍ପ, ଶିକ୍ଷା ଏବଂ ଗବେଷଣା ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି ।

ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନଦୟାଲ ଏନର୍ଜି ୟୁନିଭର୍ସିଟିର ସ୍କୁଲ୍ ଅଫ୍ ଲିବରାଲ୍ ଷ୍ଟଡିଜ୍ରର ପ୍ରଫେସର ପ୍ରଦୀପ ମଲିକ୍ ଜୀବନର ବିଭିନ୍ନ ଦିଗ ଯଥା ରାଜନୀତି, ଗଣମାଧ୍ୟମ ଓ ଗଣତନ୍ତ୍ର କିପରି ଡିଜିଟାଲ୍ ଟେକ୍ନୋଲୋଜି ଦ୍ୱାରା ପ୍ରଭାବିତ ହେଉଛି ତାହା ବର୍ଣ୍ଣନା କରିଥିଲେ । ପ୍ରେସ୍ କ୍ଲବ୍ ଅଫ୍ କୋଲକାତାର ସଭାପତି ସ୍ନେହାସିସ ସୁର କହିଥିଲେ ଯେ ଡିଜିଟାଇଜେସନ୍ ସମଗ୍ର ବିଶ୍ୱକୁ ଗଣତାନ୍ତ୍ରିକ କରିଛି, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଏବେ କଣ୍ଟେଟ ପ୍ରଦାନକାରୀ ସାଜିଛି । ଏହି ଅବସରରେ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଶେଷଜ୍ଞମାନେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ ।

‘ଲିଙ୍ଗଗତ ସମାନତା, ଡିଜିଟାଲ ଇକୋସିଷ୍ଟମରେ ପ୍ରବେଶ ଓ ଅଂଶଗ୍ରହଣ’ ଉପରେ ଆଲୋଚନା କରି ‘ସମ୍ବାଦ’ ର ସମ୍ପାଦକ ତନୟା ପଟ୍ଟନାୟକ କହିଲେ ଯେ ଗଣମାଧ୍ୟମରେ ମହିଳା ପ୍ରସଙ୍ଗକୁ ଅଣଦେଖା କରାଯାଉଛି । ଗଣମାଧ୍ୟମରେ ମହିଳାଙ୍କ ପ୍ରତିନିଧିତ୍ୱ ଓ ଚିତ୍ର ବଦଳିବା ଦରକାର । ଗଣମାଧ୍ୟମ ମହିଳାମାନଙ୍କୁ ଏକ ସନ୍ତୁଳିତ ଉପାୟରେ ଖବର ପରିବେଷଣ କରିବାର ଆବଶ୍ୟକ ରିହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ମାନସବିନୀ ଯୋଗୀ ଗଣମାଧ୍ୟମରେ ମହିଳାଙ୍କୁ ଠିକ ଭାବରେ ଚିତ୍ରଣ କରାଯାଉନାହିଁ ବୋଲି ଉଦବେଗ ପ୍ରକାଶ କରିଥିଲେ । କନକ୍ଲେଭର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସୂଚନା କହିଥିଲେ ଯେ ଭାରତ ସମେତ ଦକ୍ଷିଣ ଏସିଅ ରାଷ୍ଟ୍ରରୁ ୧୩୦ରୁ ଊର୍ଦ୍ଧ୍ୱ ଗବେଷକ ୬ଟି ସମାନ୍ତରାଳ ଅଧିବେଶନରେ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜର ସାମ୍ବାଦିକତା ଓ ଗଣଯୋଗାଯଗ ବିଭାଗର ସହକାରୀ ଅଧ୍ୟାପକ ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଦେଇଥିଲେ ।

Comments are closed.