ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା । ସେଥିପାଇଁ ଚଳଚଞ୍ଚଳ ସାରା ରାଜଧାନୀ । କେଉଁଠି ଲାଇଟରେ ସଜା ହେଲାଣି ତ ଆଉ କେଉଁଠି ତୋରଣ ଆକର୍ଷଣ ପାଲଟିବ । ସେଥିପାଇଁ ପୂଜା ମଣ୍ଡପ ଗୁଡ଼ିକର ପ୍ରସ୍ତୁତି ଶେଷ ହେବା ଉପରେ । ମା’ଙ୍କ ପାଇଁ ମଣ୍ଡପକୁ ଆକର୍ଷଣୀୟ କରିବା ଦୌଡ଼ରେ ଆଗରେ ଅଛି ବମିଖାଲ ପୂଜା ମଣ୍ଡପ ।
ଚଳିତବର୍ଷ ଏହି ପୂଜା ମଣ୍ଡପ ରାଜଧାନୀବାସୀଙ୍କୁ ଭେଟି ଦବ କାଶ୍ମୀର ରାଜପ୍ରସାଦ । ପୂଜା ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ଏଥର ୩୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି । ଲଣ୍ଠନ ଫିତା ଓ ଦାମୀ ପଥରରେ ତିଆରି ହେବ ମା’ଙ୍କ ପୂଜା ମଣ୍ଡପ ।
ତା’ସହିତ ୧୫ଟି ଏଲଇଡି ଲାଇଟରେ ଝଲସିବ ପୂଜା ପରିସର । ତା’ସହିତ ତୋରଣ ଆଗରେ ୨୦ ଫୁଟର କୃତ୍ରିମ ଝରଣା ଲୋକଙ୍କ ନଜର ଟାଣିବ । ଏଥିପାଇଁ କୋଲକତାରୁ ୩୫ ଜଣ କାରିଗର ଦିନ ରାତି ଏକ କରି ଦେଇଛନ୍ତି ।
ବିିଲ୍ୱ ବରଣ ପରେ ଆରମ୍ଭ ହେବ ମା’ଙ୍କ ଆରାଧନା । ଅଷ୍ଟମୀ ଦିନ ମାଙ୍କ ପାଖରେ ଶାଢ଼ି ଲାଗି ହେବ । ଷଷ୍ଠୀରୁ ଦଶମୀ ଯାଏ ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ନବମୀ ଓ ଦଶମୀରେ ମା’ଙ୍କ ପାଖରେ ଦହି ପଖାଳ ଭୋଗ ଲାଗି ହେବ ।
ଭକ୍ତ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦ଟି ସିସିଟିଭି କ୍ୟାମେରା, ୨୦ଜଣ ପୁଲିସ ଓ ୪୦ଜଣ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ଏହାବାଦ୍ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ୪ଟି ହ୍ୱିଲ ଚେୟାର୍ର ବୋନ୍ଦବସ୍ତ କରାଯାଇଛି ।
Comments are closed.