Latest Odisha News

ପ୍ୟାରିସ ଅଲିମ୍ପିକ୍ସରେ ଲିଙ୍ଗଗତ ସମାନତାର ମାଇଲଖୁଂଟ

ଏଥର ପ୍ୟାରିସ ଅଲିମ୍ପିକ୍ସ କେତେକ ଦୃଷ୍ଟିରୁ ଐତିହାସିକ ହେବାକୁ ଯାଉଛି । ବିଶେଷ କରି ମହିଳା ଆଥଲେଟଙ୍କ ପାଇଁ ପ୍ୟାରିସ ଅଲିମ୍ପିକ୍ସ ବେଶ୍ ମହତ୍ତ୍ୱପୂର୍ଣ୍ଣ ହେବ । ଅଲିମ୍ପିକ୍ସ ପରି ବିଶ୍ୱକ୍ରୀଡାର ବୃହତ ଓ ଭବ୍ୟ ପ୍ରତିଯୋଗିତାରେ ଏଣିକି ପୁରୁଷମାନଙ୍କ ପରି ମହିଳାମାନଙ୍କର ମଧ୍ୟ ସମାନ ପ୍ରତିନିଧିତ୍ୱ ରହିବ । ଅର୍ଥାତ ପ୍ୟାରିସ ଅଲିମ୍ପିକ୍ସରେ ସବୁ କ୍ରୀଡା ଶୃଙ୍ଖଳାରେ ମହିଳାମାନଙ୍କ ପାଇଁ ମଧ୍ୟ ପ୍ରାୟ ସମାନ ଇଭେଂଟ ରହିବ । ଆଧୁନିକ ଅଲିମ୍ପିକ୍ସ ଇତିହାସରେ ଏହି ଲୈଙ୍ଗିକ ସମାନତା ନିଶ୍ଚିତ ଭାବେ ଏକ ମାଇଳଷ୍ଟୋନ୍ ।

୧୯୦୦ ମସିହାରେ ପ୍ୟାରିସରେ ଆୟୋଜିତ ଅଲିମ୍ପିକ୍ସର ଦ୍ୱିତୀୟ ସଂସ୍କରଣରେ ହିଁ ମହିଳା ପ୍ରତିଯୋଗୀଙ୍କୁ ପ୍ରଥମ ଥର ପାଇଁ ଭାଗ ନେବାକୁ ଅନୁମତି ମିଳିଥିଲା । ୧୨୪ ବର୍ଷ ପରେ ପୁଣି  ପ୍ୟାରିସ ଅଲିମ୍ପିକ୍ସରେ ମହିଳାଙ୍କ ପାଇଁ ସମାନ ଇଭେଂଟ ସହ ଲେଖାଯାଇଛି ଅଲିମ୍ପିକ୍ସ ଇତିହାସରେ ଏକ ନୂଆ ଅଧ୍ୟାୟ । ଆରମ୍ଭରୁ ହିଁ ଅଲିମ୍ପିକ୍ସରେ ଅଧିକରୁ ଅଧିକ ମହିଳା ପ୍ରତିଯୋଗୀଙ୍କୁ ସାମିଲ କରାଯିବା ସପକ୍ଷରେ ସ୍ୱର ଉଠିଛି । ୧୯୩୬ ବର୍ଲିନ କ୍ରୀଡାରୁ ବୃଦ୍ଧି ପାଇବାରେ ଲାଗିଛି ମହିଳା ପ୍ରତିଯୋଗୀଙ୍କ ସଂଖ୍ୟା । ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ମହିଳା ପ୍ରତିଯୋଗୀଙ୍କ ସଂଖ୍ୟା ଥିଲା ମାତ୍ର ୮ ଦଶମିକ ୪ ପ୍ରତିଶତ । ୨୦୨୦ ଟୋକିଓ କ୍ରୀଡାରେ ଏହି ସଂଖ୍ୟା ଥିଲା ୪୭ ଦଶମିକ ୮ ପ୍ରତିଶତ ।

ମହିଳା ପ୍ରତିଯୋଗୀଙ୍କ ଦୃଷ୍ଟିରୁ ୨୦୨୦ ଟୋକିଓ ଅଲିମ୍ପିକ୍ସ ମଧ୍ୟ ଥିଲା ଐତହାସିକ । ମହିଳା ପ୍ରତିଯୋଗୀଙ୍କୁ ଅଧିକ ସୁଯୋଗ ଦେବା ପାଇଁ କିଛି ନୂଆ ଇଭେଂଟ ଯୋଡା ଯାଇଥିଲା । ଟୋକିଓ କ୍ରୀଡାରେ ସ୍ଥାନ ପାଇଥିଲା ୧୮ଟି ମିକ୍ସଡ ଜେଣ୍ଡର ଇଂଭେଟ । ମହିଳା ୧୫ ହଜାର ମିଟର ଫ୍ରିଷ୍ଟାଇଲ୍ ଓ କାନୋଇ ସ୍ପ୍ରିଂଟ୍ ଇଭେଂଟ ପ୍ରଚଳନ କରାଯାଇଥିଲା । ସଫ୍ଟବଲ୍‌, କରାଟେ, ସ୍ପୋର୍ଟ କ୍ଲାଇମ୍ବିଂ,ସର୍ଫିଙ୍ଗ୍ ଓ ସ୍କେଟବୋର୍ଡିଂ ମଧ୍ୟ ମହିଳା ପ୍ରତିଯୋଗୀଙ୍କ ପାଇଁ  ଖୋଲିଦିଆଯାଇଥିଲା । ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ପୁରୁଷ ଆଥଲେଟଙ୍କ ସହ ମିଳିତ ଭାବେ ଧ୍ୱଜା ଧରିବାକୁ ମହିଳାମାନଙ୍କୁ ଅନୁମତି ଦିଆଯାଇଥିଲା । ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ଏମିତି ହୋଇଥିଲା ।

ଲିଙ୍ଗଗତ ସମାନତା ପାଇଁ ପ୍ୟାରିସକୁ ବାଟ ଦେଖାଇଥିଲା ଟୋକିଓ ଅଲିମ୍ପିକ୍ସ । ଆଉ ଏଥର  ପାଦେ ଆଗେଇଛି ପ୍ୟାରିସ । ଏଥର ଅଲିମ୍ପିକ୍ସରେ ୩୨୯ ମେଡାଲ୍ ଇଭେଂଟ ମଧ୍ୟରୁ ୧୫୨ଟି ଇଂଭେଟ ମହିଳାମାନଙ୍କ ପାଇଁ ଅଛି,ଯାହା କି ପୁରୁଷ ମେଡାଲ ଇଂଭେଟ ସଂଖ୍ୟାରୁ ମାତ୍ର ୫ କମ୍ । ଏଥିସହ ୨୦ଟି ମିକ୍ସଡ ଜେଂଡର ଇଭେଂଟ ମଧ୍ୟ ରହିଛି । ପ୍ୟାରିସ କ୍ରୀଡାରେ ଭାଗ ନେବାକୁ ଥିବା ୧୦ ହଜାର ୫ ଶହ କ୍ରୀଡାବିତଙ୍କ ମଧ୍ୟରୁ ୫ ହଜାରରୁ ଅଧିକ ହେଉଛନ୍ତି ମହିଳା । ଏହି ସଂଖ୍ୟା ଅଲିମ୍ପିକ୍ସ ଇତିହାସରେ ସର୍ବାଧିକ । ପୂର୍ବରୁ କୌଣସି ଅଲିମ୍ପିକ୍ସରେ ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗୀଙ୍କ ସଂଖ୍ୟା ସମାନ ନଥିଲା । ଉଲ୍ଲେଖଯୋଗ୍ୟ ଯେ, ୧୯୦୦ ମସିହା ପ୍ୟାରିସ ଅଲିମ୍ପିକ୍ସରେ ମାତ୍ର ୨୨ ଜଣ ମହିଳା ପ୍ରତିଯୋଗୀ ହିଁ ଭାଗ ନେଇଥିଲେ । ଏବେ ଏହି ସଂଖ୍ୟା ୫ ହଜାରରେ ପହଂଚିଲାଣି , ଯାହା କି ଅଲିମ୍ପିକ୍ସରେ ଲିଙ୍ଗଗତ ସମାନତାର ସଫଳ ଉଦାହରଣ ।

ପ୍ୟାରିସ ଅଲିମ୍ପିକ୍ସରେ ମହିଳା ଇଭେଂଟଗୁଡିକୁ ଉପଯୁକ୍ତ ମିଡିଆ କଭରେଜ ନେଇ ବ୍ୟବସ୍ଥା କରାଯାଇଛି । ପୂର୍ବାପେକ୍ଷା ଅଧିକ ମହିଳା ଭାଷ୍ୟକାର ଏଥର ପ୍ୟାରିସ ଅଲିମ୍ପିକ୍ସରେ ଧାରା ବିବରଣୀ ଦେବେ ।

ସବୁଠାରୁ ବଡ ପରିବର୍ତ୍ତନ ହେଉଛି ଯେ, ପ୍ରଥମ ଥର ପାଇଁ ଏକ ଅଲିମ୍ପିକ୍ସର ଶେଷ ଇଭେଂଟ ମହିଳା ମାରାଥନ ରହିବ । ଅଲିମ୍ପିକ୍ସର ଉଦଯାପନୀ ଦିବସରେ ପୁରୁଷ ମାରାଥନ ଆୟୋଜିତ ହେବାର ପରମ୍ପରା ରହିଆସିଥିଲା । ଏଥର କିନ୍ତୁ ପ୍ୟାରିସ ଅଲିମ୍ପିକ୍ସ ମହିଳା ମାରାଥନ ଇଭେଂଟ ସହ ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.