ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କଙ୍କରେଇସ୍ଥିତ ଏମସିଏଲର ସୁଭଦ୍ରା ଅଞ୍ଚଳରେ ଆଜି ଶିଳାନ୍ୟାସ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ତାଳଚେରରେ ପାଠପଢାର ପରମ୍ପରାକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ବିକଶିତ ଭାରତରେ ଯୋଡିବା ପାଇଁ ଭଲ ପାଠ ପଢାଇବା, ଦକ୍ଷତା ବୃଦ୍ଧି କରାଇବା ସହ ଧନୀ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।
ଏହି କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ଭୂମିପଜନ କରିବା ସହ ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳରେ ଗୁଣାତ୍ମକ ଶିକ୍ଷାର ବିକାଶକୁ ପ୍ରଧାନ୍ୟ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କୋଲ୍ ଇଣ୍ଡିଆ ଓ ଏମସିଏଲକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଅନୁଗୋଳ ଜିଲ୍ଲାରେ ପାଠ ପଢିବାର ପରମ୍ପରା ପୂର୍ବରୁ ରହିଆସିଛି। ଏମଏସଏଲର ସିଏସଆର ପ୍ରକଳ୍ପ ଅଧୀନରେ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଏହି ଅଞ୍ଚଳରେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବ । ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ମୌଳିକ ଆବଶ୍ୟକତାକୁ ପୂରଣ କରିବ। ଏଠାରେ ପାଠ ପଢୁଥିବା ପିଲାମାନେ ବିକଶିତ ଭାରତର ସୈନିକ ହେବେ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି ଓ ଖଣି କ୍ଷେତ୍ରରେ ସଂସ୍କାର କାରଣରୁ ଅନୁଗୋଳ ଜିଲ୍ଲା ଓଡ଼ିଶାର ରାଜକୋଷକୁ ବାର୍ଷିକ ୬୦ ହଜାର କୋଟି ଟଙ୍କା ଦେଉଛି । ସଠିକ୍ ଯୋଜନା ହେଲେ ଏହି ଅଞ୍ଚଳର ଅଧିକାଂଶ ପିଲାମାନେ ବୈଜ୍ଞାନିକ ହେବା ସହ ଇଞ୍ଜିନିୟର ହେବେ । ଏ ଜିଲ୍ଲାର ପିଲାମାନେ ଜିନ୍ଦଲଠୁ ବଡ କାରଖାନା ନିର୍ମାଣ କରି, ଏ ବିଶ୍ୱାସ ମୋର ଅଛି।
ତାଳଚେରରେ ଏବେ ୧୦୦ ମିଲିୟନ ଟନ କୋଇଲା ଉତ୍ପାଦନ ହେଉଛି । ଆଗାମୀ ଦିନରେ ବେସରକାରୀ ମାଇନିଂ, ମର୍ଚାଣ୍ଟ ମାଇନିଂ, କୋଲ୍ ଇଣ୍ଡିଆ ମାଇନିଂ ତଥା ଭାରତ ସରକାରଙ୍କ ଅନ୍ୟାନ୍ୟ କମ୍ପାନୀକୁ ମିଶାଇଲେ ଏହି ଅଞ୍ଚଳରେ ୨୫୦ ମିଲିୟନ ଟନ କୋଇଲା ଉତ୍ପାଦନ ହେବ । ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଏମ, ବମ୍ବେ ଓ ଆଇଆଇଏମ ସମ୍ବଲପୁରର ମିଳିତ ଉଦ୍ୟମରେ ପ୍ରାରମ୍ଭିକ ପ୍ରାରମ୍ଭିକ ପର୍ଯ୍ୟାୟରେ ଲଜିଷ୍ଟିକ୍ସ କ୍ଷେତ୍ରରେ ଏମବିଏ ଡିଗ୍ରୀ ଦେବା ପାଇଁ ଗୋଟିଏ ବିଶ୍ୱବିଦ୍ୟାଳୟ ସ୍ତରର ଅତ୍ୟାଧୁନିକ କେନ୍ଦ୍ର କରିବା ପାଇଁ ଯୋଜନା କରିବାକୁ ପରାମର୍ଶ ଦେଇଥିଲେ । ଅନୁଗୋଳ ଜିଲ୍ଲାରେ ଆଇଆଇଏମ ପ୍ରତିଷ୍ଠା କରିବା ପାଇଁ ଯୋଜନା ହେବା କଥା ସେ କହିଥିଲେ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଛେଣ୍ଡିପଦାରେ ଜିନ୍ଦଲ ଭଳି ଅତ୍ୟାଧୁନିକ କାରଖାନା ଉଠିଛି । ଆଗାମୀ ଦିନରେ ଏହାର ଉତ୍ପାଦନ କରିବାର କ୍ଷମତା ୪ ଗୁଣା ବୃଦ୍ଧି ପାଇବ। ଛେଣ୍ଡିପଦା ବ୍ଲକରେ ଆହୁରି ୪ଟି କମ୍ପାନୀର କାମ ଆରମ୍ଭ ହେବ, ଯାହାର ରେଫରେନ୍ସ ପଏଣ୍ଟ ସୁଭଦ୍ରା ହେବ। ଏଠାରେ ଲୋକମାନଙ୍କର ଅପେକ୍ଷା ଅଛି କୋଇଲା କମ୍ପାନୀମାନେ ସେମାନଙ୍କ ଜମି ନିଅନ୍ତୁ ପଛେ କିନ୍ତୁ ସେମାନଙ୍କୁ ସେମାନଙ୍କର ଅଧିକାର ବା ସୁବିଧା ମିଳୁ । କୋଇଲା କମ୍ପାନୀମାନେ ମିଳିତ ଉଦ୍ୟମରେ ପାରଦର୍ଶୀତା ଉପାୟରେ ସ୍ଥାନୀୟ ଲୋକଙ୍କ ଦାୟିତ୍ୱ ନିଅନ୍ତୁ। କୋଇଲା କମ୍ପାନୀ ଗୁଡିକ ନାଗରିକଙ୍କ ମଧ୍ୟରେ ସହଯୋଗର ସେତୁ ହୋଇ ଅଞ୍ଚଳର ବିକାଶ କରନ୍ତୁ । ଉଲ୍ଲେଖନୀୟ ଯେ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଡି ହୋଇ ନିଜର ମତ ରଖିଥିଲେ।
Comments are closed.