ରାଜକୋଟ: ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟରେ ଭାରତର ସର୍ଫରାଜ ଖାଁ ପଦାର୍ପଣ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସର୍ଫରାଜଙ୍କ ଏହି ସଫଳତା ପଛରେ ତାଙ୍କ ବାପା ନୈଶାଦ ଖାଁଙ୍କ ଗୁରୁମନ୍ତ୍ର ବେଶ କାମ ଦେଇଛି । ସେ ସର୍ଫରାଜଙ୍କୁ ୧୫ ବର୍ଷ କାଳ ପ୍ରତ୍ୟେକ ଦିନ ୫୦୦ ବଲ ଅଭ୍ୟାସ କରିବା ପାଇଁ କହିଥିଲେ । ୨୬ ବର୍ଷୀୟ ଏହି କ୍ରିକେଟର କ୍ରମାଗତ ୨ଟି ଅର୍ଦ୍ଧଶତକ ମାରି ନିଜ ଦକ୍ଷତା ପ୍ରତିପାଦିତ କରି ପାରିଛନ୍ତି । ଘରୋଇ କ୍ରିକେଟରେ କ୍ରମାଗତ ଭାବେ ରନ କରିବା ଯୋଗୁ ଚୟନ କମିଟିଙ୍କୁ ଭାରତୀୟ ଦଳରେ ନ ନେବା ବ୍ୟତୀତ କିଛି ବିକଳ୍ପ ନ ଥିଲା । କରୋନା ମହାମାରୀ ସମୟରେ ସେ କଠିନ ପରିଶ୍ରମ କରୁଥିଲେ । ପ୍ରତ୍ୟେକ ଦିନ ଅଫ, ଲେଗ ଓ ବାମହାତୀ ସ୍ପିନରଙ୍କ ୫୦୦ ବଲ ସାମ୍ନା କରିଥାନ୍ତି ।
୧୬୦୦ କିଲୋମିଟର କାରରେ ଯାତ୍ରା କରି ଅମରୋହ, ମୁରାଦବାଦ, ମେରଠ, କାନପୁର, ମଥୁରା ଓ ଡେରାଡୁନରେ ମଧ୍ୟ ଅଭ୍ୟାସ କରୁଥିଲେ । ଯେଉଁ ପିଚରେ ବଲ ଭଲ ଟର୍ଣ୍ଣ କରୁଥିବା ଶୁଣିବାକୁ ପାଉଥିଲେ ସେଠାରେ ଅଭ୍ୟାସ ପାଇଁ ସେ ପଂହଚି ଯାଉଥିଲେ । ସର୍ଫରାଜଙ୍କ ସଫଳତା ପଛରେ କେବଳ ନୈଶାଦଙ୍କ ହାତ ରହିଛି କହିଲେ ଭୁଲ ହେବ । ସଞ୍ଜୟ ରସ୍ତୋଗୀ, ବଦରୁଦ୍ଦିନ ଶେଖ, କପିଳ ଦେବ ପାଣ୍ଡେ, ସଞ୍ଜୟ ଭରଦ୍ୱାଜ ଓ ଆରପି ଈଶ୍ୱରନଙ୍କ ନିକଟରୁ ମଧ୍ୟ ସେ ପ୍ରଶିକ୍ଷଣ ନେଇଛନ୍ତି । ଏହା ବ୍ୟତୀତ ସେ ଘରେ ଆଷ୍ଟ୍ରୋ ଟର୍ଫ ପିଚ ମଧ୍ୟ ପ୍ରସ୍ତୁତ କରିଥିଲେ । ସେଠାରେ ବି ଖାଲି ସମୟରେ ଅଭ୍ୟାସ କରୁଥିଲେ ।
Comments are closed.