Latest Odisha News

BREAKING NEWS

ଆଜି ସଂସଦରେ ଶପଥ ନେବେ ଓଡ଼ିଶାର ୧୮ ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ମୋଦୀ ସରକାରଙ୍କ ତୃତୀୟ ପାଳିର ନୂଆ ମନ୍ତ୍ରିମଣ୍ଡଳ ଗଠନର କିଛିଦିନ ପରେ ଗତକାଲି ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। କାମଚଳା ବାଚସ୍ପତି ଭାବେ ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଥିଲେ। ଗତକାଲି ପ୍ରଥମ ଦିନରେ ପ୍ରାୟ ୨୮୦ ଜଣ ଲୋକସଭା ସାଂସଦ ଶପଥ ନେଇଛନ୍ତି। ସେଥିମଧ୍ୟରୁ ଓଡ଼ିଶାର ଦୁଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ଗ୍ରହଣ କରିଛନ୍ତି। ଆଜି ବାକି ୧୮ ସାଂସଦ ଶପଥ ନେବେ।

ଆଜି ସଂସଦରେ ଶପଥ ନେବେ ଓଡ଼ିଶାର ୧୮ ସାଂସଦ। ବିଜେପିରୁ ୧୭ ଓ କଂଗ୍ରେସରୁ ଜଣେ ସାଂସଦ ଆଜି ଶପଥ ନେବେ। ଦୁଇ ଦିନ ଧରି ନବନିର୍ବାଚିତ ସାଂସଦମାନେ ଶପଥ ନେଉଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହିତ ଅବଶିଷ୍ଟ ପ୍ରାୟ ୨୬୦ ସାଂସଦ ଆଜି ଶପଥ ନେବେ। ଗତକାଲି ଭର୍ତ୍ତୃହରି ମହତାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଆସନ୍ତାକାଲି ହେବ ବାଚସ୍ପତି ନିର୍ବାଚନ। ସେ ପର୍ଯ୍ୟନ୍ତ ଭର୍ତୃହରି ମହତାବଙ୍କୁ ଅସ୍ଥାୟୀ ବାଚସ୍ପତି ରୂପେ ନିଯୁକ୍ତ କରାଯାଇଛି । ବାଚସ୍ପତି ଏବଂ ଉପବାଚସ୍ପତି ନିର୍ବାଚନ ମଧ୍ୟ ଅସ୍ଥାୟୀ ବାଚସ୍ପତି ପରିଚାଳନା କରିବେ। ୨୭ ତାରିଖରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୫ ବର୍ଷ ପାଇଁ ନୂଆ ସରକାରଙ୍କ ନକ୍ସା ସଂପର୍କରେ ରାଷ୍ଟ୍ରପତି ଉଲ୍ଲେଖ କରିପାରନ୍ତି। ଜୁଲାଇ ୩ ତାରିଖରେ ସଂସଦର ଏହି ସ୍ବତନ୍ତ୍ର ଅଧିବେଶନ ଶେଷ ହେବ।

 

Comments are closed.