Latest Odisha News

BREAKING NEWS

ବ୍ୟବସ୍ଥିତ ହୋଇପାରୁନି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା, ଅସନ୍ତୋଷ ଭକ୍ତ

ପୁରୀ: ପ୍ରତିଦିନ ପୁରୀରେ ଜଗା ଦର୍ଶନ ପାଇଁ ବହୁ ଅସୁବିଧାର ସାମ୍ନା କରୁଛନ୍ତି ଭକ୍ତ । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଶ୍ରୀମନ୍ଦିରରେ ବୃଦ୍ଧି ପାଇବ ଭକ୍ତଙ୍କ ଭିଡ । ସେପଟେ ପହିଲି ଭୋଗ ନୀତି ଆରମ୍ଭ ହୋଇଥିଲେ ସୁଦ୍ଧା ନୀତି ବିଳମ୍ବ ଯୋଗୁଁ ଦର୍ଶନଟିଏ ପାଇବା ପାଇଁ ଭକ୍ତଙ୍କୁ ଘଣ୍ଟାଘଣ୍ଟା ଧରି ବ୍ୟାରିକେଡରେ ଠିଆ ହେବାକୁ ପଡୁଛି । କେତେବେଳେ ବ୍ୟାରିକେଡର ଭିଡ ଭିତରେ ଅଣନିଶ୍ୱଆସୀ ହୋଇ ଭକ୍ତ ମୂର୍ଚ୍ଛା ହେଇଯାଉଛନ୍ତି ତ ଆଉ କେତେବେଳେ ଠେଲାପେଲା ଯୋଗୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ବରିଷ୍ଠ ନାଗରିକ ମାନଙ୍କ ଯନ୍ତ୍ରଣା କଥା ତ ନ କହିଲେ ଭଲ ।

ତେବେ ଆଗକୁ ନୂଆବର୍ଷ ଆସୁଥିବାରୁ ଶ୍ରୀମନ୍ଦିରକୁ ଲକ୍ଷଲକ୍ଷ ଭକ୍ତଙ୍କ ସୁଅ ଛୁଟିବ । ହେଲେ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ଭକ୍ତ । ସେପଟେ ଭକ୍ତଙ୍କ ଭିଡ ନିୟନ୍ତ୍ରଣ କରିବାରେ ଫେଲ୍ ମାରୁଥିବା ପ୍ରଶାସନର ଅପାରଗତାକୁ ନେଇ ପ୍ରତିକ୍ରିୟା ରଖିଛି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ।

ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଭିଡ଼କୁ ଦୃଷ୍ଟିରେ ରଖି ଏହାର ନିୟନ୍ତ୍ରଣ ପାଇଁ ମାର୍କେଟ ଛକରୁ ବାଉଁଶରେ ଲମ୍ବା ବ୍ୟାରିକେଡ କରାଯାଇଛି । ସେପଟେ ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଆସୁଥିବା ଭକ୍ତମାନେ ଯେଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି ।

ତେବେ ପୁରୀ ଗସ୍ତରେ ଆସି ବଡ଼ଦାଣ୍ଡ ମର୍ଚ୍ଚିକୋଟ ଛକ ଠାରୁ ଶ୍ରୀକୃଷ୍ଣ ସିନେମା ହଲ୍ ଛକ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ। ଭିଡ଼ ନିୟନ୍ତ୍ରଣରେ ଏହା ସହାୟକ ହେବ ବୋଲି କହିଛନ୍ତି ଆଇଜି । ମହାପ୍ରଭୁଙ୍କ ନୀତିକାନ୍ତି ଚାଲୁଥିବା ସମୟରେ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ଭକ୍ତମାନେ ଏହି ଏସି ସେଡ୍ ପାଥ୍ ୱେରେ ବିଶ୍ରାମ ନେଇପାରିବେ । ୮୪ ମିଟର ଲମ୍ବା ଓ ୧୨ ମିଟର ଚଉଡ଼ା ବିଶିଷ୍ଟ ଏହି ଏସି ସେଡ୍ ପାଥ୍ ୱେ ରେ ୧୨ ଟି ଧାଡ଼ି ରହିବା ସହ ଭକ୍ତଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ । ଅନ୍ୟପଟେ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ପୁରୀକୁ ପ୍ରତିଦିନ ଆସୁଛନ୍ତି ଲକ୍ଷାଧିକ ଭକ୍ତ । ବେଳାଭୂମି ରୁ ଆରମ୍ଭ କରି ଶ୍ରୀମନ୍ଦିର ସବୁଠି ଗହଳି । ଆଗକୁ ଜିରୋ ନାଇଟ ଓ ଇଂରାଜୀ ନୂଆବର୍ଷରେ କିଭଳି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିବେ ତାହା ଏବେ ପୁରୀ ପୋଲିସ ଓ ପ୍ରଶାସନ ପାଇଁ ବଡ ଚାଲେଂଜ ପାଲଟିଛି ।

Comments are closed.