Latest Odisha News

BREAKING NEWS

ସମ୍ଭାବ୍ୟ ବର୍ଷା ପାଇଁ ବିଏମ୍‌ସିର ପ୍ରସ୍ତୁତି: କର୍ମଚାରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ୬ ତାରିଖରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯିବା ପରେ ବିଏମ୍‌ସି ବ୍ୟାପକ ପ୍ରସ୍ତୁତି କରିଛି । ସହରରେ ଜଳ ନିଷ୍କାସନ କିପରି ଠିକ୍ ଭାବେ ହୋଇପାରିବ ସେନେଇ ବ୍ୟାପକ ପ୍ରସ୍ତୁତି କରିଛି । ଏହି ମର୍ମରେ ଏକ ପ୍ରସ୍ତୁତି ବୈଠକ ବିଏମ୍‌ସିରେ ଅନୁଷ୍ଠିତ ହୋଇଯାଇଛି । ମେୟର ସୁଲୋଚନା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କମିସନର ବିଜୟ ଅମୃତା କୁଲାଙ୍ଗେ ପାଣିପାଗ କାର୍ଯ୍ୟାଳୟର ସୂଚନା ବାବଦରେ ଅବଗତ କରିଥିଲେ । ଗତ ଜୁଲାଇରେ ବର୍ଷା ସମୟରେ ଜଳମଗ୍ନ ହୋଇଥିବା ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ କୁହାଯାଇଥିଲା ।

ପ୍ରଥମାଷ୍ଟମୀ ପାଇଁ ମଙ୍ଗଳବାର ଥିବା ଛୁଟିକୁ ବାତିଲ କରାଯିବା ସହ ଅଧିକାରୀମାନେ ମୁଖ୍ୟାଳୟ ନ ଛାଡ଼ିବା ପାଇଁ କୁହାଯାଇଥିଲା । ସମ୍ଭାବ୍ୟ ବାତ୍ୟାର ଅଗ୍ରଗତିକୁ ଦେଖି ଆଉ ଏକ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇ ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କର ଅଭିଯୋଗ ଗ୍ରହଣ ସହ ସମସ୍ୟା ସମାଧାନ କରାଯିବ ବୋଲି କୁହାଯାଇଛି । କୌଣସି ପରିସ୍ଥିତିରେ ନାଗରିକଙ୍କୁ ଭୟଭୀତ ନ କରିବା ପାଇଁ ମେୟର ଅନୁରୋଧ କରିଛନ୍ତି । ବୈଠକରେ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଶୁଭେନ୍ଦୁ କୁମାର ସାହୁ, ସଂଯୁକ୍ତ ବିଭାଗୀୟ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.