Latest Odisha News

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରେସରେ ଓଡ଼ିଶା ବିଜେପି ପ୍ରଭାରୀ ସୁନୀଲ ବଂଶଲ!

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବହୁମତ ହାସଲ କରିଥିଲେ ମଧ୍ୟ ଫଳାଫଳକୁ ସପ୍ତାହେ ପୂରଣ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ଚୟନ ଓ ସରକାର ଗଠନ ନେଇ ରାଜ୍ୟର ପ୍ରମୁଖ ନେତାମାନେ ଚୂଡ଼ାନ୍ତ ରୂପରେଖ ଦେଉଥିବାରୁ ବିଳମ୍ବ ହେଉଥିବାରୁ ଦଳ ଭିତରେ ଯେ ଅନେକ ବିଦ୍ରୋହୀ ଅଛନ୍ତି ତାହା ଆଉ କାହାକୁ ଅଛପା ନୁହଁ। ତେଣୁ ଏବେ ଦିଲ୍ଲୀ ନେତାଙ୍କ ଉପରେ ରହିଛି ନଜର।

ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ବିଜେପି ପ୍ରଭାରୀ ସୁନୀଲ ବଂଶଲ ଏବଂ ତିଜାରା ବିଧାୟକ ବାବାବାଲକ ନାଥଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଉଭା ହୋଇଛି। ବଂଶଲଙ୍କୁ ଅଭିନନ୍ଦନର ଫୋନ୍ ଆସିଥିବା ବେଳେ ଦିଲ୍ଲୀରେ ରାଜ୍ୟସଭା ସାଂସଦ ଓମ୍ ମାଥୁରଙ୍କ ସହ ବାଲକ ନାଥଙ୍କୁ ସାକ୍ଷାତ କରୁଥିବା ଦେଖିବାକୁ ମିଳିଥିଲା। ଯଦିଓ ଦଳ ଏହା କେବଳ ସୌଜନ୍ୟମୂଳକ ସାକ୍ଷାତ ବୋଲି ଦାବି କରୁଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ରାଜ୍ୟ ବିଜେପି ସଭାପତି ସିପି ଯୋଶୀ ଏବଂ ଦଳର ପ୍ରଭାରୀ ଅରୁଣ ସିଂହ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ସରକାରୀ ଢାଞ୍ଚାର ଏକ ଡ୍ରାଫ୍ଟକୁ ଚୂଡ଼ାନ୍ତ କରିବା ପାଇଁ ଯୋଶୀ ଏବଂ ଅରୁଣ ସିଂ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ଏବଂ କେନ୍ଦ୍ରୀୟ ନେତାଙ୍କ ଠାରୁ ଇନପୁଟ୍ ମାଗିଛନ୍ତି।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସରକାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି। ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ଜାତିଗତ ସନ୍ତୁଳନ ରକ୍ଷା କରିବା ଏବଂ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରିବା ବୋଲି କୁହାଯାଉଛି। ରବିବାର ଦଳର ବିଧାୟକ ବୈଠକରେ ଯୋଗଦେବା ପାଇଁ ଯୋଶୀ ଓ ଅରୁଣ ସିଂହ ଶନିବାର ସନ୍ଧ୍ୟାରେ ଜୟପୁର ଫେରିବେ ବୋଲି ଜଣାପଡ଼ିଛି।

ସେପଟେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗଧାଡିରେ ଥିବା କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ନିର୍ବାଚନ ପ୍ରଭାରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି। ରବିବାର ଜୟପୁରରେ ହେବାକୁ ଥିବା ବିଧାୟକଙ୍କ ବୈଠକରେ ଶେଖାଓ୍ୱତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏବେ ରେସରେ ଅନେକ ନାଁ ଥିବାରୁ ରାଜସ୍ଥାନରେ ପରବର୍ତ୍ତୀ ସରକାରର ନେତୃତ୍ୱ କିଏ ନେବ ସେନେଇ ସସପେନ୍ସ ଜାରି ରହିଛି। ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇ ନୂଆ ସରକାର ଗଠନ ପାଇଁ ବାଟ ଫିଟାଇବା ପାଇଁ ଦଳର ଆନୁଷ୍ଠାନିକ ଘୋଷଣାକୁ ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଛି।

Comments are closed.