Latest Odisha News

୪୪ ବର୍ଷ ପରେ ଭାରତ ହକିରେ ଜିତିବ କି ସ୍ୱର୍ଣ୍ଣ

ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ରହିଲା । ଭାରତ ତାର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ କରିଛି । ଅଲିମ୍ପିକ୍ସରେ ଭାରତ ହକିରେ ସର୍ବାଧିକ ୧୨ଟି ପଦକ ଜିତିଛି । ତେବେ ୧୯୮୦ ପରଠାରୁ ଟିମଇଣ୍ଡିଆ ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିପାରି ନାହିଁ । ଏପରିକି ୪୧ ବର୍ଷ ପରେ ଭାରତ ଟୋକିଓ ଗେମ୍ସରେ ଜର୍ମାନୀକୁ ୫-୪ରେ ହରାଇ ପଦକ ମରୁଡି ଶେଷ କରିଥିଲା । ମହିଳା ହକି ଟିମ ଏଥର ଯୋଗ୍ୟତା ହାସଲ କରିପାରି ନ ଥିବା ବେଳେ ସବୁ ଆଶା ପୁରୁଷ ଟିମ ନିକଟରେ ରହିଛି । ୧୯୨୮ ଆର୍ଷ୍ଟଡମ ଗେମ୍ସ ପରେ ଭାରତୀୟ ହକିର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଥିଲା । ଏହି ଗେମ୍ସରେ ମହାନ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ୨୯ ଗୋଲ ସ୍କୋର କରିଥିବା ବେଳେ ଗୋଟିଏ ବି ଗୋଲ ବରଣ କରି ନ ଥିଲେ ।

୧୯୩୨ ଲସ ଆଞ୍ଜେଲ୍ସ ଓ ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ହାସଲ କରି ଭାରତ ହ୍ୟାଟ୍ରିକ ସଫଳତା ଅର୍ଜନ କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁ ୧୯୪୦ ଓ ୧୯୪୪ରେ ଅଲିମ୍ପିକ୍ସ ଆୟୋଜିତ ହୋଇ ନ ଥିଲା । ୧୯୪୮ରେ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ପୂନର୍ବାର ସ୍ୱର୍ଣ୍ଣ ଜିତିଥିଲା । ୧୯୫୨ ଓ ୧୯୫୬ରେ ମଧ୍ୟ ଟିମ ଇଣ୍ଡିଆ ସ୍ୱର୍ଣ୍ଣ ଜିତିଥିଲା । ୧୯୬୦ରେ ଫାଇନାଲରେ ଭାରତ ୦-୧ ଗୋଲରେ ପାକିସ୍ତାନଠାରୁ ହାରିଥିଲା । ଏହା ପରେ ଭାରତର ସ୍ୱର୍ଣ୍ଣ ଜିିତିବା ଧାରାରେ ବ୍ରେକ ଲାଗିଥିଲା । ୧୯୬୮ରେ ପାକିସ୍ତାନକୁ ହରାଇ ଭାରତ ସ୍ୱର୍ଣ୍ଣ ଜିତିବା ସହ ପରାଜୟର ମଧୂର ପ୍ରତିଶୋଧ ନେଇଥିଲା । ୧୯୬୮ମେକ୍ସିକୋ ଗେମ୍ସରେ ସେମିଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହୋଇଥିଲା । ଜର୍ମାନୀକୁ ହରାଇ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା ।

୧୯୭୨ରେ ବ୍ରୋଞ୍ଜ ଓ ୧୯୭୬ରେ ଭାରତ ପଦକ ଶୂନ୍ୟରେ ଅଭିଯାନ ଶେଷ କରିଥିଲା । ୧୯୮୦ରେ ପୂନର୍ବାର ଜବରଦସ୍ତ ପ୍ରଦର୍ଶନ କରି ଭାରତ ଫାଇନାଲରେ ସ୍ପେନକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଏହା ପରେ ନାଟକୀୟ ଢ଼ଙ୍ଗରେ ଭାରତୀୟ ହକିର ପତନ ଘଟିଥିଲା । ୧୯୮୪ରେ ୫ମ, ୧୯୮୮ରେ ଷଷ୍ଠ, ୧୯୯୨ରେ ୭ମ, ୧୯୯୬ରେ ୮ମ, ୨୦୦ରେ ୭ମ, ୨୦୦୪ରେ ୭ମ ସ୍ଥାନ ହାସଲ କରିଥିଲେ । ୨୦୦୮ ବେଜିଂ ଗେମ୍ସ ପାଇଁ ଭାରତ ଯୋଗ୍ୟତା ମଧ୍ୟ ହାସଲ କରିପାରି ନ ଥିଲା । ୨୦୧୨ରେ ୧୨ତମ, ୨୦୧୬ରେ ୮ମ ଓ ୨୦୨୦ରେ ବ୍ରୋଞ୍ଜ ପଦକରେ ଅଭିଯାନ ଶେଷ କରିଥିଲା । ଦୀର୍ଘ ଦିନ ପରେ ଭାରତ ପୂନର୍ବାର ପଦକର ସ୍ୱାଦ ଚାଖିଥିବାରୁ ଏହାକୁ ଆଉ ହାତଛଡା କରିବ ନାହିଁ ବୋଲି ଆଶା କରାଯାଉଛି ।

Comments are closed.