ବେପାର
ଗୌରହରି ଦାସ
ନରେନ୍ଦ୍ର ପ୍ରସାଦ ଭୁବନେଶ୍ୱର ପ୍ଲାଟଫର୍ମର ଗୋଟେ ସିମେଣ୍ଟ ବେଞ୍ଚରେ ବସି ସେଦିନର ଖବରକାଗଜ ଖଣ୍ଡିକ ଖୋଲିଛନ୍ତି କି ନାହିଁ ଲୋକଟି ଆସି ଆରମ୍ଭ କରିଦେଲା, “ମୋ ସଂସାର ଭାସିଗଲା ଆଜ୍ଞା । ଆପଣ ମୋତେ ବଞ୍ଚାନ୍ତୁ ଆଜ୍ଞା, ମୁଁ ଭାସିଗଲି । ମୋ ପୁଅର ଦେହ ଭୀଷଣ ଖରାପ, ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନ ନେଲେ ସେ ମରିଯିବ… ।”
ନରେନ୍ଦ୍ର ପ୍ରସାଦ ଚମକିପଡ଼ିଲେ । ସେ ବ୍ୟସ୍ତ ହୋଇପଡ଼ି କହିଲେ, “ଥାଉ, ଥାଉ । ତୁମେ କାନ୍ଦ ନାହିଁ । ମୁଁ କ’ଣ କରିପାରିବି, କୁହ ।”
“ମୋତେ ଟଙ୍କା ଶହେଟା ଦିଅନ୍ତୁ ଆଜ୍ଞା, ମୁଁ ତାକୁ ଡାକ୍ତରଖାନା ନେଇଯାଏ । ସେ ବଞ୍ଚିବ କି ମରିବ ଜାଣିନାଇଁ, ଆପଣଙ୍କର ବହୁତ ଧର୍ମ ହେବ । ଆପଣଙ୍କ ଋଣ ମୁଁ ଜୀବନସାରା ଶୁଝିପାରିବି ନାହିଁ।”
ନରେନ୍ଦ୍ର ପ୍ରସାଦ ପକେଟରୁ ଶହେଟଙ୍କିଆ ନୋଟଟେ କାଢ଼ି ତାକୁ ବଢେ଼ଇ ଦେଇଥିଲେ । ତାଙ୍କଠୁ ଟଙ୍କା ନେଉ ନେଉ ଲୋକଟା କୃତଜ୍ଞତାରେ ତାଙ୍କୁ ପୋତି ପକାଇଥିଲା । ଆଖିର ଲୁହକୁ ଦୁଇ ହାତଚକିରେ ପୋଛି ସେ ସେଠୁ ତରବରରେ ଚାଲିଯାଇଥିଲା । ନରେନ୍ଦ୍ର ପ୍ରସାଦ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ, “ଲୋକଟାର ପୁଅ ଭଲ ହେଇଯାଉ ।”
ଏ ଘଟଣାଟି ଥିଲା ପ୍ରାୟ ବର୍ଷକ ତଳର । ନରେନ୍ଦ୍ର ପ୍ରସାଦ ନୂଆ ନୂଆ ପିଲାଙ୍କ ପୋଷାକ ବେପାର ଆରମ୍ଭ କରିଥାଆନ୍ତି । ନୟାଗଡ଼ରୁ ଟ୍ୟାକ୍ସିରେ ଚାଲିଆସନ୍ତି ଭୁବନେଶ୍ୱର, ଏଠି ଛୋଟବଡ଼ କାମ ସାରି ରାତିରେ ପୁରୀ ଏକ୍ସପ୍ରେସରେ କଲିକତା ଯାଆନ୍ତି । ନୟାଗଡ଼ର ସବୁଠୁ ଭଲ “ପିଲାଙ୍କ ପୋଷାକ’ ଦୋକାନ ନରେନ୍ଦ୍ର ପ୍ରସାଦଙ୍କର ।
ପରମାସ ପୁଣିଥରେ ଗୋଟେ ହତଭାଗା ଲୋକ ଦେଖାହୋଇଥିଲା ଭୁବନେଶ୍ୱର ପ୍ଲାଟଫର୍ମରେ । ଲୋକଟିର ମାଆ ବେମାର ଥିଲା । ନରେନ୍ଦ୍ର ପ୍ରସାଦ ଲକ୍ଷ୍ୟ କରିଥିଲେ, ଆର ଲୋକଟିଠାରୁ ଇଏ ବୟସରେ ବଡ଼ ଦିଶୁଥିଲା । ମୁହଁରେ ରୂଢ଼ ଭର୍ତ୍ତି, ପିନ୍ଧିଥିଲା ଗୋଟେ ଲୋଚାକୋଚା ପ୍ୟାଣ୍ଟ ଓ ହାୱାଇନ ସାର୍ଟ । ଲୋକଟା ସେହି ଆଗ ଲୋକ ପରି ବିକଳ ହୋଇ ତା’ ମାଆର ଚିକିତ୍ସା ପାଇଁ ଲୋକଙ୍କଠାରୁ ସାହାଯ୍ୟ ମାଗୁଥିଲା । ନରେନ୍ଦ୍ର ପ୍ରସାଦଙ୍କ ଟ୍ରେନ ସେଥର ଦି’ଘଣ୍ଟା ବିଳମ୍ବ ଥିଲା ଓ ସେ ପ୍ଲାଟଫର୍ମର ବହି ଦୋକାନରୁ ଖଣ୍ଡିଏ ପତ୍ରିକା କିଣିବାକୁ ଠିଆ ହୋଇଥିଲେ । ଲୋକଟା ତାଙ୍କ ପାଖେ ପହଞ୍ଚି ଯାଇଥିଲା । ତା’ପରେ ଅତି ବିକଳ ସ୍ୱରରେ କହିଥିଲା, “ମୁଁ ମାଆଛେଉଣ୍ଡ ହେଇଯିବି ସାର । ମୋ ମାଆ ମରିଯିବ । ନିଃଶ୍ୱାସ ନେବାରେ ଭାରି କଷ୍ଟ ହେଉଛି । ମୋତେ କିଛି ସାହାଯ୍ୟ କରନ୍ତୁ, ତାକୁ ଟିକିଏ ଡାକ୍ତରଙ୍କୁ ନେଇ ଦେଖାଏ ।”
ନରେନ୍ଦ୍ର ପ୍ରସାଦ ଟଙ୍କା ଶହେଟି ଦେଇ ତା’ ପାଖରୁ ଚାଲି ଆସିଥିଲେ । ଆଶା କରିଥିଲେ, ଲୋକଟିର ବୁଢ଼ୀମାଆ ସୁସ୍ଥ ହୋଇଯାଉ ।
ତାହାର ପରମାସ ସେଇ ପ୍ଲାଟଫର୍ମରେ ଆଉ ଜଣେ ଲୋକ ତାଙ୍କର ଦେଖା ହୋଇଥିଲା । ଲୋକଟି ଗୋଟେ ଖୋର୍ଦ୍ଧା ଗାମୁଛା ମୁଣ୍ଡରେ ଭିଡ଼ିଥିଲା, ପିନ୍ଧିଥିଲା ଖଣ୍ଡେ ଫତେଇ ଓ ଟ୍ରାଉଜର । କାନ୍ଧରେ ଗୋଟେ ଝୁଲା ବ୍ୟାଗ । କପାଳରେ ସିନ୍ଦୂର କଲି । ନରେନ୍ଦ୍ର ପ୍ରସାଦ ପ୍ଲାଟଫର୍ମରେ ଠିଆହୋଇ ଟ୍ରେନକୁ ଅପେକ୍ଷା କରୁଥିଲେ । ଲୋକଟି ଆସି ତାଙ୍କ ଆଗରେ ଠିଆହୋଇ ତା’ ଦୁଃଖ କାହାଣୀ ଶୁଣେଇଥିଲା । କହିଥିଲା, “ମୋ ଘର ଖୋର୍ଦ୍ଧା ପାଖ ବାଘମାରି, ମାଆ ମରିଗଲା । ତା’ର ଶୁଦ୍ଧି ପାଇଁ ମୋ ପାଖରେ ଫଟା ପାହୁଲାଟାଏ ନାହିଁ । ମାଆକୁ ପୁଷ୍କର ଲାଗିଛି । ହୋମ, ବ୍ରାହ୍ମଣ ଭୋଜନ ଓ ପୂଜାପାଠ ନ କଲେ ତାକୁ ମୋକ୍ଷ ମିଳିବ ନାହିଁ । ଆପଣ ମୋତେ ଦୟା କରନ୍ତୁ । ମୋତେ ଟଙ୍କା ତିନିଶହ ସାହାଯ୍ୟ କରନ୍ତୁ, ଆପଣଙ୍କର ପୁଣ୍ୟ ହେବ।”
ଲୋକଟିର ମାଆ ଚାଲିଯିବା ଖବର ଶୁଣି ନରେନ୍ଦ୍ର ପ୍ରସାଦଙ୍କ ମନଦୁଃଖ ହୋଇଥିଲା । ତାଙ୍କର ନିଜ ବାପା ଚାଲିଯିବାର ଦୁଃଖ ମନେପଡ଼ିଥିଲା, ତା’ ବାପାଙ୍କୁ ବି ପୁଷ୍କର ଲାଗିଥିଲା । ସେଥିପାଇଁ ବ୍ରାହ୍ମଣମାନେ ଗୋଟେ ସ୍ୱତନ୍ତ୍ର ପୂଜାପାଠ କରିଥିଲେ । ମଇଁଷି ଘିଅରେ ହୋମ ହେଇଥିଲା, ଉପରୁ ଝୁଲାହୋଇ ରହିଥିଲା ଗୋଟେ କଦଳୀ ଭଣ୍ଡା । ସେ ଲୋକଟିକୁ ପଚାରିଥିଲେ, “ତୁମ ମାଆଙ୍କର କ’ଣ ହୋଇଥିଲା?”
ଲୋକଟି କାନ୍ଦ କାନ୍ଦ ସ୍ୱରରେ କହିଥିଲା, “କ୍ୟାନସର । ଜଣାପଡ଼ିଲାବେଳକୁ ବହୁତ ଡେରି ହେଇଯାଇଥିଲା । ସଅଳ ଜାଣିଥିଲେ ବି ମୁଁ ଗରିବ ଲୋକ କଅଣ ବା କରିପାରିଥାଆନ୍ତି? ସମସ୍ତଙ୍କୁ ନେହୁରା ହେଲି । ଏ ଦୁନିଆରେ ବାବୁ ସବୁ ଅଛି, ଦୟା ଧର୍ମ ନାହିଁ ।” ତା’ପରେ ଲୋକଟି କଥା ସାରି ନ ପାରି କାନ୍ଦିଥିଲା ।
ନରେନ୍ଦ୍ର ପ୍ରସାଦଙ୍କ ଟ୍ରେନ ଆସିବାର ଘୋଷଣା ଶୁଣାଯାଉଥିଲା । ସେ ଲୋକଟିକୁ ସାନ୍ତ୍ୱନା ଦେଇ କହିଥିଲେ, “ମଣିଷ ଉପରେ ଭରସା ରଖ, ସମସ୍ତେ ସମାନ ନୁହନ୍ତି ।” ତା’ପରେ ଲୋକଟିକୁ ଟଙ୍କା ଦିଇଶହ ଦେଇ ଚାଲିଆସିଥିଲେ ।
ଏହା ପରଥର ଥିଲା ପୂଜା ମାସ । ପ୍ଲାଟଫର୍ମରେ ଖୁବ ଭିଡ଼ ଥିଲା । ଏଣେ ତାଙ୍କ ଟ୍ରେନ ଚାଲିଥିଲା ଦେଢ଼ଘଣ୍ଟା ବିଳମ୍ବରେ । ଘୋଷଣା ହୋଇଥିଲା, ଏହା ଭୁବନେଶ୍ୱରରେ ପହଞ୍ଚିବ ରାତି ବାରଟାରେ । ପୁଣିଥରେ ଗୋଟେ ହତଭାଗା ସାଙ୍ଗରେ ଦେଖା । ନରେନ୍ଦ୍ର ପ୍ରସାଦ ଏଥର ଲୋକଟିକୁ ନିରିଖେଇ ଦେଖିଥିଲେ । ସେତିକିବେଳେ ଲୋକଟାର ବେକତଳକୁ ବଡ଼ କଳା ଚିହ୍ନଟା ତାଙ୍କ ନଜରରେ ପଡ଼ିଥିଲା । ସେଥର ଲୋକଟି ଖଣ୍ଡେ ଲୁଙ୍ଗି ପିନ୍ଧିଥିଲା ଓ ତେଲ ଦେଇ ମୁଣ୍ଡ କୁଣ୍ଡେଇଥିଲା । ନରେନ୍ଦ୍ର ପ୍ରସାଦଙ୍କ ପାଖକୁ ଆସି ଦକ୍ଷିଣୀ ଓଡ଼ିଆରେ କହିଥିଲା, “ସାଆରେ, ମୁଁ ସମାନେ ବୁଡ଼ିଗଲି । ମରିଗଲି ସାଆରେ । ବୋଇଲେ ମୋ ଦୁନିଆ ସରିଗଲା ।”
ସେ ଆଉ କଅଣ ବାହୁନିବାକୁ ଯାଇଥାଆନ୍ତା, ନରେନ୍ଦ୍ର ପ୍ରସାଦ ତାକୁ ଅଟକେଇ ପଚାରିଲେ, “କଅଣ ହେଲା? ତମ ଦୁନିଆ ସରିଗଲା ବୋଲି କାହିଁକି କହୁଛ?”
ଲୋକଟି ପୂର୍ବପରି ବିକଳ ସ୍ୱରରେ କହିଥିଲା, ତା’ ଘର ଛତ୍ରପୁର । ସ୍ତ୍ରୀକୁ ସାଙ୍ଗରେ ଧରି ଭୁବନେଶ୍ୱର ଆସୁଥିଲା । ବସରୁ ଓହ୍ଲେଇ ତିନି ନମ୍ବର ଯାଉଥିବାବେଳେ ଗୋଟେ ଅଟୋରିକ୍ସା ଧକ୍କାଦେଇ ପଳେଇଗଲା । ତା’ ସ୍ତ୍ରୀର ଗୋଡ଼ ଭାଙ୍ଗିଯାଇଛି । ତାକୁ ଛଅ ନମ୍ବର ଡାକ୍ତରଖାନାରେ ପକେଇଦେଇ ସେ ଟଙ୍କା ଯୋଗାଡ଼ରେ ଆସିଛି ।
ଲୋକଟି ତା’ କଥା କହୁଥିବାବେଳେ ନରେନ୍ଦ୍ର ପ୍ରସାଦ ତା’ ବେକତଳକୁ ଅନାଇଥିଲେ । ସେଇ ବଡ଼ କଳା ଚିହ୍ନଟା ପରିଷ୍କାର ଦିଶୁଥିଲା । ଲୋକଟାର ଚେହେରା ବି ଏକାପରି ଦିଶୁଥିଲା, କିନ୍ତୁ ସେ କିଛି ନ କହି ଶହେଟି ଟଙ୍କା ଧରେଇ ଦେଇ କହିଥିଲେ, “ଯାଅ, ମୋ ପାଖରେ ଆଜି ବେଶି ଟଙ୍କା ନାହିଁ ।”
ଲୋକଟି ଗୋଡ଼ ଘୋଷାରି ଘୋଷାରି ଭୁଲିଯାଇଥିଲା ଏବଂ ଦେଖୁ ଦେଖୁ ଲୋକ ଭିଡ଼ରେ ମିଶିଯାଇଥିଲା । ନରେନ୍ଦ୍ର ପ୍ରସାଦଙ୍କୁ ସେଇଥର ସନେ୍ଦହ ଆସିଥିଲା । ଗୋଟିଏ ଲୋକ ଅଲଗା ଅଲଗା ବେଶ ବଦଳେଇ ଆସି ତାଙ୍କଠାରୁ ଟଙ୍କା ଠକିନେଇଯାଉନାହିଁ ତ! ତା’ପରେ ସେ ଭାବିଥିଲେ, “ନେଉ, କେତେ ଲୋକ କେତେ ପ୍ରକାର ଠକୁଛନ୍ତି । ଏ ଲୋକଟା ସେମିତି ଶହେ ଦିଇଶହ ନେଇଗଲା, ନେଉ । କିନ୍ତୁ ସତକୁ ସତ ଯଦି ତା’ ସ୍ତ୍ରୀ ଗୋଡ଼ ଭାଙ୍ଗିଯାଇଥିବ, ତାହାହେଲେ ତାଙ୍କର ସାହାଯ୍ୟ ଲୋକଟାର ଟିକେ ଉପକାର କରିବ ତ! ସେ ସେଇ ପ୍ରସଙ୍ଗକୁ ଭୁଲି ନିଜ ବେପାର ଚିନ୍ତାରେ ମନ ଦେଇଥିଲେ । ଏଥର ତିରିଶ ପର୍ସେଣ୍ଟ ବଢେ଼ଇ ଷ୍ଟିକର ନ ଲଗେଇଲେ ଲାଭ ହେବ ନାହିଁ । ଗରାଖଗୁଡ଼ାକ ବହୁତ ମୁଲାମୁଲି କରୁଛନ୍ତି ।”
ଡିସେମ୍ବର ମାସରେ କିନ୍ତୁ ଲୋକଟି ଧରାପଡ଼ିଯାଇଥିଲା । ତା’ ବେକତଳର ସେଇ ବଡ଼ କଳା ଚିହ୍ନଟା ତାକୁ ଧରାପକେଇ ଦେଇଥିଲା । ତା’ଛଡ଼ା ଲୋକଟି ତା’ ମାଆ ମରିବା କଥା ଆଉ ଥରେ ଆରମ୍ଭ କରିବାକୁ ଯାଉଥିଲା । ନରେନ୍ଦ୍ର ପ୍ରସାଦ କହିଲେ, “ତୁମ ମାଆ ପରା ମରିସାରିଥିଲେ, ପୁଣି ବେମାର ପଡ଼ିଲେ କେମିତି? ମାଆ, ପୁଅ, ସ୍ତ୍ରୀ ଇତ୍ୟାଦିଙ୍କ କଥା କହିସାରିଛି । ଏଥର କିଛି ନୂଆ କଥା କୁହ ନ ହେଲେ ମୋ ଆଗରୁ ଚାଲିଯାଅ ।”
ଲୋକଟି ନରମ ହୋଇଯିବ କଅଣ ଓଲଟି ଚଢ଼ାଗଲାରେ ନରେନ୍ଦ୍ର ପ୍ରସାଦଙ୍କୁ କହିଥିଲା, “ଆପଣ ତ ଭଲ ଲୋକ ଦେଖୁଛି!”
: କାହିଁକି? କଅଣ ହେଲା? – ନରେନ୍ଦ୍ର ପ୍ରସାଦ ଜବାବ ଦେଇଥିଲେ ।
: ଆପଣ ମୋତେ ଚିହ୍ନିପାରିଥିବା କଥା ଆଗରୁ କେମିତି କହିଲେ ନାହିଁ! ମୁଁ ଆପଣଙ୍କୁ କହିଚାଲିଛି, ଅଥଚ ଆପଣ ଶୁଣି କରିଚାଲିଛନ୍ତି ।
ଚମକିପଡ଼ିଥିଲେ ନରେନ୍ଦ୍ର ପ୍ରସାଦ । ସମସ୍ତଙ୍କୁ ବିଶ୍ୱାସ କରିଯିବା ତାଙ୍କର ଗୋଟେ ବଡ଼ ଦୁର୍ବଳତା । ସେ ମନର ଭାବନାକୁ ଚପେଇ ରଖି କହିଲେ, “ବିଶ୍ୱାସ ଗୋଟେ ବହୁତ ବଡ଼ ସୁନ୍ଦର ଅଭିଜ୍ଞତା। ତାହାଛଡ଼ା ମୋର ଏଠି ଘଣ୍ଟେ, ଦି’ଘଣ୍ଟା ସମୟ ବିତନ୍ତା କିପରି? ତମର ପ୍ରତିଥର ନୂଆ ନୂଆ କାହାଣୀ ମୋ ସମୟ ବିତେଇଦିଏ । ଆଜିକାଲି ସିନେମା ହଲ, ବାର କି ରେସ୍ତୋରାଁକୁ ଗଲେ ଘଣ୍ଟାକରେ ଟଙ୍କା ପାଞ୍ଚଶହ, ହଜାରେ ଉଡ଼ିଯାଏ । ଯଦି ଶହେ, ଦିଇଶହ ଟଙ୍କାରେ ଏମିତି ଦୁଃଖଭରା କଥା ଶୁଣିବାକୁ ମିଳୁଛି, ତାହାହେଲେ ମୁଁ ଆପତ୍ତି କରନ୍ତି କାହିଁକି? ତେବେ ତୁମର ଭୁଲ ଯୋଗୁଁ ତମେ ଏଥର ଧରାପଡ଼ିଗଲେ । କାହାପାଖେ କାହାର ବେମାର ପଡ଼ିବା କଥା କହୁଛ ସେଇଟା ତମର ମନେରଖିବା ଉଚିତ ଥିଲା ।”
ଲୋକଟା କେମିତି ନରେନ୍ଦ୍ର ପ୍ରସାଦଙ୍କ ପାଖରୁ ଖସି ପଳେଇବ ସେଇକଥା ଚିନ୍ତା କରୁଥିଲା । ନରେନ୍ଦ୍ର ପ୍ରସାଦ ତାକୁ କହିଥିଲେ, “ଏମିତିକା କାରବାର କଲେ କତେବେଳେ ଧରାପଡ଼ି ପୁଲିସ ଥାନାକୁ ଟଣାଯିବ । ତମେ ସମର୍ଥ ଲୋକ । ଅନ୍ୟ କିଛି ଧନ୍ଦାବାଡ଼ି କରୁନ କାହିଁକି?”
ଏଥର ଲୋକଟି ଭେଁ କିନା କାନ୍ଦି ପକାଇଥିଲା । ସେଇ ପ୍ଲାଟଫର୍ମ ଉପରେ ବସିପଡ଼ି କହିଥିଲା, “ମୁଁ ଗୋଟେ ଅଭାଗାଟାଏ । ପିଲାଦିନୁ ବାପାମାଆଙ୍କୁ ହରେଇଛି । ଘରେ ଜମିବାଡ଼ି ନାହିଁ । ଗୋଟେ ହୋଟେଲରେ ବାସନମଜା କାମ କରି ପେଟ ପୋଷୁଥିଲି । ସେଇଠି ଥିଲାବେଳେ ବାହା ହେଇଥିଲି; ମାତ୍ର ମୋ ଦେହ ବେମାରପଡ଼ିଲା, ଖଟି ପାରଲି ନାହିଁ । ସେତିକିବେଳେ ସେଇ ହୋଟେଲର ରୋଷେଇଆ ସାଙ୍ଗରେ ମୋ ସ୍ତ୍ରୀ ପଳେଇଗଲା । ତାକୁ କେତେ ଖୋଜିଲି, ହେଲେ ପାଇଲି ନାହିଁ । ତାହା ପରଠାରୁ ମନଟା “ଛି’ ହୋଇଗଲା । ଚାରିବର୍ଷ ହେଲା, ଏମିତି ମାଗିଯାଚି ଚଳୁଛି । ଏଇ ପ୍ଲାଟଫର୍ମ ଜାଣନ୍ତୁ ମୋ ଘର । ମୋର କ’ଣ ପୁଞ୍ଜି ଅଛି ନା ପରିଚୟ ଅଛି – ମୁଁ କି ବେପାର କରିବି?”
ନରେନ୍ଦ୍ର ପ୍ରସାଦ ବୁଝିପାରୁ ନ ଥିଲେ ଏଇଟା ଲୋକଟିର ସତକଥା ନା ଆଉ ଗୋଟେ ମନଗଢ଼ା କାହାଣୀ । ତା’ କଥା କହିବାର ଭଙ୍ଗୀରୁ ଜଣାପଡୁଥିଲା ସେ ସତ କହୁଛି । ସେ କହିଲା, “ହଉ, ହଉ ବ୍ୟସ୍ତ ହୁଅନାହିଁ । ବୁଦ୍ଧିମାନ ଲୋକ ପାଇଁ ପୁଞ୍ଜି ଗୋଟେ ବଡ଼ ସମସ୍ୟା ନୁହେଁ । ତୁମେ ଚାହିଁଲେ କବାଡ଼ିଖାନା ଜିନିଷରୁ ବି ବେପାର ଆରମ୍ଭ କରିପାରିବ । ମାତ୍ର ଏମିତି ମିଛସତ କହି ସାହାଯ୍ୟ ମାଗିଲେ ବିପଦରେ ପଡ଼ିବାର ଆଶଙ୍କା ଅଛି ।” ଅନୁଗତ ଛାତ୍ରଟେ ପରି ସେ ଲୋକଟି ଦୁଇ ହାତ ନରେନ୍ଦ୍ର ପ୍ରସାଦଙ୍କ ଆଡ଼କୁ ବଢେ଼ଇଦେଲା । କହିଲା, ଆପଣଙ୍କ କଥା ମୁଁ ଅକ୍ଷରେ ଅକ୍ଷରେ ମାନିବି । ଆପଣ ମୋର ଗୁରୁ । ଗୋଟିଏ କିଛି ଜିନିଷ ମୋତେ ସାହାଯ୍ୟ କରନ୍ତୁ, ମୁଁ ସେଇଥିରୁ ମୋର ବ୍ୟବହାର ଆରମ୍ଭ କରିବି ।
ତୁମ ନାଁ କ’ଣ? – ନରେନ୍ଦ୍ର ପ୍ରସାଦ ପଚାରିଲେ ।
ସନାତନ । – ଲୋକଟା ଉତ୍ତର ଦେଲା ।
ସେଦିନ ପରା ନରୋତ୍ତମ ବୋଲି କହୁଥିଲ । – ନରେନ୍ଦ୍ର ପ୍ରସାଦ କହିଲେ ।
: ହଁ, ହଁ ନରୋତ୍ତମ । ଆପଣ ଯୋଉ ନାଆଁରେ ଡାକିଲେ ଚଳିବ ।
: ଆଶ୍ଚର୍ଯ୍ୟ! ନିର୍ଦ୍ଧିଷ୍ଟ ଗୋଟେ ନାଁଟେ ତ ଥିବ ତୁମର ।
: ଥିଲା । ମାତ୍ର ଏହି ଚାରି ପାଞ୍ଚବର୍ଷ ଭିତରେ ମୁଁ ଏତେଥର ମୋ ନାଁ ଅଦଳବଦଳ କରିସାରିଲିଣି ଯେ କୋଉଟା ଅସଲି ଓ କୋଉଟା ନକଲି ନିଜେ ଜାଣିପାରୁନାହିଁ । ହଁ, ସନ୍ତୋଷ ମୋର ପ୍ରକୃତ ନାମ । ସନ୍ତୋଷ ମାଝୀ ।
: ହଉ ସେଇ ସନ୍ତୋଷ ମାଝୀ ହେଉ । ଏଇ ନିଅ, ଏ ପୁରୁଣା ଛତାଟା ମୋର କୋଉ ଦରକାରରେ ଆସୁନାହିଁ । ଏଇଟା ତମେ ନେଇପାର ।
ବଡ଼ ଆଗ୍ରହର ସହ ଛତାଟିକୁ ନେଲା ସନ୍ତୋଷ, ଅବା ସନାତନ ଓରଫ ନରୋତ୍ତମ । ନରେନ୍ଦ୍ର ପ୍ରସାଦ ଚାଲିଆସୁଥିଲେ । ମନ କ’ଣ ହେଲା କେଜାଣି ପୁଣି ପଛକୁ ମୁହଁ ଫେରେଇ ଡାକିଲେ, “ସନ୍ତୋଷ ।”
ଲୋକଟି ଜବାବ ଫେରାଇଲା, “ସାର କୁହନ୍ତୁ ।”
“ନାଇଁ, ଯାଅ । ସନ୍ତୋଷ ତୁମର ପ୍ରକୃତ ନାଁ କି ନୁହେଁ ଜାଣିବାକୁ ଚାହୁଥିଲି ।”
ସନ୍ତୋଷ ମାଝୀ ପୁରୁଣା ଛତାଟି ଧରି ଚାଲିଗଲା । ଏସବୁ ଘଟଣା ପ୍ରାୟ ଆଠ ମାସ ତଳର କଥା ।
ଏଇ ଆଠମାସ ହେଲା ନରେନ୍ଦ୍ର ପ୍ରସାଦ ଆଉ କଲିକତା ଯାଇନାହାନ୍ତି, ଯିବା ଦରକାର ପଡ଼ିନାହିଁ । କଲିକତା ବେପାରୀଙ୍କ ପ୍ରତିନିଧି ଆସି ନୟାଗଡ଼ରେ ଜିନିଷପତ୍ର ଦେଇଯାଉଛନ୍ତି । ଗଲା ତେର ତାରିଖରେ ଯାଇଥିଲେ, ଆଜି ଫେରୁଛନ୍ତି ।
ଭୁବନେଶ୍ୱର ଷ୍ଟେସନର ପ୍ଲାଟଫର୍ମ । ପୁରୁଣା ବେଞ୍ଚ ଉପରେ ଠିଆହୋଇ ନରେନ୍ଦ୍ର ପ୍ରସାଦ ଖୋଜୁଥିଲେ ସନ୍ତୋଷ ମାଝୀକୁ । ବର୍ଷେ ଧରି ନିୟମିତ ଦେଖାଚାହାଁ ଯୋଗୁଁ ଲୋକଟା ସାଙ୍ଗରେ ଗୋଟେ ପରିଚୟ ଗଢ଼ିଉଠିଥିଲା । ସେ ଆଶ୍ଚର୍ଯ୍ୟ ହେଉଥିଲେ, ଗୋଟାଏ ଲୋକ କେମିତି ଏତେ ବାଗରେ କଥା କହିପାରୁଥିଲା – ପୋଷାକ ବଦଳାଇ ପାରୁଥିଲା ଓ ଏସବୁଠାରୁ ବଡ଼କଥା ନୂଆ ନୂଆ କାହାଣୀ ଆବିଷ୍କାର କରିପାରୁଥିଲା ।
ନା, ସନ୍ତୋଷ ମାଝୀ ପ୍ଲାଟଫର୍ମରେ ବୁଲୁ ନ ଥିଲା । ତା’ ସହ ଦେଖାହେଲା ନାହିଁ । ସେ ପ୍ଲାଟଫର୍ମ ବାହାରକୁ ଆସିଲେ ।
ଆଜି ଅଗଷ୍ଟ ପନ୍ଦର । ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ ପାଖରୁ ମହାତ୍ମା ଗାନ୍ଧି ମାର୍ଗ ଜାତୀୟ ପତାକାରେ ସଜା ହୋଇଯାଇଛି । ଆଉ କିଛି ସମୟ ପରେ ଏଇଠି ଭାଷଣ ଚାଲିବ । ନରେନ୍ଦ୍ର ପ୍ରସାଦଙ୍କ ଟ୍ୟାକ୍ସି ସେପଟକୁ ଯାଉଥିଲା, ଟ୍ରାଫିକ ପୁଲିସ ମନାକରି ରାଜମହଲ ଛକ ବାଟେ ଯିବାଲାଗି ବତେଇଦେଲା । ନରେନ୍ଦ୍ର ପ୍ରସାଦ ଟ୍ୟାକ୍ସି ଝରକାରୁ ବାହାରକୁ ଅନଉଥିଲେ ।
ପୁରୁଣା ବିଡିଏ ଅଫିସ ପାଖାପାଖି ରାସ୍ତା ଉପରେ ଧଳା କପଡ଼ାରେ ତିଆରି ହୋଇଛି ଗୋଟେ ଅସ୍ଥାୟୀ ଦୋକାନ । ସେଇଠି ଜଣେ ଲୋକ ଗାନ୍ଧିଟୋପି ପିନ୍ଧି ପ୍ରଚାର କରୁଛି – ସ୍ୱାଧୀନତା ସହ ସମ୍ପର୍କ ଥିବା ମୂଲ୍ୟବାନ ସ୍ମାରକୀମାନ କିଣିନିଅନ୍ତୁ । ଜୀବନସାରା ସ୍ୱାଧୀନତା ଆନେ୍ଦାଳନର ଅନୁଭବ ପାଖରେ ରଖନ୍ତୁ ।
ନରେନ୍ଦ୍ର ପ୍ରସାଦ ଆଶ୍ଚର୍ଯ୍ୟ ହେଲେ । ଏ ଦେଶରେ ହଜାର ହଜାର ମୁ୍ୟଜିୟମ, ସଂଗ୍ରହାଳୟ । ତାହାସତ୍ତେ୍ୱ, ସ୍ୱାଧୀନତା ସ୍ମାରକୀ ପୁଣି କୋଉଠୁ ଆସିଲା ଯେ ଏ ଲୋକଟି ଭୁବନେଶ୍ୱର ରାଜପଥରେ ତାହା ନିଲାମ କରୁଛି । ସେ ଡ୍ରାଇଭରକୁ କହିଲେ, “ଟିକିଏ ରଖ ।”
ଡ୍ରାଇଭର ରୁଷ୍ଟ ହେଲା । ନରେନ୍ଦ୍ର ପ୍ରସାଦ କହିଲେ, “ହଉ, ଅଧିକା ଭଡ଼ା ମିଳିବ ।”
ଏବେ ସେ ସେଇ ଦୋକାନ ସାମ୍ନାରେ । ଦୋକାନ ଭିତରେ ଦୁଇଟି ପୁରୁଣା ଝୁଲା, ଗୋଟେ ବଙ୍କୁଲି ବାଡ଼ି, ଦିଇଟା ହାତଘଣ୍ଟା ଏବଂ ମଝିରେ ଗୋଟିଏ ପୁରୁଣା ଛତା । ନରେନ୍ଦ୍ର ପ୍ରସାଦଙ୍କର ଛତାଟି ଉପରେ ନଜର ପଡ଼ିବାକ୍ଷଣି ସେ ଚଟକରି ଚିହ୍ନିଗଲେ ଇଏ ସେଇ ଛତା – ଯୋଉଟାକୁ ସେ ଆଠମାସ ତଳେ ସନ୍ତୋଷ ମାଝୀକୁ ଦେଇଥିଲେ ।
: ଏ ବାବୁ ଶୁଣିଲ?
ତାଙ୍କ ଡାକ ଶୁଣି ଦୋକାନର ଲୋକଟି ବୁଲିପଡ଼ିଲା । ମୁଣ୍ଡରେ ଗାନ୍ଧିଟୋପି ସତ୍ତେ୍ୱ ନରେନ୍ଦ୍ର ପ୍ରସାଦଙ୍କୁ ଚିହ୍ନିବାଲାଗି ସମସ୍ୟା ହେଲା ନାହିଁ ଯେ ସେ ହେଉଛି ସନ୍ତୋଷ ମାଝୀ ।
ସନ୍ତୋଷ ମାଝୀ ଦୋକାନରେ ଥିବା ଆରପିଲାଟିକୁ ଦାୟିତ୍ୱ ଦେଇ ବାହାରକୁ ଆସିବାକୁ ବାହାରୁଥିଲା । ଜଣେ ଗ୍ରାହକ ପଚାରିଲେ, ସେଇ ଛତାଟିର ବିଶେଷତ୍ୱ କ’ଣ?
ପ୍ରଗଳଭ ଭଳି ସନ୍ତୋଷ କହିଲା, “୧୯୩୪ରେ ଗାନ୍ଧି ଓଡ଼ିଶା ଆସିଥିବାବେଳେ ଏଇ ଛତାଟିରେ ତାଙ୍କୁ କଟକ ଷ୍ଟେସନରୁ ବିଦ୍ୟାଧରପୁର ପର୍ଯ୍ୟନ୍ତ ନେଇଯାଇଥିଲେ ଆଚାର୍ଯ୍ୟ ହରିହର । ସେତେବେଳେ ଟୋପେ ଟୋପେ ବର୍ଷା ହେଉଥିଲା । ବର୍ଷା ଛାଡ଼ିଗଲା ପରେ ଗାନ୍ଧୀ କହିଲେ, “ହରିହର, ଏ ଛତାଟି ତୁମେ ରଖ ।’ ଶେଷ ପର୍ଯ୍ୟନ୍ତ ଆଚାର୍ଯ୍ୟ ହରିହର ଛତାଟିକୁ ରଖିଥିଲେ । ତାଙ୍କର ଦେହାନ୍ତ ପରେ ଆମେ ତାହା ସଂଗ୍ରହ କରିଛୁ । ଅତି ପବିତ୍ର ଏ ଛତା । ମୂଲ୍ୟ ମାତ୍ର ତିନିହଜାର ଟଙ୍କା!”
ନରେନ୍ଦ୍ର ପ୍ରସାଦ ନିଜର କାନକୁ ବିଶ୍ୱାସ କରିପାରୁ ନ ଥିଲେ । ସେ ଏଥର ବଡ଼ ପାଟିରେ ଡାକିଲେ, “ସନ୍ତୋଷ!”
ସନ୍ତୋଷ ତରବର ହୋଇ ବାହାରକୁ ଆସୁ ଆସୁ ଗ୍ରାହକଙ୍କୁ କହୁଥିଲା, “ଆପଣ ଦେଖୁଥାଆନ୍ତୁ, ମୁଁ ଟିକେ ସାରଙ୍କ ସହ କଥା ହୋଇ ଆସୁଛି ।”
ବିନା ଗୌରଚନ୍ଦ୍ରିକାରେ ନରେନ୍ଦ୍ର ପ୍ରସାଦ ପଚାରିଲେ, “ଇଏ ତୁମେ କଅଣ କରୁଛ?”
ସନ୍ତୋଷ ମାଝୀ କହିଲା, “ସାର, ମୋତେ ଦୋଷ ଦିଅନ୍ତୁ ନାହିଁ । ମୁଁ ଏ ରାଜଧାନୀ ସାରା ଘୂରି ଘୂରି ଏଇ ସିଦ୍ଧାନ୍ତରେ ପହଞ୍ଚିଲି ଯେ ଏଠି ଲୋକଙ୍କୁ କାହାଣୀ ଦରକାର । ସେମାନେ ଅନ୍ୟ କିଛି ଲୋଡ଼ନ୍ତି ନାହିଁ । ଆପଣ କହିପାରିବେ, ପ୍ଲାଟଫର୍ମରେ ମୋର ସେ ପୁରୁଣା ବେପାର କାହିଁକି ଭଲ ଚାଲୁଥିଲା? ଯୋଉ ଲୋକମାନେ ଟଙ୍କାଏ, ଆଠଟା ଦେବାକୁ କୁଣ୍ଠା କରନ୍ତି, ସେମାନେ କାହିଁକି ମୋତେ ଶହେ, ଦିଇଶହ ଦେଇ ଯାଉଥିଲେ ।”
: କାହିଁକି?
: ପ୍ରକୃତରେ ସବୁ ମଣିଷ ଚାହାନ୍ତି, ସେମାନେ ଅନ୍ୟଠାରୁ ଭଲରେ ଅଛନ୍ତି, ଏଇ ଧାରଣା ତାଙ୍କୁ କେହି ଦେଉ । ସେଥିପାଇଁ ସେମାନେ ଯେତେବେଳେ ଅନ୍ୟ କାହାକୁ ପଚାରନ୍ତି, “କେମିତି ଅଛ?” ପ୍ରକୃତରେ ସେତେବେଳେ ଉତ୍ତରରେ ଶୁଣିବାକୁ ଚାହାନ୍ତି, “ଭଲ ନାହିଁ ।” ଅପର ଲୋକଟି ଖରାପରେ ଥିବାର ଖବର ତାଙ୍କୁ ଖୁସି କରେ । ତେଣୁ ମୁଁ ମୋ କଥାକୁ ବହୁତ କରୁଣ କରି କହେ । ସେଥିପାଇଁ ସେମାନେ ମୋତେ ଟଙ୍କା ଦିଅନ୍ତି ।
ନରେନ୍ଦ୍ର ପ୍ରସାଦ ଚମକି ପଡ଼ିଲେ । ଲୋକଟା କ’ଣ ମନସ୍ତତ୍ତ୍ୱବିଜ୍ଞାନୀ? ସେ କହିଲେ, “କିନ୍ତୁ, ତାହାବୋଲି ତୁମେ ଗୋଟେ ମାମୁଲି ଛତାଟାକୁ ନେଇ ମହାତ୍ମା ଗାନ୍ଧିଙ୍କ ପାଖରେ ପହଞ୍ଚାଇ ଦେଲଣି।”
: ସାର, ଏ ପୃଥିବୀର କୌଣସି ଜିନିଷ ଅର୍ଥହୀନ, ଫାଲତୁ ନୁହେଁ । ଯାହାକୁ ନିର୍ବୋଧମାନେ ଅର୍ଥହୀନ ଭାବନ୍ତି, ତାହାକୁ ବୁଦ୍ଧିମାନମାନେ ନୂଆ କାହାଣୀ ଯୋଡ଼ି ଅମୂଲ୍ୟ କରିଦିଅନ୍ତି । ଆପଣ ତ କହିଥିଲେ, ମଣିଷର ବିଶ୍ୱାସ ଗୋଟେ ବହୁତ ବଡ଼ କଥା । ସେଇ ବିଶ୍ୱାସକୁ ଚିଆଁଇ ପାରିଲେ, ଯେକୌଣସି ଜିନିଷ ମୂଲ୍ୟବାନ ହୋଇପାରିବ ।
: ତୁମେ ଯାହା କରୁଛ, କୋଉଦିନ ବନ୍ଧାହୋଇ ମାମୁଘରକୁ ଯିବ ।
: ସେଇ ଭୟଟା ଆପଣଙ୍କୁ ଛାଡ଼ିବ ନାହିଁ ଦେଖୁଛି । ସତୁରି ବର୍ଷ ହେଲା ଶହ ଶହ ନେତା ଏମିତି କଥା ସାଧାରଣ ଲୋକଙ୍କୁ କହି, ମୂଲ୍ୟହୀନ ଜିନିଷକୁ ମୂଲ୍ୟବାନ ଦେଖାଇ ଆମକୁ ଶାସନ କରୁଛନ୍ତି, ସେମାନଙ୍କୁ କେହି ମାମୁଘରକୁ ନେଉନାହିଁ, ମୋତେ କାହିଁକି ନେବେ? କାହା ପାଖରେ ପ୍ରମାଣ ଅଛି କହୁ, ଏଇ ଛତାଟି ଗାନ୍ଧି ବ୍ୟବହାର କରି ନ ଥିଲେ!
ସନ୍ତୋଷ ମାଝୀ ସାଙ୍ଗେ ଯୁକ୍ତି କରିବା ବୃଥା ବୋଲି ନରେନ୍ଦ୍ର ପ୍ରସାଦ ଜାଣୁଥିଲେ । ତାହାର ଉଦ୍ଭଟ କଥାର ଉତ୍ତର ଦେବା ପାଇଁ ଆଗ୍ରହ ହେଉ ନ ଥିଲା ତାଙ୍କର ।
ସନ୍ତୋଷ ମାଝୀ କହିଲା, “ମୁଁ ଅନୁଭବ କରିଛି, ମୋର ସାମର୍ଥ୍ୟ ମୋର କଥା । ମୋର ପ୍ରୟୋଜନ ଅପର ଲୋକର ବିଶ୍ୱାସ । ଆପଣ ମୋତେ ପସନ୍ଦ କରୁନାହାନ୍ତି, ସେଇଟା ଅଲଗା କଥା । ମାତ୍ର ଏ ଦୁନିଆରେ ଆହୁରି ବହୁତ ଲୋକ ଅଛନ୍ତି ।”
Comments are closed.