Latest Odisha News

BREAKING NEWS

ଭାରତରେ ଫିଲ୍ମ ନିର୍ମାଣ ପାଇଁ ୩୫ଟି ବିଦେଶୀ ଚଳଚ୍ଚିତ୍ର ପ୍ରକଳ୍ପକୁ ଅନୁମତି ମିଳିଛି : ଅନୁରାଗ ଠାକୁର

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ୩୫ଟି ବିଦେଶୀ ଚଳଚ୍ଚିତ୍ର ପ୍ରକଳ୍ପକୁ ଭାରତରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ସଂସଦକୁ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଏକ ତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ୨୦୨୨ରେ ଏଭଳି ମଞ୍ଜୁରି ଲାଭ କରିଥିବା ଚଳଚ୍ଚିତ୍ର ସଂଖ୍ୟା ୨୮ ଥିଲା ଏବଂ ୨୦୨୧ରେ ୧୧ଟି ଚଳଚ୍ଚିତ୍ର ପ୍ରକଳ୍ପକୁ ନିର୍ମାଣ ମଞ୍ଜୁରି ଦିଆଯାଇଥିଲା।
ଅଡିଓ-ଭିଜୁଆଲ ସହ-ପ୍ରଯୋଜନା ଚୁକ୍ତି ଅଧୀନରେ ଚଳଚ୍ଚିତ୍ରର ସହ-ପ୍ରଯୋଜନା ପାଇଁ ଏବଂ ଭାରତରେ ବିଦେଶୀ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଏହି ଯୋଜନା ସମ୍ପର୍କରେ ସଂସଦକୁ କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ, ଏହି ଯୋଜନା ୧ ଏପ୍ରିଲ ୨୦୨୨ ଠାରୁ ଲାଗୁ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତକୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳୀରେ ପରିଣତ କରିବା ଏବଂ ଏହା ସହ ଜଡ଼ିତ ରୋଜଗାର ସୃଷ୍ଟି କରିବା। ଏଥିସହିତ ବିଦେଶୀ ମୁଦ୍ରା ଆଗମନକୁ ବଢ଼ାଇବା।
ସେ ଆହୁରି କହିଥିଲେ ଯେ ଅଧିକ ଅନ୍ତର୍ଜାତୀୟ ପ୍ରକଳ୍ପକୁ ଆକୃଷ୍ଟ କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରୋତ୍ସାହନ ଯୋଜନାକୁ ପ୍ରସାରିତ ଏବଂ ସରଳ କରାଯାଇଛି। ସେ ଆହୁରି କହିଛନ୍ତି, ୨୦ ନଭେମ୍ବର ୨୦୨୩ରେ ଘୋଷିତ ସଂଶୋଧିତ ପ୍ରୋତ୍ସାହନ ଯୋଜନା ଅନୁଯାୟୀ, ବିଦେଶୀ ଚଳଚ୍ଚିତ୍ର ନିର୍ମାଣର ସମସ୍ତ ଯୋଗ୍ୟ ପ୍ରକଳ୍ପ ଏବଂ ଅଡିଓ ଭିଜୁଆଲ ସହପ୍ରଯୋଜନା ଚୁକ୍ତି ଅଧୀନରେ ନିର୍ମାଣ କରାଯାଉଥିବା ସବୁ ଚଳଚ୍ଚିତ୍ର ଭାରତରେ କରାଯାଇଥିବା ଯୋଗ୍ୟ ଖର୍ଚ୍ଚ ଉପରେ ୩୦% ନଗଦ ପ୍ରୋତ୍ସାହନ ପାଇପାରିବେ।

ବିଦେଶୀ ଚଳଚ୍ଚିତ୍ରର ଲାଇଭ୍ ସୁଟିଂ ସମୟରେ ୧୫% କିମ୍ବା ଅଧିକ ଭାରତୀୟ କର୍ମଚାରୀଙ୍କୁ ରୋଜଗାର ଦେବା କ୍ଷେତ୍ରରେ ୫% ବୋନସ ମଧ୍ୟ ମିଳିପାରିବ। ଏହାବ୍ୟତୀତ ବିଦେଶୀ ଚଳଚ୍ଚିତ୍ର ସୁଟିଂ ଓ ପୋଷ୍ଟ ପ୍ରଡକ୍ସନ ପାଇଁ ଏଭଳି ଚଳଚ୍ଚିତ୍ର ପ୍ରକଳ୍ପଗୁଡ଼ିକ ଅତିରିକ୍ତ ୫% ରିହାତି ଦାବି କରିପାରିବେ  ଯଦି ସେମାନଙ୍କ ଚଳଚ୍ଚିତ୍ରରେ ଭାରତୀୟ ସଂସ୍କୃତି, ପ୍ରତିଭା ଏବଂ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ବିଷୟବସ୍ତୁ ରହିଥିବ।

ଶ୍ରୀ ଠାକୁର ସଂସଦରେ ସୂଚନା ଦେଇଥିଲେ ଯେ ବଡ଼ ବଜେଟର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରକଳ୍ପକୁ ଆକୃଷ୍ଟ କରିବା ଲାଗି ଏହି ପ୍ରୋତ୍ସାହନର ସର୍ବାଧିକ ସୀମା ପୂର୍ବରୁ ୨.୫ କୋଟି ଟଙ୍କା ଥିବା ବେଳେ ଏହାକୁ ବଢ଼ାଇ ଏବେ ୩୦ କୋଟି ଟଙ୍କା କରି ଦିଆଯାଇଛି । ଅନ୍ୟପଟେ ପ୍ରୋତ୍ସାହନର ସର୍ବାଧିକ ପ୍ରତିଶତକୁ ୩୦%ରୁ ୪୦% କରି ଦିଆଯାଇଛି ।

Comments are closed.