ଜେପି: ବୈଚାରିକ ବିବର୍ତ୍ତନ
ଦତ୍ତାତ୍ରେୟ ନାୟକ
ଦ୍ୱନ୍ଦ ନା ବୈଚାରିକ ବିବର୍ତ୍ତନ । ଜୟପ୍ରକାଶ ନାରାୟଣଙ୍କ ରାଜନୀତିକ ଜୀବନକୁ ନେଇ ତର୍ଜମା କରୁଥିବା ଇତିହାସକାରଙ୍କ ମୁଣ୍ଡରେ ଏହି ପ୍ରଶ୍ନ ଏବେ ମଧ୍ୟ ଝୁଲିଛି । ପ୍ରଶ୍ନର ଯଥାର୍ଥତା ମଧ୍ୟ ଅନେକ । ସମାଜବାଦୀ ଚିନ୍ତାଧାରା ପାଇଁ ଅହରହ ପ୍ରୟାସ କରୁଥିବା ଏକ ବ୍ୟକ୍ତି ହଠାତ ବିନୋବା ଭାବେଙ୍କ ଭୂଦାନ ଆନେ୍ଦାଳନକୁ ସମର୍ଥନ କରିଯିବା ରାଜନୀତିକ ସମାଲୋଚକଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ୱାଭାବିକ କଥା । ତେବେ ଜେପିଙ୍କ ଜୀବନଯାତ୍ରାକୁ ଚୁପୁଡ଼ିଥିବା ଲୋକଙ୍କ ପାଖରେ ଏହାର ବାସ୍ତବ ଉତ୍ତର ଏକଦମ ସ୍ପଷ୍ଟ । ଜେପିଙ୍କ ରାଜନୀତିକ ଜୀବନରେ ଦ୍ୱନ୍ଦ ଥିଲା ସେଥିପାଇଁ ହିଁ ବୈଚାରିକ ବିବର୍ତ୍ତନ ସମ୍ଭବ ହୋଇପାରିଥିଲା । ସରଳ ଭାଷାରେ ବୁଝିଲେ ଜେପି ଏଭଳି ଜଣେ ବ୍ୟକ୍ତି ଥିଲେ ଯାହାଙ୍କ ସମ୍ପର୍କ କେବଳ ତର୍କ ସହ ଥିଲା । ଆଜିକାର ବିଚାରଧାରାର ପୂଜାରୀଙ୍କ ଭଳି ଅନ୍ଧ ହୋଇ ନିଷ୍ପତ୍ତି ନେଉନଥିଲେ । ଜେପିଙ୍କୁ ଭାରତୀୟ ରାଜନୀତି ଜଗତର ସବୁଠାରୁ ଅସ୍ଥିର ବ୍ୟକ୍ତି ବୋଲି ମଧ୍ୟ ଚିତ୍ରଣ କରାଯାଏ । ଜେପିଙ୍କୁ ପଢ଼ିଥିବା ଲୋକ ଏହାକୁ ଗ୍ରହଣ କରିବାରେ କୁଣ୍ଠାବୋଧ କରିବାର ପ୍ରଶ୍ନ ଉଠୁନି । ହେଲେ ତାଙ୍କ ରାଜନୀତିକ ଯାତ୍ରା ଏତେ ଅସ୍ଥିର ବୋଲି କୁହାଯାଏ କାହିଁକି? ଉତ୍ତର ଖୋଜିଲେ, ତାଙ୍କ ଜୀବନୀ ଉପରେ ନଜର ଦେବାକୁ ପଡ଼ିବ ।
୧୯୨୨ରେ ଶିକ୍ଷା ପାଇଁ କାଲିଫର୍ଣ୍ଣିଆ ଗସ୍ତ କରିବା ବେଳେ ତାଙ୍କୁ ଶ୍ରମିକ ଭାବେ କାମ କରିବାକୁ ପଡ଼ିଥିଲା । ସେଇଠୁ ଜନ୍ମ ହୋଇଥିଲା କାର୍ଲମାର୍କ୍ସଙ୍କ ବିଚାରଧାରର ମୂଳଦୁଆ । ଜୟପ୍ରକାଶଙ୍କ ଜୀବନ ଏକ ସାମ୍ୟବାଦୀ ନେତା ଭାବେ ଜନ୍ମ ହେବା ପଛର ସବୁଠାରୁ ବଡ଼ କାରଣ ଏହା ହିଁ ଥିଲା । ନିଜେ ମୂଲିଆ ଭାବେ କାମ କରି ମୂଲିଆଙ୍କ ଦୁଃଖ ବୁଝିଥିଲେ । ପରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପାଇଁ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ହେଲେ ଦଳରେ ଗାନ୍ଧୀଙ୍କ ସହ ବୈଚାରିକ ବିରୋଧ ଥିଲା । ନିହାତି ସାମ୍ୟବାଦୀ ମଣିଷ ଗାନ୍ଧୀଙ୍କୁ ବିରୋଧ କରିବା ସ୍ୱାଭାବିକ କଥା ମାତ୍ର । ହେଲେ ସେ ଅନ୍ଧ ଭାବେ ବିଚାରକୁ ଜାବୁଡ଼ି ଧରି ଗାନ୍ଧୀ ବିରୋଧୀ ହେବାକୁ ପସନ୍ଧ କରିନଥିଲେ । ସେତେବେଳର ପ୍ରାସଙ୍ଗିକତାକୁ ଭଲରେ ବୁଝିଥିଲେ ସେ । ଅବଶ୍ୟ କଂଗ୍ରେସ ଭିତରେ ଥିବା ରାମମନୋହର ଲୋହ୍ୟାଙ୍କ ଭଳି ସାମ୍ୟବାଦୀ ବିଚାରଧାରର ମଣିଷଙ୍କ ପ୍ରତି ଢ଼ଳିବା ତାଙ୍କ ପାଇଁ ସହଜସାଧ୍ୟ ଥିଲା । ହେଲେ ବିଚାରଗତ ବିରୋଧାଭାଷ ସତ୍ତେ୍ୱ କେବେ ମଧ୍ୟ କଂଗ୍ରେସ ମଧ୍ୟରେ ବିରୋଧୀ ହେବାର ପ୍ରୟାସ କରିନାହାନ୍ତି । ହେଲେ ଜେପିଙ୍କ ବିବର୍ତ୍ତନ ପୁନଶ୍ଚ ହେଲା । ଜେବି କ୍ରିପଲାନିଙ୍କ କାନ୍ଧରୁ ହାତ କାଢ଼ି ହଠାତ ବିନୋବା ଭାବେଙ୍କ ଭୂଦାନ ଆନେ୍ଦାଳନରେ ଯୋଗଦେଲେ । ସେତେବେଳେ ସେହି ଏକା ପ୍ରଶ୍ନ ଉଠିଲା । ସେ କୁହନ୍ତି ସମାଜର ଆବଶ୍ୟକତା ଆଗରେ ବ୍ୟକ୍ତି ଚିନ୍ତାଧାରା ହାର ମାନିବା ଉଚିତ । ନହେଲେ ଲୋକତନ୍ତ୍ର କେବଳ ଏକ ଶଦ୍ଧ ହୋଇ ବଞ୍ଚିରହିବ । ଜେପି ପରିସ୍ଥିତକୁ ନେଇ ରାଜନୀତି କରିବାରେ ଦୃଢ଼ ଭାବେ ବିଶ୍ୱାସ କରୁଥିବା ମଣିଷ ଥିଲେ । ଦେଶର ଜରୁରିକାଳୀନ ପରିସ୍ଥିତି ସମୟରେ ନବ ନିର୍ମାଣ ଆନେ୍ଦାଳନର ନାୟକ ଭାବେ ପରିଚିତ ଜେପିଙ୍କ ବିଚାରଧାରା କେବେଠାରୁ ମରିଗଲାଣି । ଏବେ ତ ବିଚାରାଧାରର ବିଜୟ ବଡ଼ କଥା । ଦେଶକୁ କିଏ ପଚାରେ । ବାମପନ୍ଥୀ ଆଉ ଦକ୍ଷିଣପନ୍ଥୀଙ୍କ ଟଣା ଓଟରା ଭିତରେ ଜେପିଙ୍କ ବିଚାରଧାରା ହଜିଗଲାଣି ।
ଦଳବିହୀନ ରାଜନୀତିର କଥା କହୁଥିବା ମଣିଷ ଦିନ ଦଳ ସହ ଜୋଡ଼ିହେବା ଉପରେ ଜୋର ଦେଲେ ବ୍ୟକ୍ତିତ୍ୱର ପ୍ରାସଙ୍ଗିକତା କମେ । ହେଲେ ଜେପିଙ୍କ କ୍ଷେତ୍ରରେ ଏଭଳି ହୋଇନାହିଁ । ଗାନ୍ଧୀଙ୍କ ପରେ ଜେପି ବୋଧେ ଏକମାତ୍ର ବ୍ୟକ୍ତି ଯେ ଗହଳିକୁ ସମ୍ଭାଳିବା ଶିଖିଥିଲେ । ଆଜିକାଲି କା ରାଜନୀତିରେ ଯାହା ଏକ ଅସମ୍ଭବ ବ୍ୟାପାର । ଆନ୍ଦୋଳନ ଆଉ ବିକ୍ଷୋଭକୁ ସମ୍ଭାଳିବାର କ୍ଷମତା କେତେ ଜଣଙ୍କ ମଧ୍ୟରେ ଅଛି ଭାବି ଦେଖନ୍ତୁ ତ! ସେ ୧୯୪୨ର ଭାରତଛାଡ଼ ଆନ୍ଦୋଳନ ହେଉ କିମ୍ବା ଇନ୍ଦୀରାଙ୍କ ବିରୋଧରେ ଲୋକତନ୍ତ୍ର ବଞ୍ଚାଅ ଅଭିଯାନ, ଗହଳି ସମ୍ଭାଳିବାର ଯେଉଁ ପାରିଦର୍ଶିତା ତାଙ୍କ ପାଖରେ ଥିଲା ତାହା ଏବେକା ନେତାଙ୍କ ମଧ୍ୟରେ କାଣିଚିଏ ନାହିଁ । ଭାରତୀୟ ଇତିହାସରେ ଗାନ୍ଧୀ ବ୍ୟତୀତ ଏଭଳି କୌଣସି ବ୍ୟକ୍ତି ନାହାନ୍ତି ଯିଏ ଜଣେ ଆନ୍ଦୋଳନକାରୀ ଭାବେ ଏତେ ଦକ୍ଷ । ସେ ହିଁ ୨ୟ ବ୍ୟକ୍ତି ଯାହାଙ୍କର ପ୍ରଚେଷ୍ଟା ବ୍ୟବସସ୍କୁ ପରିବର୍ତ୍ତନ କରିବାରେ ଥିଲା । ସେ ସବୁବେଳେ ତିନୋଟି କ୍ଷେତ୍ରରେ ସଂସ୍କାର କଥା କହୁଥିଲେ । ତାହା ଥିଲା- ପାର୍ଲାମେଣ୍ଟ, ପ୍ରପୋଟି ଆଉ ପାର୍ଟି । ତାଙ୍କ ବିଚାରରେ ଏହି ତିନୋଟି ଉପରେ ସେତେବେଳେ ପର୍ଯ୍ୟନ୍ତ ବିଚାରବିମର୍ଷ ହେବାର ଆବଶ୍ୟକତା ଥିଲା ଯେ ପର୍ଯ୍ୟନ୍ତ ଏକ ନୂଆ ବିକଳ୍ପ ଠିଆ ନ ହୋଇଛି । ସେସବୁ ଏବେ ସ୍ୱପ୍ନ । ହେଲେ ଜେପିଙ୍କୁ ନେଇ ରାଜନୀତି ଏବେ ମଧ୍ୟ ସତେଜ ଆଉ ସକ୍ରିୟ । ଜେପିଙ୍କ ରାଜନୀତିକ ଉତ୍ତର ଅଧିକାରୀ ହେବା ପାଇଁ ଏବେ ମଧ୍ୟ ବିହାରରେ ଲାଲୁ-ନିତିଶ ଲଢେ଼ଇ ତୁଟିନି । ବିଜେପିର ମଧ୍ୟ ଜେପିଙ୍କୁ ନିଜର ବୋଲି କୁହେ । ହେଲେ କେହି ଜଣିଏ ନାହିଁ ଯେ ଜେପିଙ୍କୁ ନା ଚିହ୍ନିଲେ ନା ଜାଣିଲେ ।
ତେବେ ଜେପିଙ୍କ ସମୟର ନେତାମାନେ ଜେପିଙ୍କ ବ୍ୟକ୍ତିତ୍ୱ ତର୍ଜମା କରି କୁହନ୍ତି, ହଁ ଜେପି ଦ୍ୱନ୍ଧରେ ଥିଲେ । ମାତ୍ର ଏକଥା ମଧ୍ୟ ସତ ଯେ ଦ୍ୱନ୍ଦ ହିଁ ମଣିଷ ଭିତରେ ବୈଚାରିକ ବିବର୍ତ୍ତନ ଆଣେ । ଜେପି ଏକ ବିବର୍ତ୍ତନ ଯିଏ ସମୟ ସହ ତାଳ ଦେଇ ବିଚାରଗତ ରାଜନୀତିର ବାସ୍ତବ ସଂଜ୍ଞା ନିରୂପଣ କରିଛନ୍ତି । ପ୍ରମାଣ କରିଛନ୍ତି ରାଜନୀତିରେ ପ୍ରସଙ୍ଗ ଓ ସମୟକୁ ନେଇ ନିଷ୍ପତ୍ତି ହେବା ଦରକାର । ଚିନ୍ତାଧାରାକୁ ଜାବୁଡି ଧରିଲେ ଲୋକତନ୍ତ୍ର ବାଟବଣା ହୁଏ ।
Comments are closed.