ମୋଦିଙ୍କ ମାରାଥନ ପ୍ରଚାର: କହିଲେ ନବୀନ ବାବୁ ବିନା କାଗଜରେ କଣ୍ଟାବାଂଜିର ୧୦ଟି ଗାଁ ନାଁ କହିପାରିବେନି
ବଲାଙ୍ଗୀର: ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ପ୍ରଚାର । ଆଜି କନ୍ଧମାଳ ପରେ ବଲାଙ୍ଗୀରରେ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବଲାଙ୍ଗୀର ସଭାରେ ଆସୁ ଆସୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମୋଦି । ଏଠିକା ଲୋକଙ୍କ ଉତ୍ସାହ ଦେଖିଲେ ପରିବର୍ତ୍ତନ ନିଶ୍ଚିତ ଲାଗୁଛି କହିଲେ ମୋଦି । ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାନ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ଏଥର ଡବଲ ଇଂଜିନ ସରକାର ନିଶ୍ଚିତ ବୋଲି କହିଲେ ପ୍ରଧାନମନ୍ତ୍ରୀ । ବିଜେଡି ଗରିବୀ ଦୂର ପାଇଁ କିଛି କରିନାହିଁ ।
ଓଡ଼ିଆ କଳାସଂସ୍କୃତିର ସେବା କରୁଥିବା ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ ଦିଆଯାଇଛି । କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରକୁ ଜି-୨୦ର ସିମ୍ବଲ କରାଯାଇଥିଲା । ଆମ ସରକାର ପାଇକ ସଂଗ୍ରାମକୁ ସ୍ୱୀକୃତି ଦେଇ ଡାକଟିକେଟ କରିଛି । ବିଜେପି ଜଣେ ଆଦିବାସୀ ଝିଅକୁ ଦେଶର ରାଷ୍ଟ୍ରପତି ମଧ୍ୟ କରିଛି । ଓଡ଼ିଶାର ଲୋକ ବହୁତ ସ୍ବାଭିମାନୀ, ଅନ୍ୟାୟକୁ କେବେ ସହନ୍ତିନି । ଏବେ ଓଡ଼ିଶାର ମହାପୁରୁଷମାନେ ଓଡ଼ିଶାର ସ୍ଥିତି ଦେଖି କଣ କହୁଥିବେ । ଓଡ଼ିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି । ଓଡ଼ିଶାକୁ ଏହି ସଂକଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପ କରିଛି । ଜୁନ୍ ୪ ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଜୁନ୍ ୧୦ରେ ବିଜେପି ସରକାର ଶପଥ ନେବ, ଆପଣମାନଙ୍କୁ ନିମନ୍ତ୍ରଣ ରହିଲା ।
ଓଡ଼ିଶା ମାଟିରେ ଜନ୍ମିତ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବ, ଏହା ମୋଦି ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଧନୀ ଓଡ଼ିଶାର ଗରିବ ଲୋକ ଆଜି ଗରିବୀ ସହ ଯୁଝୁଛନ୍ତି । ଆପଣଙ୍କ ମୁଖ୍ୟମନ୍ତ୍ରୀ ଏଠାରେ ନିର୍ବାଚନ ଲଢ଼ିବାକୁ ଆସିଛନ୍ତି । ତାଙ୍କୁ ପୂରା ବାଜାବାଣ ବଜାଇ ଏଠାରୁ ବିଦା କରିଦିଅନ୍ତୁ । ଯଦି ନବୀନ ବାବୁ ଏଠାକୁ ପ୍ରଚାରରେ ଆସନ୍ତି,ତେବେ ତାଙ୍କୁ ବିନା କାଗଜରେ କଣ୍ଟାବାଂଜିର ୧୦ ଗାଁ ନାଁ ପଚାରିବେ । ନବୀନ ବାବୁ କଣ୍ଟାବାଂଜିର ୧୦ଟି ଗାଁ ନାଁ ବି କହିପାରିବେନି । କାରଣ ସେ ଆପଣଙ୍କ ସହ ନାହାନ୍ତି, ସେ ଆପଣଙ୍କ ଦୁଃଖ ବୁଝିପାରିବେନି । ସେଥିପାଇଁ ଧନୀ ଓଡ଼ିଶାର ଲୋକମାନେ ଆଜି ବି ଗରିବ । ଏଠିକାର ସରକାରକୁ ଆପଣଙ୍କର କୌଣସି ଚିନ୍ତା ନାହିଁ । ଏଭଳି ସରକାର ଯିବା ଉଚିତ କି ନାହିଁ, କୁହନ୍ତୁ । ଦାଦନ ସମସ୍ୟାରେ ଯୁଝୁଛି ଏବେ ବଲାଙ୍ଗୀର । ଦାଦନ ସମସ୍ୟା ଦୂର ପାଇଁ ବିଜେପି ସରକାରଙ୍କୁ ଭୋଟ୍ ଦିଅନ୍ତୁ । ବଲାଙ୍ଗୀର ସଭାରେ ଏହିଭଳି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ମୋଦି ।
Comments are closed.