ଭୁବନେଶ୍ୱର: ତମାଖୁ ଦ୍ୱାରା ସ୍ୱାସ୍ଥ୍ୟହାନୀ ତଥା ଆଇନ ସଂପର୍କରେ ଅଭିଯାନ କରି ଲିମକା ବୁକ ଅଫ ରେକର୍ଡ କରିଥିବା ମହମ୍ମଦ ଇମ୍ରାନ ଅଲ୍ଲୀ ଆରମ୍ଭ କରିଛନ୍ତି ନିଆରା ଅଭିଯାନ । ଏଣିକି ଦୃଷ୍ଟିବାଧିତ ଓ ମୁକ ବଧିର ବ୍ୟକ୍ତି ବି ଜାଣିବେ ତମାଖୁ ସେବନର ଅପକାରିତା ।
ନିଶା ମୁକ୍ତ ଭାରତର ସ୍ୱପ୍ନ ଦେଖିଥିବା ଇମ୍ରାନ ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ ବ୍ରେଲି ପୁସ୍ତକ ତଥା ମୁକ ବଧିର ବ୍ୟକ୍ତିଙ୍କ ପାଇଁ Sign Language ର ସ୍ୱତନ୍ତ୍ର ଭିଡିଓ ପ୍ରସ୍ତତ କରିଛନ୍ତି ।
ନିଶା ବରୋଧରେ ଅନେକ ପୁସ୍ତକ ତଥା ପୋଷ୍ଟର ଥିଲେ ବି ତାହା ଦୃଷ୍ଟିବାଧିତଙ୍କ ପାଇଁ ନଥିଲା ।
ଏଥିପାଇଁ ଦୃଷ୍ଟିବାଧିତଙ୍କୁ ତମାଖୁ ତଥା କର୍କଟ ରୋଗ ବିଷୟରେ ସଚେତନ କରାଇବା ପାଇଁ ନିଅାରା ଅଭିଯାନ ଆରମ୍ଭ କରିଛନ୍ତି ଇମ୍ରାନ । ଡେରାଡୁନସ୍ଥିତ National Institute for empowerment of Person with Disability ଅନୁଷ୍ଠାନ ଏହି ବ୍ରେଲି ପୁସ୍ତକ ଛାପିଇଛନ୍ତି । ଏହାସହ ସାଙ୍କେତିକ ବାର୍ତ୍ତାର ସ୍ୱତନ୍ତ୍ର ଭିଡିଓରେ ମହମ୍ମଦ ଇମ୍ରାନ ଅଲ୍ଲୀ ତମାଖୁ ତଥା କୋଟପା ଆଇନ ସଂପର୍କରେ ଜଣାଉଥିବାବେଳେ ଏହାକୁ ସାଙ୍କେତିକ ଭାଷାରେ ବୁଝାଇଛନ୍ତି ବିଶେଷଜ୍ଞ ରଶ୍ମିତା ପରିଡା ।
ସାରା ଦେଶରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ହେଉଥିବାବେଳେ ଉକ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିବାଧିତ ତଥା ମୁକ ବଧିର ଛାତ୍ରଛାତ୍ରୀଙ୍କୁ ଉତ୍ସର୍ଗୀକୃତ କରି ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଛି ‘ସଲାମ ଜୀବନ’ ।
ସାରା ବିଶ୍ୱରେ ଏବେ ଭାରତ ମୁଖ ଗହ୍ୱର କର୍କଟ ରୋଗର ରାଜଧାନୀ ପାଲଟିଛି । ପ୍ରତିଦିନ ୨୫୦୦ ଲୋକ ତମାଖୁ ଜନୀତ କର୍କଟରେ ମୃତ୍ୟୁବରଣ କରୁଛନ୍ତି । ଏଚଆଇଭି ଏଡସ ଓମ୍ୟାଲେରିଆରେ ବି ଏତେ ଲୋକଙ୍କ ମୃତ୍ୟୁ ହେଉନାହଁ । ଏଥିପାଇଁ ତମାଖୁର ବ୍ୟବହାର ନକରିବା ସହ ଶିଶୁର ସୁରକ୍ଷା ପାଇଁ ପ୍ରୟାସ କରୁଛି ସଲାମ ଜୀବନ । ଏହି ଅଭିଯାନରେ ସହଯୋଗର ହାତ ବଢାଇଥିବା ବ୍ୟକ୍ତି ବିଶେଷଙ୍କୁ ‘ସଲାମ ଜୀବନ ‘ ପକ୍ଷରୁ ସମ୍ମାନୀତ କରାଯାଇଛି ।
ଜିଲ୍ଲା ସାମାଜୀକ ସୁରକ୍ଷା ଅଧିକାରୀ ମୁଖ୍ୟାଳୟ ସନ୍ୟାସ କୁମାର ବେହରା ଉକ୍ତ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ଦିବ୍ୟାଙ୍ଗ ଜନ ମାନଙ୍କ ପାଇଁ ବେଶ ଉପକାରୀ ହେବ ବୋଲି ଅାଲୋଚନା କରିଛନ୍ତି । ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗାନ୍ଧୀବାଦୀ , ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀମାନେ ଅଂଶ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଅନୁଜ ଦାସ ସଂଯୋଜନା କରିଛନ୍ତି ।
Comments are closed.