ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରରେ ୨୫ ଅକ୍ଟୋବରର ତାରିଖଟି ବେଶ ମହତ୍ତ୍ୱ ରଖେ। ଏହି ଦିନ ୧୯୫୧ ମସିହାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯେତେବେଳେ ହିମାଚଳ ପ୍ରଦେଶର ଚିନିରେ ପ୍ରଥମ ଭୋଟ୍ ଦିଆଯାଇଥିଲା। ୨୫ ଅକ୍ଟୋବର ୧୯୫୧ ରୁ ୨୧ ଫେବୃଆରୀ ୧୯୫୨ ପର୍ଯ୍ୟନ୍ତ ପ୍ରାୟ ଚାରିମାସ ଧରି ଚାଲିଥିବା ସେହି ନିର୍ବାଚନ ପ୍ରକ୍ରିୟା ଭାରତକୁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଥିଲା। ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ପ୍ରଥମ ଲୋକସଭା ନିର୍ବାଚନରେ ପ୍ରତ୍ୟେକ ଭୋଟରଙ୍କ ପିଛା ଖର୍ଚ୍ଚ ମାତ୍ର ୬୦ପଇସା ଥିଲା, ଯାହା ୨୦୧୯ ନିର୍ବାଚନରେ ପ୍ରାୟ ୭୨ ଟଙ୍କାକୁ ବୃଦ୍ଧି ପାଇଥିଲା।
ସମସ୍ତେ ଜାଣନ୍ତି ଯେ ୧୫ ଅଗଷ୍ଟ ୧୯୪୭ରେ ଭାରତ ସ୍ୱାଧୀନତା ଲାଭ କରିଥିଲା। ୨୬ ଜାନୁୟାରୀ ୧୯୫୦ରେ ଭାରତ ଏକ ଗଣତନ୍ତ୍ର ହେଲା। କିନ୍ତୁ ୧୯୫୧-୫୨ରେ ପ୍ରଥମ ସାଧାରଣ ନିର୍ବାଚନ କିପରି ହୋଇଥିଲା ଏବଂ ଭୋଟ୍ କିପରି ହେଲା ତାହା ଖୁବ୍ କମ୍ ଲୋକ ଜାଣିଥିବେ। ପ୍ରଥମ ନିର୍ବାଚନରେ ଲୋକସଭାର ୪୯୭ଟି ଆସନ ଏବଂ ରାଜ୍ୟ ବିଧାନସଭା ଗୁଡ଼ିକର ୩୨୮୩ଟି ଆସନ ପାଇଁ ୧୭ କୋଟି ୩୨ ଲକ୍ଷ ୧୨ ହଜାର ୩୪୩ ପଞ୍ଜୀକୃତ ଭୋଟର ଥିଲେ। ମୋଟ ୬୮ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ସ୍ୱାଧୀନତା ସଂଗ୍ରାମ ହେତୁ କଂଗ୍ରେସର ନାମ ସାଧାରଣ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା। ଏହି କାରଣରୁ ୩୬୪ଟି ଆସନ ଜିତି କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଛି। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ୧୬ଟି ସିଟ୍ ଜିତି ଦ୍ୱିତୀୟ ବୃହତ୍ତମ ଦଳର ପରିଚୟ ପାଇଥିଲା।
ସେତେବେଳେ ଗୋଟିଏ ନିର୍ବାଚନମଣ୍ଡଳୀରେ ଗୋଟିଏରୁ ଅଧିକ ସିଟ୍ ରହିଥିଲା ତେଣୁ ୪୮୯ଟି ଆସନ ପାଇଁ କେବଳ ୪୦୧ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସିଷ୍ଟମ୍ ୧୯୬୦ରେ ସମାପ୍ତ ହେଲା। ସେଠାରେ ୩୧୪ଟି ଆସନ ବିଶିଷ୍ଟ ନିର୍ବାଚନମଣ୍ଡଳୀ ଥିଲା। ୮୬ଟି ନିର୍ବାଚନମଣ୍ଡଳୀରେ ଦୁଇଟି ସିଟ୍ ଏବଂ ଗୋଟିଏ ଅଞ୍ଚଳରେ ତିନୋଟି ସିଟ୍ ଥିଲା।
ପ୍ରଥମ ନିର୍ବାଚନରେ ୧୦.୫୯କୋଟି ଲୋକ ସେମାନଙ୍କର ନେତା ଚୟନ କରି ଇତିହାସ ସୃଷ୍ଟି କରିଥିଲେ। ଏହି ୧୦.୫୯ କୋଟି ମଧ୍ୟରୁ ପ୍ରାୟ ୮୫ ପ୍ରତିଶତ ଅଶିକ୍ଷିତ ଥିଲେ। ଅଶିକ୍ଷିତ ଭୋଟରଙ୍କୁ ଧ୍ୟାନରେ ରଖି ଦଳ ଏବଂ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ସଙ୍କେତ ବ୍ୟବସ୍ଥା କରାଯାଇଥିଲା। ସେହି ସମୟରେ ପ୍ରତ୍ୟେକ ଦଳ ପାଇଁ ଅଲଗା ବାଲାଟ ବାକ୍ସ ଥିଲା, ଯେଉଁଥିରେ ସେମାନଙ୍କ ଉପରେ ନିର୍ବାଚନ ସଙ୍କେତ ଥିଲା। ୨.୧୨ କୋଟି ଲୁହା ବାକ୍ସ ତିଆରି କରାଯାଇଥିଲା ଏବଂ ୬୨ କୋଟି ବାଲାଟ ପେପର ମୁଦ୍ରିତ ହୋଇଥିଲା।
Comments are closed.