ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଦୃଢ଼ ଇଚ୍ଛା ଶକ୍ତି ଆଗରେ ବାଧା ବିଘ୍ନ ସବୁ ହାର ମାନନ୍ତି ଓ ସଫଳତାର ବାଟ ସହଜ ହୋଇଯାଏ । ଏଇ ଉକ୍ତି ପରି ଝାନ୍ସୀଙ୍କ ଦୃଢ଼ ଇଚ୍ଛା ଆଗରେ ସବୁ ବିଫଳତା ହାର ମାନିଲା । ତାଙ୍କ ପ୍ରୟାସ ତାଙ୍କୁ କେବଳ ସଫଳତାର ସ୍ୱାଦ ଚଖେଇଲା ନାହିଁ ବରଂ ଅନ୍ୟମାନଙ୍କ ପାଇଁ ଉଦାହରଣ ହେଲା ।
ବାରିପଦା ପୌର ପରିଷଦ ଗୌଡ଼ଡିହା ଅନ୍ତର୍ଗତ ଶାନ୍ତି ନଗରରେ ଝାନ୍ସୀ ଓ ତାଙ୍କ ପରିବାର ରହନ୍ତି । ଝାନ୍ସୀଙ୍କ ବାପା ବସ୍ ଚାଳକ ଭାବେ କାମ କରନ୍ତି । ଯେତିକି ରୋଜଗାର ହୁଏ ସେଥିରେ ପରିବାର ଭରଣପୋଷଣ କରିବା ସାଙ୍ଗକୁ ପିଲାମାନଙ୍କୁ ପାଠ ପଢ଼ାଇବା ତାଙ୍କ ପାଇଁ କଷ୍ଟକର ହେଉଥିଲା । ସେଥିପାଇଁ ଜଣେ ସମ୍ପର୍କୀୟଙ୍କ ସହଯୋଗରେ ସେ ଅଟୋଟିଏ କିଣିଲେ । ବାପାଙ୍କ ସହ ଅଟୋରେ ଯିବାବେଳେ କୌତୁହଳ ବଶତଃ ଝାନ୍ସୀ ଅଟୋ ଚଳାଇବା ଶିଖିଗଲେ । ପରେ ପରେ ଘରର ଆର୍ଥିକ ଅବସ୍ଥାକୁ ଦେଖି, ସେ ନିଜେ ନିୟମିତ ଅଟୋ ଚଳାଇବେ ବୋଲି ନିଷ୍ପତ୍ତି ନେଲେ ଝାନ୍ସୀ ଏବଂ +୨ ପ୍ରଥମ ବର୍ଷ ବଢ଼ୁଥିବା ବେଳେ ଅଟୋ ଚଳାଇବା ଆରମ୍ଭ କଲେ ଝାନ୍ସୀ ।
ଏଥିପାଇଁ ପ୍ରଥମେ ଝାନ୍ସୀଙ୍କୁ ଓ ତାଙ୍କ ବାପାମା’ଙ୍କୁ ବି ବହୁତ କଥା ଶୁଣିବାକୁ ମିଳିଲା। ଏପରିକି ତାଙ୍କ ସାଙ୍ଗମାନେ ମଧ୍ୟ ତାଙ୍କୁ ଅଲଗା ଦୃଷ୍ଟିରେ ଦେଖିଲେ। କିନ୍ତୁ ସେତେବେଳେ ପରିବାରର ପରିସ୍ଥିତି ଏଭଳି ଥିଲା ଯେ, ସ୍ୱର ଅଟୋ ଚଳାଇବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ପରେ ତାଙ୍କର ସାହସିକତାକୁ ସବୁ ମହଲରୁ ମିଳିଲା ସମର୍ଥନ । କଲେଜ ପଢ଼ା ସରିବା ପରେ ପ୍ରତ୍ୟହ ଅପରାହ୍ନରେ ଅଟୋ ଚଳାଇ ଦୈନିକ ପ୍ରାୟ ୨୦୦ଟଙ୍କା ରୋଜଗାର କରୁଥିଲେ ଝାନ୍ସୀ । ପୁରୁଷ କୈନ୍ଦ୍ରୀକ ସମାଜରେ ପାଠ ପଢ଼ିବା ସାଙ୍ଗକୁ ସେ ଅଟୋ ଚଳାଇ ଉଦାହରଣ ଦେଇଥିଲେ । ଝିଅଜନ୍ମକୁ ନେଇ ଏବେ ବି ସମାଜରେ ଭିନ୍ନ ଧାରଣା ଥିବା ବେଳେ ଅଦମ୍ୟ ଇଛାଶକ୍ତି ଆଗରେ ବେକାରି ଓ ଦାରିଦ୍ର୍ୟ ଯେ ହାର ମାନିଯାଏ, ସେ ଏକଥା ପ୍ରମାଣ କରିଛନ୍ତି ଝାନ୍ସୀ ।
Comments are closed.