Latest Odisha News

ଆରମ୍ଭ ହେଲା ଆଦିବାସୀ ମେଳା

ଭୁବନେଶ୍ଵର : ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଆଦିବାସୀ ମେଳା-୨୦୧୪ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାମ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଏବଂ ବିଭାଗୀୟ କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ ସମ୍ମନିତ ଅତିଥି ଭାବରେ ଯୋଗ ଦେଇଥିଲେ ଏହି ମେଳା ଉପଲକ୍ଷେ ସ୍ଵତନ୍ତ୍ର ଜର୍ଣ୍ଣାଲ୍ “ଆଦିବାସୀ”ର ୬୩ ତମ ସଂସ୍କରଣ ଉନ୍ମୋଚନ କରାଯାଇଛି । ଏହା ସହ ୧୦ ଜଣ ବିଭିନ୍ନ ସମ୍ପ୍ରଦାୟର ଜନଜାତିଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଦିବାସୀ ମେଳାର ଶୁଭେଚ୍ଛା ବାର୍ତ୍ତା ଜଣାଇ କହିଥିଲେ ଯେ ଜନଜାତିମାନେ ଆମର ଗର୍ବ ଓ ଗୌରବ । ଜନଜାତିମାନଙ୍କ ଉନ୍ନତି ଓ କଲ୍ୟାଣ ତଥା ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଗଠନ କରାଯାଇଛି । ଜନଜାତି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆଦିବାସୀ ସଂସ୍କୃତି ସହ ପରିଚିତ କରିବା ପାଇଁ ଭାଷା ଲ୍ୟାବ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି । ଜାତୀୟସ୍ତରରେ ଜନଜାତିଙ୍କ କଳାକୁ ମୃତ୍ୟୁଷ ପରିଚୟ ମିଳିପାରିଛି । ଆମ ରାଜ୍ୟରେ ଆଦିବାସୀ ମେଳା ଖୁବ୍ ଲୋକପ୍ରିୟ କାର୍ଯ୍ୟକ୍ରମ । ଏହାଦ୍ଵାରା ଜନଜାତିଙ୍କ ସାମଗ୍ରୀ ପାଇଁ ବଜାର ସୃଷ୍ଟିର ପ୍ରୟାସ କରାଯିବା ସହ ସେମାନଙ୍କ ସଂସ୍କୃତି ସହ ରାଜ୍ୟବାସୀ ପରିଚିତ ହୋଇ ପାରିଥାନ୍ତି ।

ଜନଜାତିଙ୍କ ଜୀବନଶୈଳୀ, ପରମ୍ପରାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରତିବର୍ଷ ଆଦିବାସୀ ମେଳାର ଆୟୋଜନ କରୁଛି ବିଭାଗ । ସେମାନଙ୍କୁ ସାମାଜିକ, ଅର୍ଥନୈତିକ ଭାବଧାରାରେ ସାମିଲ କରିବା ଲକ୍ଷ୍ୟ ନେଇ ଆଦିବାସୀ ମେଳାର ଆୟୋଜନ କରାଯାଉଛି ଏବଂ ପ୍ରତିବର୍ଷ ବିଭାଗ ଏଥିରେ ନୂଆ ନୂଆ ଉପାଦାନକୁ ଯୋଡିବାରେ ପ୍ରୟାସ ଜାରି ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି ସମାରୋହରେ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ସ୍ଵାଗତ ଅଭିଭାଷଣ ରଖିଥ‌ିବା ବେଳେ ସ୍ଵତନ୍ତ୍ର ଅଧିକାରୀ  ସମରେନ୍ଦ୍ର ଭୂତିଆ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟାନ୍ୟ ଅତିଥି ମଧ୍ଯରେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଓ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ୧୦୯ଟି ଷ୍ଟଲକୁ ନେଇ ଆଦିବାସୀ ମେଳାର ଆୟୋଜନ କରାଯାଇଥିବା ଏହି ମେଳାରେ ଭାଷାକୁ ଗୁରୁତ୍ଵ ଦେଇ ମେଳାରେ ପ୍ରତିସନ୍ଧ୍ୟାରେ ବହୁଭାଷୀ ଥୁଏଟର୍‌ ଫେଷ୍ଟିଭାଲ୍ ପରିବେଷଣ କରାଯିବ । ଜାନୁଆରୀ ୨୬ ରୁ ଆରମ୍ଭ ହୋଇ ଏହି ମେଳା ଫେବୃଆରୀ ୫ ଯାଏଁ ଚାଲିବ । ପ୍ରତ୍ୟହ ଅପରାହ୍ନ ୨ ଟା ୩୦ ରୁ ରାତି ୯ଟା ଯାଏଁ ଏହି ମେଳା ସର୍ବସାଧାରଣଙ୍କ ନିମନ୍ତେ ଖୋଲାର‌ହିବ ।

 

Comments are closed.