ନୂଆଦିଲ୍ଲୀ: ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟରେ ଚାଲିଛି ହିସାବକିତାବ । କେଉଁଦଳ କେତେ ଆସନ ପାଇବ ? ଏ ନେଇ ଦ୍ୱନ୍ଦ୍ୱର ଅବସାନ ଜାନୁଆରୀ ତୃତୀୟ ସପ୍ତାହ ଅର୍ଥାତ ଜାନୁଆରୀ ୧୫ ତାରିଖ ବେଳକୁ ସ୍ପଷ୍ଟ ହେବ । କଂଗ୍ରେସ ସହଯୋଗୀଙ୍କ ସହ ଆସନ ବୁଝାମଣା ପାଇଁ ୫ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିଛି ।
ଆସନ ବୁଝାମଣାକୁ ନେଇ ସମସ୍ତଙ୍କ ନଜର ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ଉପରେ । ଏହି ସବୁ ରାଜ୍ୟରେ କଂଗ୍ରେସ ଦୁର୍ବଳ ସ୍ଥିତିରେ ରହିଛି । କେରଳ, ପଞ୍ଜାବ ପରି ରାଜ୍ୟରେ ମଧ୍ୟ ଜିତିବା କଂଗ୍ରେସ ପାଇଁ ସହଜ ନୁହେଁ । କଂଗ୍ରେସ ଏଠାରେ ବିଧାନସଭାରେ ଦୁର୍ବଳ କିନ୍ତୁ ଲୋକସଭାରେ ଆଗରେ ଅଛି ।
ଇଣ୍ଡିଆ ମେଣ୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ ବୁଝାମଣା ନେଇ ନୀତିଶ କୁମାର ୩ ଫର୍ମୁଲା ଦେଇଛନ୍ତି । ହେଲେ ଅନେକ ନେତା ଏଥିପ୍ରତି ସହମତ ନୁହଁନ୍ତି । ଅନେକ ରାଜ୍ୟରେ ଫ୍ରେଣ୍ଡଲି ଫାଇଟ ବି ଆରମ୍ଭ ହୋଇଗଲାଣି ।
ତେବେ ଆସନ ବୁଝାମଣା ୨୦୧୪ ଏବଂ ୨୦୧୯ ନିର୍ବାଚନ ରେଜଲ୍ଟ ଆଧାରରେ କରାଯାଇ ପାରେ । ଚିହ୍ନ ବଦଳରେ ପ୍ରାର୍ଥୀଙ୍କ ଉପରେ ମେଣ୍ଟ ଗୁରୁତ୍ୱ ଦେଇପାରେ । ଏଥିପାଇଁ ସଂଯୁକ୍ତ କମିଟି ଗଠନ କରାଯାଇ ପାରେ ।
ତେବେ ଆସନ ଦୃଷ୍ଟିରୁ ଦେଖିଲେ ଉତ୍ତରପ୍ରଦେଶ ୮୦, ମହାରାଷ୍ଟ୍ରରେ ୪୮, ପଶ୍ଚିମବଙ୍ଗରେ ୪୨ ଆସନ ବିଶିଷ୍ଟ ବଡ ରାଜ୍ୟ । ଏହି ରାଜ୍ୟର ଯେଉଁ ସମୀକରଣ ହେଉଛି ସେଥିରେ କଂଗ୍ରେସକୁ ୫୦ ଆସନ ମିଳିବା ବି ମୁସ୍କିଲ ।
ଉତ୍ତର ପ୍ରଦେଶରେ କଂଗ୍ରେସ ସମାଜବାଦୀ ପାର୍ଟି, ଆରଏଲଡି ସହ ମେଣ୍ଟ କରିଛି । ସେପଟେ ସମାଜବାଦୀ ପାର୍ଟି ଆଜାଦ ସମାଜ ପାର୍ଟି ଏବଂ ଅପନା ଦଳ ସହ ମେର୍ଟ କରିଛି । ଅର୍ଥାତ ମେଣ୍ଟ ମୁଖ୍ୟ ୩ ଦଳ ସହ ୨ ଛୋଟ ଦଳ ମଧ୍ୟ ସାମିଲ ହୋଇଛି । ୟୁପିରେ ୨୦୦୯ରେ କଂଗ୍ରେସ ନିଜ ଦମରେ ଲଢି ୨୧ ଆସନ ପାଇଥିଲା । ଏବେ କଂଗ୍ରେସ ଏହି ରାଜ୍ୟରେ ୨୦ ଆସନ ଉପରେ ନଜର ରଖିଛି । ହେଲେ ପୁରୁଣ ଅଙ୍କ ଆଉ ସମୀକରଣ ଏବେ କଂଗ୍ରେସ ପକ୍ଷରେ ନାହିଁ । ୨୦୧୯ରେ କଂଗ୍ରେସ ରାୟବରେଲି ଆସନରୁ ଜିତିଥିଲା । ହେଲେ ଅମେଠି, କାନପୁର, ଫତେହପୁର ସିକରୀରେ ୨ ନମ୍ବରରେ ଥିଲା । ଏହି ୪ ଆସନରେ ବିଜେପି ସହ କଡା ମୁକାବିଲା କରିବାକୁ ପଡିଥିଲା କଂଗ୍ରେସକୁ ।କଂଗ୍ରେସକୁ ୟୁପିରେ ୭-୧୨ ଆସନ ମିଳିବ ବୋଲି କୁହାଯାଉଥିବାବେଳେ ନିଜେ କଂଗ୍ରେସ ୨୦ ଆସନ ପାଇବ ବୋଲି ଦାବି କରିଛି ।
ସେହିପରି ମହରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଶିବସେନା ଏବଂ ଶରତ ପାୱାରଙ୍କ ଏନସିପି ସହ କଂଗ୍ରେସକୁ ଆସନ ବୁଝାମଣା କରିବାକୁ ପଡିପାରେ । ୪୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ୧୮ରୁ କମ ଆସନରେ ଲଢିବା ପାଇଁ ପ୍ରସ୍ତୁତ ନାହାନ୍ତି । ଯଦି ଏହା ହୁଏ ତେବେ କଂଗ୍ରେସକୁ ୧୫ରୁ ଅଧିକ ଆସନ ବି ମିଳିବା କଷ୍ଟକର ହେବ ।
ପଶ୍ଚିମବଙ୍ଗରେ ଇଣ୍ଡିଆ ମେଣ୍ଟରେ ୩ଦଳ ସାମିଲ ଅଛନ୍ତି । ତୃଣମୂଳ ଏଥି ମଧ୍ୟରୁ ଏକ ବଡ ଦଳ । ଏପଟେ କଂଗ୍ରେସ-ସିପିଏମ ୨ ଓ ୩ ନମ୍ବରରେ ଅଛନ୍ତି । ହେଲେ ମମତା ବାନାର୍ଜୀ ସିପିଏମକୁ ମେଣ୍ଟରେ ନେବା ପାଇଁ ପ୍ରସ୍ତୁତ ନାହାନ୍ତି । ଏପରି ସ୍ଥିତିରେ ପଶ୍ଚିମବଙ୍ଗରେ ଆସନ ବୁଝାମଣା ବେଶ ମୁସ୍କିଲ ହେବ ମେଣ୍ଟ ଦଳକୁ ।
Comments are closed.