Latest Odisha News

ଶ୍ରୀକ୍ଷେତ୍ରରେ ଆଜି ଭଉଁରୀ ତିଥିରେ ଶେଷ ହେଲା ଚକ ଅଖ ଡେରା ନୀତି

ପୁରୀ: ଆଜି ରଥ ଖଳାରେ ସମ୍ପାଦିତ ହୋଇଛି ଚକାଡେରା ନୀତି । ପରମ୍ପରା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ ଆଜ୍ଞାମାଳ ଶ୍ରୀନଅରକୁ ଅଣାଯାଇଥିଲା । ଏହାପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବାୟତମାନେ ୩ ରଥର ଅଖରେ ୨ଟି ଲେଖାଏଁ ଚକକୁ ସଂଯୋଗ କରି ପ୍ରଥମ ହରିବୋଲ ପକାଇଥିଲେ । ଏହାପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥ ଚକ ଉପରେ ରଖି ଚକଡେରା କାମକୁ ଅନୁକୂଳ କରିଥିଲେ ।

ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଭଉଁରୀ ତିଥିରେ ପ୍ରଥମ ଚକଅଖ ସଂଯୋଗ କରାଯାଇଛି । ସେପଟେ ଦୁଇ ଘଣ୍ଟା ବିଳମ୍ବରେ ନୀତିକାନ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ୱୀକାର କରିଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି ।

ସେପଟେ ଭକ୍ତଙ୍କ ଭିଡ ଓ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ତିନି ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ଆଜ୍ଞାମାଳ ବିଜେ ସମୟରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଢଙ୍ଗରେ ସମାପନ କରାଯାଇଥିଲା ।

ସେପଟେ ଆଜି ସକାଳୁ ସକାଳୁ ଚକଅଖ ଡେରାଯିବା ପୂର୍ବରୁ ତିନିରଥର ଦୁଇଟି ଲେଖାଏଁ ଚକ ରଥଖଳାରୁ ଆସି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରହିବା ପରେ ସେଥିରେ ପାଣିଆପଟ ସେବକଙ୍କ ଦ୍ବାରା ପାଣି ଢଳାଯାଇ କମାର ସେବକଙ୍କ ଦ୍ବାରା ପନ୍ଧାରୀରେ ଯୋଖିଆ ବାଡିଆ ଅନୁକୂଳ ହୋଇଥିଲା ।

ପରେ ଅଖରେ ପୋଲାଙ୍ଗ ତେଲ ବୋଳା ହୋଇଥିଲା । ତେବେ ମହାପ୍ରଭୁଙ୍କ ଏହି ଚକଅଖ ଡେରା ନୀତି ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଏହି ନୀତି ଦେଖି ଭକ୍ତ ଓ ଶ୍ରଦ୍ଧାଳୁ ବେଶ୍ ଖୁସି ପ୍ରକଟ କରିଛନ୍ତି ।

ଆଗାମୀ ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ୪୨ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହେବାର ପରମ୍ପରା ରହିଥିବା ବେଳେ, ଆସନ୍ତା ସ୍ନାନପୁର୍ଣ୍ଣିମା ତିଥିରେ ତିନି ରଥର ଚାରି ନାହାକା ଉଠିବାର ବିଧିବିଧାନ ରହିଛି ।

Comments are closed.