ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ସହଯୋଗୀ ତଥା ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ମନୀଷ କୁମାର ବର୍ମା ମଙ୍ଗଳବାର ଜେଡିୟୁରେ ଯୋଗ ଦେଇଛନ୍ତି। ତିନି ବର୍ଷ ତଳେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ୨୦୦୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୀଷ ବର୍ମା। ଆଜି ସେ ପାଟନାସ୍ଥିତ ଜେଡିୟୁ ମୁଖ୍ୟାଳୟରେ ଦଳର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟସଭା ସାଂସଦ ସଞ୍ଜୟ ଝାଙ୍କ ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।
ମନୀଷ ବର୍ମା ୨୦୦୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ଆଇଆଇଟି ଦିଲ୍ଲୀର ପୂର୍ବତନ ଛାତ୍ର ମନୀଷ ବର୍ମା ୨୦୧୨ରେ ଇଣ୍ଟର କ୍ୟାଡର ଡେପୁଟେସନରେ ବିହାର ଆସିଥିଲେ ଏବଂ ଆଉ ଓଡ଼ିଶା ଫେରିନଥିଲେ।
ମନୀଷଙ୍କୁ ଦଳରେ ସ୍ୱାଗତ କରି ସଞ୍ଜୟ ଝା କହିଛନ୍ତି, ବିହାର ବାହାରେ ନିଜର ଭିତ୍ତିଭୂମି ବିସ୍ତାର କରିବା ଦିଗରେ ଆମ ଦଳ ଗମ୍ଭୀରତାର ସହ ଚିନ୍ତା କରୁଛି। ମନୀଷ ବର୍ମାଙ୍କ ଅଭିଜ୍ଞତା ଜେଡିୟୁ ପାଇଁ ବେଶ୍ ଉପଯୋଗୀ ହେବ ବୋଲି ଆମେ ନିଶ୍ଚିତ।
ମନୀଷ କହିଛନ୍ତି, ମୁଁ ନୀତୀଶ କୁମାରଙ୍କ ନିକଟରେ କୃତଜ୍ଞ ଯେ ମୋତେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ମୁଁ ପାଟନା ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିଲି ଏବଂ ରାଜ୍ୟର ବିଦ୍ୟୁତ କମ୍ପାନୀଗୁଡ଼ିକର ନେତୃତ୍ୱ ନେଇଥିଲି । ୨୦୨୧ରେ, ମୋର ଡେପୁଟେସନ ଅବଧି ଶେଷ ହୋଇଥିଲା ଏବଂ ମୋତେ ମୋ କ୍ୟାଡରକୁ ଫେରିବାକୁ ପଡିଲା। କିନ୍ତୁ ମୁଁ ବିହାରରେ ରହି ମାତୃଭୂମିର ସେବା କରିବାକୁ ପସନ୍ଦ କଲି ବୋଲି ମନୀଷ ବର୍ମା କହିଛନ୍ତି।
ମନୀଷ ବର୍ମା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ପରାମର୍ଶଦାତା ଏବଂ ବିହାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁରେ ମନୀଷ ବର୍ମାଙ୍କୁ କେଉଁ ଦାୟିତ୍ୱ ମିଳିବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନଥିଲେ ମଧ୍ୟ ତାଙ୍କ ପ୍ରବେଶ ଦଳରେ କଳ୍ପନାଜଳ୍ପନା ସୃଷ୍ଟି କରିଛି।
Comments are closed.