ଭୁବନେଶ୍ଵର: ଦୋସା, ସାଉଥ ଇଣ୍ଡିଆନର ଏହି ଖାଦ୍ୟ ଏବେ ପୁରା ଦେଶର ପ୍ରମୁଖ ଖାଦ୍ୟ ଭିତରୁ ଏକ । ଦେଶର ପ୍ରତ୍ୟକ ଗଳିକନ୍ଦିରେ ଆପଣଙ୍କୁ ଦୋସା ଦୋକାନ ଦେଖିବାକୁ ମିଳେ । ତେବେ କଣ ଆପଣ ଜାଣନ୍ତି ଦୋସା ଦକ୍ଷିଣ ଭାରତର ପ୍ରସିଦ୍ଧ ଖାଦ୍ୟ କେମିତି ହେଲା? ତେବେ ଆସନ୍ତୁ ଜାଣିବା ଦୋସାର ଇତିହାସ ବିଷୟରେ…
ଏହାର ଲିଖିତ ଇତିହାସ ବିଷୟରେ କହିବାକୁ ଗଲେ, ଦୋସା ବିଷୟରେ ପ୍ରଥମ ଉଲ୍ଲେଖ ତାମିଲନାଡୁର ଅଷ୍ଟମ ଶତାବ୍ଦୀର ଅଭିଧାନରେ ମିଳିଥାଏ । ସେହିପରି କନ୍ନଡ ସାହିତ୍ୟରେ ଦୋସାର ପ୍ରଥମ ଉଲ୍ଲେଖର ଏକ ଶତାବ୍ଦୀ ପରେ ମିଳିଥାଏ । ଦଶମ ଶତାବ୍ଦୀରେ ଦୋସାକୁ କଞ୍ଜାମ କୁହାଯାଉଥିଲା । ଇତିହାସର ପୃଷ୍ଠାଗୁଡ଼ିକ ସହିତ ଏହି ଖାଦ୍ୟ ଦକ୍ଷିଣ ଭାରତର ଅନେକ ମନ୍ଦିରଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳେ । କୁହାଯାଏ ଯେ ତାମିଲନାଡୁର କେତେକ ମନ୍ଦିରରେ ଷୋଡଶ ଶତାବ୍ଦୀର ଅନେକ ଶିଳାଲେଖରେ ଦୋସା ବିଷୟରେ ଉଲ୍ଲେଖ କରାଯାଇଛି।
ତିରୁପତି, ଶ୍ରୀରଙ୍ଗମ ଏବଂ କାଞ୍ଚିପୁରମର ବିଷ୍ଣୁ ମନ୍ଦିରରେ ଥିବା ଶିଳାଲେଖଗୁଡ଼ିକରେ ଉଲ୍ଲେଖ କରାଯାଇଛି ଯେ, ସେହି ସମୟରେ ପ୍ରଭୁଙ୍କୁ ଦୋସା ପ୍ରସାଦ ସ୍ଵରୁପ ଅର୍ପଣ କରିବା ପାଇଁ ଟଙ୍କା ଦାନ କରିବାର ପ୍ରଥା ପ୍ରଚଳିତ ଥିଲା ଏବଂ ଏହାକୁ ଦୋସାପଦି ନାମରେ ଜଣାଯାଉଥିଲା । କେତେକ ଐତିହାସିକଙ୍କ ଅନୁସାରେ, ଦୋସା ବିଷୟରେ ପ୍ରଥମେ ପଞ୍ଚମ ଶତାବ୍ଦୀରେ ଜାଣିବାକୁ ମିଳିଥିଲା। ସେହି ସମୟରେ କର୍ଣ୍ଣାଟକର ଉଡ୍ଡପି ମନ୍ଦିର ଚାରିପାଖରେ ଥିବା ରାସ୍ତା ଦୋସା ପାଇଁ ଲୋକପ୍ରିୟ ଥିଲା।
ଦୋସା ଭିତରେ ସବୁଠାରୁ ପ୍ରିୟ ମସଲା ଦୋସା । ଯାହାର ଉତ୍ପତ୍ତି ମାଙ୍ଗାଲୋରରୁ ହୋଇଥିଲା । ଏହି ମସଲା ଦୋସା ବର୍ତ୍ତମାନ ସମଗ୍ର ଭାରତରେ ଲୋକପ୍ରିୟ ହୋଇପାରିଛି । ଏହା ଚାଉଳ, ଡ଼ାଲି, ଆଳୁ, ମେଥି ଏବଂ ଭୃସଙ୍ଗ ପତ୍ରରୁ ପ୍ରସ୍ତୁତ ହୋଇଥାଏ, ଏବଂ ଚଟଣି ଓ ସମ୍ବର ସହିତ ପରସା ଯାଇଥାଏ । ଯଦ୍ୟପି ଏହା କେବଳ ଦକ୍ଷିଣ-ଭାରତରେ ଲୋକପ୍ରିୟ ଥିଲା, କିନ୍ତୁ ଏବେ ଦେଶର ଅନ୍ୟ ସମସ୍ତ ଅଞ୍ଚଳରେ ମିଳୁଛି, ଏବଂ ବିଦେଶରେ ମଧ୍ୟ କେତେକ ସ୍ଥାନରେ ମିଳିଥାଏ । ତେବେ ଦକ୍ଷିଣ-ଭାରତରେ, ମସଲା ଦୋସାର ପ୍ରସ୍ତୁତି ପ୍ରତ୍ୟେକ ସହରରେ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । କହିରଖୁଛୁ ଯେମ ବିଶ୍ଵର ସବୁଠାରୁ ବଡ ଦୋସା ଅର୍ଥାତ୍ ୧୨୩ ଫୁଟର ଏକ ଦୋସା ପ୍ରସ୍ତୁତ କରି ଏମଟିଆର ଫୁଡ୍ସ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି ।
Comments are closed.