ନୂଆଦିଲ୍ଲୀ: ପ୍ରତିଷ୍ଠିତ ହେଲ୍ଥ ଜର୍ଣ୍ଣାଲ ଲାନସେଟର ଏକ ରିପୋର୍ଟରେ ଭାରତୀୟଙ୍କ ସମ୍ପର୍କରେ ଚାଂଚଲ୍ୟକର ଖୁଲାସା କରାଯାଇଛି । ଲାନସେଟ୍ ରିପୋର୍ଟ ଅନୁସାରେ ୫୦ ପ୍ରତିଶତ ବୟସ୍କ ଭାରତୀୟ କୁଆଡେ ଶାରୀରିକ ଶ୍ରମ କରୁନାହାନ୍ତି । ସପ୍ତାହକ ମଧ୍ୟରେ ଦୁଇ, ଅଢେଇ ଘଂଟା ମଧ୍ୟମ ଧରଣର ଶାରୀରିକ ଶ୍ରମ ପାଇଁ ମଧ୍ୟ ଭାରତୀୟମାନେ କୁଣ୍ଠିତ । ଚାଲିବା, ବ୍ୟାୟାମ କରିବା, ଯୋଗ, ଦୌଡକୁଦ, ଜିମ୍ ବା ସନ୍ତରଣ ପାଇଁ ଭାରତୀୟମାନଙ୍କ ମଧ୍ୟରେ ଆଗ୍ରହ କମ୍ ବୋଲି ଲାନସେଟ ଗ୍ଲୋବାଲ ହେଲ୍ଥ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁସାରେ ପୁୁରୁଷଙ୍କ ଅପେକ୍ଷା ଶାରୀରିକ ଭାବେ ନିଷ୍କ୍ରିୟ ରହୁଥିବା ଭାରତୀୟ ମହିଳାଙ୍କ ସଂଖ୍ୟା ଅଧିକ । ୫୭ ପ୍ରତିଶତ ମହିଳା ଶାରୀରିକ ଶ୍ରମ ନକରି ଅନଫିଟ ରହୁଥିବା ବେଳେ ଏ କ୍ଷେତ୍ରରେ ପୁରୁଷଙ୍କ ପ୍ରତିଶତ ହେଉଛି ୪୨ । ଏହି ସଂଖ୍ୟା ଆଗ ଅପେକ୍ଷା ଅଧିକ ବଢିଛି । ଶାରୀରିକ ଭାବେ ଅନଫିଟ୍ ବୟସ୍କ ଭାରତୀୟଙ୍କ ସଂଖ୍ୟା ୨୦୦୦ ମସିହାରେ ୨୨ଦଶମିକ ୩ ପ୍ରତିଶତ ଥିଲା ବେଳେ ୨୦୨୨ ବେଳକୁ ଏହି ସଂଖ୍ୟା ବଢି ହୋଇଛି ୪୯ ଦଶମିକ ୪ ପ୍ରତିଶତ । ଏଭଳି ସ୍ଥିତି ଯଦି ନିୟନ୍ତ୍ରିତ ନହୁଏ, ତାହା ହେଲେ ୨୦୩୦ ମସିହା ସୁଦ୍ଧା ଆମଦେଶର ଜନସଂଖ୍ୟାର ୬୦ ପ୍ରତିଶତ ଲୋକ ବିଭିନ୍ନ ରୋଗରେ ପୀଡିତ ହେବା ଆଶଙ୍କା ରହିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ କହୁଛି ଯେ, ସବୁ ବୟସ୍କ ସପ୍ତାହକୁ ଅତିକମରେ ୧୫୦ରୁ ୩୦୦ ମିନିଟ ମଧ୍ୟମ ଧରଣର ଶାରିରୀକ ବ୍ୟାୟାମ କରିବା ଦରକାର । ବିଡମ୍ବନାର ବିଷୟ ଯେ, ଦ୍ରୁତ ସହରୀକରଣ ଓ ଉପଭୋକ୍ତାବାଦର ସଂପ୍ରସାରଣ ପ୍ରଭାବ ଭାରତୀୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଛି ବୋଲି କହିଲେ ଭୁଲ୍ ହେବ ନାହିଁ । ଆରାମଦାୟକ ଜୀବନଶୈଳର ଆସକ୍ତି ଶାରୀରିକ ନିଷ୍କ୍ରିୟତା ସୃଷ୍ଟି କରିଛି ।
ସୂଚନାଯୋଗ୍ୟ ଯେ, ଭାରତୀୟମାନେ ଅନ୍ୟମାନଙ୍କ ଅପେକ୍ଷା ଖୁବ୍ ଶୀଘ୍ର ମଧୁମେହ ଓ ହୃଦରୋଗରେ ପୀଡିତ ହେବା ଆଶଙ୍କା ରହିଥାଏ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଶାରୀରିକ ନିଷ୍କ୍ରିୟତା ଯୋଗୁଁ ଆମେ ସମୟ ଆଗରୁ ହିଁ ମଧୁମେହ ଓ ହୃଦଜନିତ ରୋଗକୁ ଆମନ୍ତ୍ରଣ କରିଥାଉ ।
ଉଦବେଗର ବିଷୟ ଯେ, ବିଶ୍ୱରେ ଶାରୀରିକ ନିଷ୍କ୍ରିୟତା ହାରାହାରି ୫ ପ୍ରତିଶତ ବୃଦ୍ଧି ପାଇ ୩୧ ପ୍ରତିଶତରେ ପହଂଚିଥିବା ବେଳେ ଭାରତରେ ଏହା ୫୦ ପ୍ରତିଶତରେ ପହଂଚିଛି ।
ମହିଳାଙ୍କ ଶାରୀରିକ ନିଷ୍କ୍ରିୟତା ହାର ୫୭ ପ୍ରତିଶତ ରହିବା ପଛରେ ଭାରତୀୟ ପାରିବାରକ ସଂରଚନା ଓ ସାଂସ୍କୃତିକ କାରଣକୁ ଦାୟୀ କରାଯାଇପାରେ । ଘର ପରିବାର ସମ୍ଭାଳୁଥିବା ଭାରତୀୟ ମହିଳାମାନଙ୍କ ଯୁକ୍ତି ଯେ, ଘରର ନିତିନିଦିଆ କାମ ହିଁ ଶାରୀରିକ ସକ୍ରିୟତାର ମାପଦଣ୍ଡ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷେ ଏଭଳି ଯୁକ୍ତି ଗ୍ରହଣୀୟ ନୁହେଁ ।
ଭାରତୀୟଙ୍କ ଶାରୀରିକ ନିଷ୍କ୍ରିୟତା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଆର୍ଥିକ ସମୃଦ୍ଧି, ଦ୍ରୁତ ସହରୀକରଣ ଯୋଗୁଁ ସବୁ ଜିନିଷ ହାତ ପାଆନ୍ତାରେ ମିଳୁଛି । ଲୋକଙ୍କୁ ଆଉ ଜରୁରୀ ସାମାନ କିଣିବାକୁ ଦୂରକୁ ଯିବାକୁ ପଡୁନାହିଁ । ପୂର୍ବରୁ ଦେଶର ୬୦ ପ୍ରତିଶତ ଲୋକ କୃଷି ଓ କୃଷି ସହ ଅନ୍ୟ କାମ କରୁଥିଲେ । ହାଡଭଙ୍ଗା ପରିଶ୍ରମ କରୁଥିଲେ କୃଷକ । ଏବେ କିନ୍ତୁ କୃଷି କ୍ଷେତ୍ରରେ ମଧ୍ୟ ଆଧୁନିକ ଯନ୍ତ୍ରପାତି ଶାରୀରିକ ଶ୍ରମର ସ୍ଥାନ ନେଇସାରିଲାଣି । ତେଣୁ ଶାରୀରିକ ନିଷ୍କ୍ରିୟତା ବଢିବାରେ ଲାଗିଛି । ଲୋକେ ପୂୂର୍ବାପେକ୍ଷା ସ୍ୱାସ୍ଥ୍ୟ ସଚେତନ ହେଲେ ମଧ୍ୟ ସକାଳୁ ସକାଳୁ ପାର୍କରେ ହାତଗଣତି କିଛି ଲୋକ ହିଁ ବ୍ୟାୟାମ କରୁଥିବା ଦେଖାଯାଆନ୍ତି । ଇଲେକ୍ଟ୍ରୋନିକ ମିିଡିଆର ପ୍ରସାର, ସ୍ମାର୍ଟ ଫୋନ୍ ଓ ସୋସିଆଲ ମିଡିଆ ଜାଲରେ ଫସି ଲୋକେ ଡେରିରେ ଶୋଇ ଡେରିରେ ଉଠନ୍ତି । ଶରୀରର ପ୍ରାକୃତିକ ସମୟ ଚକ୍ର ବିଗିଡି ଯାଇଥିବାରୁ ମଣିଷ ଅଳସୁଆ ହୋଇପଡିଛି । ଅତିକମରେ ଯଦି ଅଧଘଂଟା ସମୟ ବ୍ୟାୟାମ ପାଇଁ ଦେବା, ତାହା ହେଲେ ଆଳସ୍ୟରୁ ଆମେ ମୁକୁଳିପାରିବା ।
BREAKING NEWS
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ
- Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି ସିସିଟିଭି,ଡ୍ରୋନ୍
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!
- Kolkata Stampede Odisha Alert: କୋଲକାତା ଦଳାଚକଟା ଦେଖି ଓଡ଼ିଶା ପୋଲିସ ମନରେ ଛନକା! ଆଗୁଆ ଭିଡ଼ିଲେ ଅଣ୍ଟା, ପୂଜା ମଣ୍ଡପରେ କଡ଼ା ସୁରକ୍ଷା…

Comments are closed.