ନୂଆଦିଲ୍ଲୀ: ଭାରତରେ ଟିକଟକ୍ ବ୍ୟାନ ହୋଇଛି ସତ, କିନ୍ତୁ ରିଲ୍ସ ଓ ମିମ୍ସ ପ୍ରସ୍ତୁତି ନିରନ୍ତର ବଢି ଚାଲିଛି । ରିଲ୍ସଟିଏ ନ କଲେ ଅନେକଙ୍କର ଯେମିତି ଦିନ ଭଲ ଯାଉନି । ରିଲ୍ସ ପ୍ରତି ଏଭଳି ଆସକ୍ତି ଅନେକ ସମୟରେ ଜୀବନ ନେଉଛି । ବିବିଧ ବିଷୟ ସଂପର୍କିତ ଅସଂଖ୍ୟ ରିଲ୍ସ ଆଜିକାଲି ସୋସିଆଲ ମିଡିଆର ବିଭିନ୍ନ ମଂଚରେ ସହଜରେ ଉପଲବ୍ଧ ହେଉଛି । କିଛିଟା ଲାଇକ, ସେୟାର ଓ କଂମେଟ ପାଇବାକୁ ନିଜକୁ ବିପଦରେ ପକାଉଛନ୍ତି ଲୋକେ । ବିଶେଷ କରି ଯୁବବର୍ଗ ରିଲ୍ସ ପ୍ରତି ଅଧିକ ଆକର୍ଷିତ ହୋଇଛନ୍ତି । କିଛି ନୂଆ କରିବା ଉଦ୍ଦେଶ୍ୟରେ ଦୁଃସାହସିକ ରିଲ୍ସ ବନାଉଛନ୍ତି । ରିଲ୍ ମେକିଂ ଫେସହୁକ୍ , ଇଂଷ୍ଟାଗ୍ରାମ, ୟୁ ଟ୍ୟୁବ ପରି ସୋସିଆଲ୍ ମିଡିଆ ଦୁନିଆରେ ଏକ ବିପ୍ଲବ ଆଣିଛି ବୋଲି କହିଲେ ଭୁଲ୍ ହେବ ନାହିଁ । ବେଳେ ବେଳେ ରିଲ୍ସରୁ ମନୋରଂଜନ ଖୋରାକ ସହ ଉପାଦେୟ ସୂଚନା ମିଳିଥାଏ । କିନ୍ତୁ ନିଜର ସାହସିକ କାରନାମା ପ୍ରଦର୍ଶନ ପାଇଁ ଅନାବଶ୍ୟକ ଷ୍ଟଂଟ୍ ପ୍ରତି ଅହେତୁକ ଉନ୍ମାଦନା ହିଁ ଚିନ୍ତାର କାରଣ ।
ନିକଟକେ ରିଲ୍ସ ନେଇ ଆଇଆଇଏମ ରୋହତକ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ସର୍ଭେରୁ ଜଣାପଡିଥିଲା ଯେ, ପ୍ରତିଦିନ ହାରାହାରି ୭ ଘଂଟା ସୋସିଆଲ ମିଡିଆ ସହ ସଂପୃକ୍ତ ରହନ୍ତି ଯୁବ ଗୋଷ୍ଠୀ । ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ପ୍ରାୟ ୨୦ ମିନିଟ ଅଧିକ ସମୟ ସୋସିଆଲ ମିଡିଆ ସହ ସଂପୃକ୍ତ ରୁହନ୍ତି । ପରିସଂଖ୍ୟାନ କହେ ଯେ,ଗୋଟିଏ ଦିନରେ ଫେସବୁକ ଓ ଇଂଷ୍ଟାଗ୍ରାମରେ ୧୪୦ ବିଲିଅନରୁ ଅଧିକ ରିଲ୍ସ ଉପଲବ୍ଧ ହୁଏ । ଅବଶ୍ୟ ସେସବୁ ମଧ୍ୟରୁ ସବୁ ରିଲ୍ ଭାଇରାଲ ହୁଏ ନାହିଁ ।
ସ୍ମାର୍ଟ ଫୋନ କ୍ୟାମେରାରେ ପ୍ରଥମେ ରିଲ୍ ସୁ୍ଟ୍ ହେବ । ତାପରେ ଅନ୍ୟ କଥା । ଦୃୃଷ୍ଟି ଆକର୍ଷଣ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ରିଲ୍ସ ପ୍ରସ୍ତୁତ ହୁଏ । ଅନେକ ଜୀବନକୁ ବାଜି ଲଗାଇ ଆଡଭେନଚର ରିଲ୍ସ ବନାଇ ଥାଆନ୍ତି । ରିଲ୍ସ ବନାଇବାର ଝୁଙ୍କ ମହିଳାଙ୍କଠାରେ ଅଧିକ ଦେଖାଦେଇଛି । ଗ୍ରାମାଂଚଳର ମହିଳାମାନେ ବି ରିଲ୍ସ କ୍ଷେତ୍ରରେ ପଛୁଆ ନୁହନ୍ତି । ଯେଉଁ ସୋସିଆଲ ମିଡିଆର ସଦୁୁପଯୋଗ କରି ମହିଳାମାନେ କ୍ଷମତାସଂପନ୍ନ ହେବା କଥା,ସେହି ସୋସିଆଲ ମିଡିଆରେ ନକଲି ଗ୍ଲାମର ତଥା ଆଭାସି ପ୍ରସିଦ୍ଧି ପାଇଁ ଅଯଥା ସମୟ ନଷ୍ଟ କରୁଛନ୍ତି ।
ସୋସିଆଲ ମିଡିଆର ଦୂରୁପଯୋଗ ଦ୍ୱାରା ମହିଳା ଓ ଝିଅମାନଙ୍କ ପାଇଁ ସୃଷ୍ଟି ହୋଇଛି ପ୍ରତିକୂଳ ପରିସ୍ଥିତି । ଏଥିସହ ଅପରାଧିକ କାର୍ଯ୍ୟକଳାପରେ ମଧ୍ୟ ବୃଦ୍ଧି ଘଟୁଛି । ରିଲ୍ ଲାଇଫ ରିୟଲ ଲାଇଫ ଉପରେ ଭାରୀ ପଡୁଥିବାରୁ ପାରିବାରିକ ସଂପର୍କରେ ମଧ୍ୟ ତିକ୍ତତା ଆସୁଛି ।
ଆଭାସୀ ସକ୍ରିୟତା ଓ ବାସ୍ତବ ଜୀବନରେ ବଢୁଥିବା ଦୂରତା ଅଗଣିତ ଶାରୀରିକ ଓ ମାନସିକ ସମସ୍ୟାକୁ ଜନ୍ମ ଦେଇଛି । ରିୟଲ ଲାଇଫରୁ ଦୂରେଇ ନେଉଥିବା ରିଲ୍ସ ହେଉ ବା ଇଂଷ୍ଟାଗ୍ରାମ, ହ୍ୱାଟସଆପ୍ ଓ ଫେସବୁକ ଅପଡେଟ୍ସ ଏବଂ ଲାଇକ-କମେଂଟ ଦେଖିବା ପାଇଁ ବ୍ୟଗ୍ରତା ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇବା ଦେଖିବାକୁ ମିଳୁଛି ।
ରିଲ୍ସ ପାଇଁ ଛାତ୍ରଛାତ୍ରୀମାନେ ଠିକ୍ ଭାବେ ଏକାଗ୍ରତା ରଖି ପଢାପଢି କରିପାରୁନାହାନ୍ତି । ଲଗାତର ରିଲ୍ସ ଦେଖୁଥିବାରୁ ପିଲାମାନେ ଭର୍ଚୁଅଲ ଅଟିଜିମର ଶୀକାର ହେଉଛନ୍ତି ବୋଲି ବିଶେଷଜ୍ଞମାନେ କହନ୍ତି । ସେମାନଙ୍କ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଏ । ବିଶେଷଜ୍ଞଙ୍କ ମତରେ ରିଲ୍ସ ବନାଇବା ଏକ ଆସକ୍ତି । କିଛି ଲୋକଙ୍କ ପାଇଁ ଏହା ସଉକ ତ ଆଉ କିଛି ରିଲ୍ସ ଜରିଆରେ ଭବିଷ୍ୟତର ସମ୍ଭାବନା ଅନ୍ୱେଷଣ କରନ୍ତି । ବୈଷୟିତ ଉନ୍ନତି ସର୍ବଦା ମାନବ ସମାଜର ହିତସାଧନ ପାଇଁ ହିଁ ହୋଇଥାଏ । ତେବେ, ଏହାର ପ୍ରୟୋଗ ଉପରେ ହିଁ ନିର୍ଭର କରେ ଫଳାଫଳ ।
Comments are closed.