Latest Odisha News

ସଂସଦ ଭବନକୁ ୫ ଜଣ ଆସିଥିଲେ, ୪ ଜଣଙ୍କ ମୋବାଇଲ ନେଇ ପଞ୍ଚମ ବ୍ୟକ୍ତି ଫେରାର ହୋଇଗଲେ

ନୂଆଦିଲ୍ଲୀ: ସଂସଦ ଭବନରେ ଅଜଣା ବ୍ୟକ୍ତି ପଶିବା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । କୁହାଯାଉଛି, ସଂସଦ ଭବନ ଭିତରକୁ ୪ ଜଣ ନୁହେଁ, ୫ ଜଣ ବ୍ୟକ୍ତି ଆସିଥିଲେ । ସଂସଦ ବାହାର ଓ ଭିତରୁ ୪ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ୪ ଜଣ ଅଭିଯୁକ୍ତ ହେଲେ ନୀଲମ, ମନୋରଞ୍ଜନ, ସାଗର ଏବଂ ଅମୋଲ । ୫ମ ଅଭିଯୁକ୍ତ ଥିଲେ ଲଳିତ ଝା   । ୪ ଅଭିଯୁକ୍ତ ନିଜ ନିଜ ମୋବାଇଲ ଫୋନ ଲଳିତଙ୍କୁ ଦେଇଥିଲେ । ଯେମିତି ଏହି ଘଟଣାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି ସେମିତି ସୁବିଧା ଦେଖି ଲଳିତ ଫେରାର ହୋଇ ଯାଇଛି । ଏବେ ପୋଲିସ ଲଳିତକୁ ଖୋଜୁଛି ।

ଏହି ଘଟଣାରେ ଭିନ୍ନ ଭିନ୍ନ ଅଞ୍ଚଳର ୬ ଜଣ ବ୍ୟକ୍ତି ଗୁରୁଗ୍ରାମର ଏକ ଫ୍ଲାଟରେ ଏକାଠି ହୋଇଥିଲେ । ପୋଲିସ ଏହି ଫ୍ଲାଟର ମାଲିକ ବିକ୍କି ଶର୍ମା ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି । ସଂସଦ ଭିତରେ ପଶିଥିବା ମନୋରଞ୍ଜନ ଡି ବ୍ୟାଚଲର ଇନ ଇଞ୍ଜିନିୟରିଂ କରିଛନ୍ତି । ତାଙ୍କର ପୂରା ପରିବାର ଚାଷୀ । ପରିବାର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସେ ଦିଲ୍ଲୀ ଏବଂ ବେଙ୍ଗାଲୁରରେ କିଛି ଫାର୍ମରେ କାମ କରନ୍ତି । ସେ ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ କାର୍ଯ୍ୟାଳୟରୁ ଲୋକସଭା ପାସ ଆଣିଥିଲେ ଏବଂ ସାଗର ଶର୍ମାଙ୍କୁ ତାଙ୍କର ସାଙ୍ଗ ବୋଲି ପରିଚୟ ଦେଇଥିଲେ ।

ଏପଟେ ମନୋରଞ୍ଜନଙ୍କ ବାପା କହିଛନ୍ତି, ମୋ ପୁଅ ବହୁତ ଭଲ ଏବଂ ସଚ୍ଚୋଟ ଥିଲା । ସବୁବେଳେ ସମାଜର ଭଲ ପାଇଁ କାମ କରି ଆସିଛି । ଯଦି ମୋ ପୁଅ କିଛି ଭୁଲ କରିଛି ତେବେ ତାକୁ ଫାଶିରେ ଝୁଲାଇ ଦିଅ । କାରଣ ଏହି ସଂସଦ ଆମର । ଏପରି କାମ ଯିଏ କରିବ ସେ ନିନ୍ଦାର ଯୋଗ୍ୟ ।

ଏପଟେ ସାଗର ଶର୍ମାର ଭଉଣୀ କହିଛନ୍ତି, ତାଙ୍କ ଭାଇ ମା’ଙ୍କୁ କହୁଥିଲା ଯେ, ଏକ ବିରୋଧ ପ୍ରଦର୍ଶନ ପାଇଁ ସେ ଦିଲ୍ଲୀ ଯାଉଛି । ସାଗର ପ୍ରଥମେ ଇ-ରିକ୍ସା ଚଲାଉଥିଲେ । ପ୍ରଥମେ ବେଙ୍ଗାଲୁରରେ କାମ କରୁଥିଲେ ।

Comments are closed.