Latest Odisha News

ଶିକ୍ଷା ମାଧ୍ୟମରେ ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କର: ସାମାଜିକ ସୁରକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷା ମାଧ୍ୟମରେ ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ପାଇଁ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି । ଏଥିପାଇଁ ୪୫୦ ଟି ଆବାସିକ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣକୁ ଯୁଦ୍ଧଭିତ୍ତିରେ ସାରିବା, ଜନଜାତି ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଶିକ୍ଷା ଯୋଗାଇଦେବା ପାଇଁ କାର୍ଯ୍ୟକାରୀ ହେଉଥିବା ଅନ୍ବେଷା ହଷ୍ଟେଲରେ ଘରୋଇ ଶିକ୍ଷକ ନିଯୁକ୍ତ କରିବା ସହ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲକୁ ବିକଶିତ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

ଏଥିସହ ପରିଚିତି ଯୋଜନା ମାଧ୍ୟମରେ ୯୯ ଟି ବିଦ୍ୟାଳୟରେ ଜନଜାତି ଛାତ୍ରଛାତ୍ରୀ ନିଜସ୍ବ କଳା, ସଂସ୍କୃତି, ଭାଷା ସହ ଯୋଡ଼ି ହୋଇ ରହିବେ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପ୍ରକଳ୍ପ ପ୍ରଶାସକ, ଆଇଟିଡିଏଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଜନଜାତି ଛାତ୍ରଛାତ୍ରୀମାନଙ୍କ ଆନୁଷ୍ଠାନିକ ଓ ବୌଦ୍ଧିକ ବିକାଶ ସମେତ ସ୍ବାସ୍ଥ୍ୟ ଓ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ଡ଼େଙ୍ଗୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ ଆବାସିକ ହଷ୍ଟେଲଗୁଡ଼ିକରେ ଯୁଦ୍ଧକାଳୀନଭିତ୍ତିରେ ମଶାରୀ ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହିତ ବିଭିନ୍ନ ଭିତ୍ତିଭୂମି ନିର୍ମାଣରେ ଗୁଣବତ୍ତା ବଜାୟ ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଉପଯୁକ୍ତ ବ୍ୟବହାର ସମେତ ଯତ୍ନ ନେବା ସହ ଅବ୍ୟବହୃତ ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ବିକଶିତ ଓଡ଼ିଶା ପାଇଁ ଲୋକଙ୍କ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ସରକାରରେ ଜନସାଧାରଣଙ୍କ ଆବଶ୍ୟକତା ଓ ଦାବିକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ହେବ ବୋଲି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନିଜର ଇଚ୍ଛାଶକ୍ତିକୁ ଦୃଢ କରି କଠିନ ପରିଶ୍ରମ କଲେ ଆମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବା ଓ ଲୋକଙ୍କ ଭଲ କରିପାରିବା ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ଯେଉଁଠାରେ ଆବାସିକ ବିଦ୍ୟାଳୟଗୁଡ଼ିକ ଅଛି, ସେଠାରେ ଆବଶ୍ୟକତାକୁ ଧ୍ୟାନରେ ରଖି ସ୍ଥାନୀୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଯୁବକଙ୍କୁ ନିଯୁକ୍ତି ଦେବାକୁ ମନ୍ତ୍ରୀ ପରାମର୍ଶ ଦେବା ସହ ଶିକ୍ଷକ, ପାଚିକା ତଥା ସହାୟିକା,ଏଏନଏମ୍, ମାଟ୍ରନ ନିଯୁକ୍ତି ଉପରେ ମଧ୍ୟ ଧ୍ୟାନ ଦେବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ଏକ ନିରାପଦ ପରିବେଶରେ ଆବାସିକ ବିଦ୍ୟାଳୟରେ ରହି ନିଜ ଭବିଷ୍ୟତ ଗଠନ କରିପାରିବେ ।

ଏଥିସହିତ ସମ୍ମିଳନୀରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତିନୋଟି ପୁସ୍ତକ ଉନ୍ମୋଚନ କରିଛନ୍ତି । ପ୍ରଥମ ବହି ଲେଟ୍ସ ଟକ୍ ସେଫ୍ଟିରେ ଛାତ୍ରୀଙ୍କ ସହ ହେଉଥିବା ଅସଦାଚରଣ, ଗୁଡ଼୍ ଟଚ୍-ବ୍ୟାଡ୍ ଟଚ୍ ସଚେତନତା ସମ୍ପର୍କରେ ଉଲ୍ଲେଖ ଥିବା ବେଳେ ଦ୍ୱିତୀୟ ବହି ଟ୍ରାଇବାଲ୍ କ୍ୟୁସିନ୍ ଅଫ୍ ଓଡ଼ିଶାରେ ଜନଜାତି ସମ୍ପ୍ରଦାୟଙ୍କ ଖାଦ୍ୟ ବିଭବ ସମ୍ପର୍କରେ ଉଲ୍ଲେଖ ରହିଛି । ତୃତୀୟ ବହି ଏସସିଏସଟିଆରଟିଆଇର ଡକୁମେଣ୍ଟଟେସନ୍ ଅଫ୍ ଗୁଡ଼୍ ପ୍ରାକ୍ଟିସେସ୍ କୁ ମଧ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉନ୍ମୋଚିତ କରିଛନ୍ତି।

ଏହି ରାଜ୍ୟସ୍ତରୀୟ ସମ୍ମିଳନୀରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଆବାସିକ ବିଦ୍ୟାଳୟ, ହଷ୍ଟେଲର ସୁବିଧା, ଅନୁଷ୍ଠାନରେ ହେଉଥିବା ବିଭିନ୍ନ ସମସ୍ୟା, ଛାତ୍ରଛାତ୍ରୀଙ୍କ ନାମଲେଖା, ଅନ୍ବେଷା, ଇଏମଆରଏସ, ଉଭୟ ଛାତ୍ର ଓ ଛାତ୍ରୀ ଭୋଗୁଥିବା ହଷ୍ଟେଲ ସମସ୍ୟା, ସରକାରୀ ପାଣ୍ଠିର ବିନିଯୋଗ, ଭିତ୍ତିଭୂମିର ବିକାଶ ଆଦି ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ସମ୍ମିଳନୀୟରେ ବିଭାଗୀୟ ସଚିବ ରୁପା ରୋଷନ ସାହୁ ଏବଂ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

Comments are closed.