Latest Odisha News

୨୦୦୯ ଟି୨୦ ବିଶ୍ୱକପ: ଶ୍ରୀଲଙ୍କାକୁ ହରାଇ ପାକିସ୍ତାନ ହେଲା ଚାମ୍ପିୟନ

୨୦୦୭ ଉଦଘାଟନୀ ଟି୨୦ ବିଶ୍ୱକପ ସଂସ୍କରଣରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ରନର୍ସଅପ ପାକିସ୍ତାନ ୨୦୦୯ ସଂସ୍କରଣରେ ଆଉ କୌଣସି ଭୁଲ ନ କରି ଟାଇଟଲ ହାସଲ କରିଥିଲା । ଇଂଲଣ୍ଡରେ ଏହା ୧୨ଟି ଟିମକୁ ନେଇ ଖେଳା ଯାଇଥିଲା । ଟିମଗୁଡିକୁ ୪ଟି ଗ୍ରୁପରେ ଭାଗ କରାଯାଇଥିଲା । ଗ୍ରୁପ ଏରେ ଆୟର୍ଲାଣ୍ଡ ଓ ବାଂଲାଦେଶ ସହ ଭାରତ ରହିଥିଲା ।

ବାଂଲାଦେଶକୁ ପ୍ରଥମ ମୁକାବିଲାରେ ଭାରତ ୨୫ ରନରେ ହରାଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ ବିନିମୟରେ ୧୮୦ ରନ କରିଥିଲା । ଗୌତମ ଗମ୍ଭୀର ୫୦, ଯୁବରାଜ ସିଂ ୪୧ରନର ଇନିଂସ ଖେଳିଥିଲେ । ଜବାବରେ ବାଂଲାଦେଶ ୧୫୫ ରନ କରିବାକୁ ସକ୍ଷମ ହୋଇଥିଲା । ଜୁନୈଦ ସିଦ୍ଦିକ ସର୍ବାଧିକ ୪୧ ରନ କରିଥିଲେ । ଓଡିଶାର ପ୍ରଜ୍ଞାନ ଓଝା ଚମତ୍କାର ବୋଲିଂ କରି ୪ଟି ୱିକେଟ ନେଇଥିଲେ । ଅନ୍ୟ ଏକ ମୁକାବିଲାରେ ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇ ଭାରତ ସୁପର ଏଇଟକୁ ଉନ୍ନୀତ ହୋଇଥିଲା । ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୧୨ ରନ କରିଥିଲା । ଭାରତ ରୋହିତ ଶର୍ମାଙ୍କ ବିସ୍ଫୋରକ ୫୨ ରନ ସହାୟତାରେ ଏହାକୁ ୧୫.୩ ଓଭରରେ ୨ ୱିକେଟ ହରାଇ ହାସଲ କରି ନେଇଥିଲା ।

ଗ୍ରୁପ ବିରୁ ପାକିସ୍ତାନ ୪୮ ରନରେ ଇଂଲଣ୍ଡକୁ ଠାରୁ ହାରିଥିବା ବେଳେ ନେଦରଲାଣ୍ଡକୁ ୮୨ ରନରେ ପରାସ୍ତ କରିଥିଲା । ସୁପର ଏଇଟରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ ପ୍ରବେଶ କରିଛନ୍ତି । ଏହି ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ,ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ନିକଟରୁ ଭାରତ ପରାଜିତ ହୋଇ ସେମିଫାଇନାଲ ଦୌଡରୁ ବାଦ ପଡିଥିଲା । ଅପରପକ୍ଷରେ ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡକୁ ହରାଇ ପାକିସ୍ତାନ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା ।

ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଏବଂ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହୋଇଥିଲା । ପାକିସ୍ତାନ ପ୍ରଥମ ସେମିରେ ୧୫୦ ରନର ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ନିକଟରେ ରଖିଥିଲା । ମାତ୍ର ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୫ ୱିକେଟ ହରାଇ ୧୪୨ ରନ କରିବାକୁ ସକ୍ଷମ ହୋଇଥିଲା । ଅନ୍ୟ ମୁକାବିଲାରେ ଶ୍ରୀଲଙ୍କା ୫୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇଥିଲା ।

ଫାଇନାଲରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୧୩୮ ରନ କରିଥିଲା । ଅବଦୁଲ ରଜାକ ଚମତ୍କାର ବୋଲିଂ କରି ୩ଟି ୱିକେଟ ନେଇଥିଲେ । କୁମାର ସଙ୍ଗକାରା ୬୪ ଓ ଆଞ୍ଜେଲୋ ମାଥ୍ୟୁସ ୩୫ ରନ କରିଥିଲେ । ଜବାବରେ ୧୩୯ ରନର ଲକ୍ଷ୍ୟକୁ ପାକିସ୍ତାନ ୧୮.୪ ଓଭରରେ ୨ ୱିକେଟ ହରାଇ ହାସଲ କରି ନେଇଥିଲା । କମରାନ ଆକମଲ ୩୭, ଶାହୀଦ ଆଫ୍ରିଦୀ ୫୪ ଓ ଶୋଏବ ମଲିକ ୨୪ ରନ କରିଥିଲେ ।

Comments are closed.