Latest Odisha News

ରସଗୋଲା ଦିବସ ଅବସରରେ ରସଗୋଲା ସଙ୍ଗୀତ ଶ୍ରୋତାର୍ପିତ

ଭୁବନେଶ୍ୱର : ଲେଖକ ଶୁଭ୍ରାଂଶୁ ପଣ୍ଡାଙ୍କ ପରିକଳ୍ପନା ଓ ରଚନାରେ ପବିତ୍ର ନୀଳାଦ୍ରିବିଜେ ଓ ରସଗୋଲା ଦିବସର ଅବ୍ୟବହିତ ପୂର୍ବରୁ ଶ୍ରୋତାର୍ପିତ ହୋଇଯାଇଛି । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ଅଭିଜିତ ମିଶ୍ର।

 

ଜୟଦେବ ଭବନ ପରିସରରେ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ ପ୍ରସିଦ୍ଧ ଓଡ଼ିଶୀ ସଂଗୀତଜ୍ଞ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ। ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ପୋଥିରୁ କାଗଜ ଦେଇ ଏବେ କ୍ଲାଉଡ୍‌‌କୁ ଯିବାର ସମୟ ଆସିଛି ବୋଲି ଶ୍ରୀ ସୁରଜ କହିଥିଲେ। ନୂଆପିଢ଼ିକୁ ଆମ ପରମ୍ପରା ଓ ସଂସ୍କୃତି ସହ ଯୋଡ଼ିବା ପାଇଁ ଏ ଗୀତ ଏକ ଭଲ ଉଦ୍ୟମ ବୋଲି କହିଥିଲେ ଶ୍ୟାମାମଣି ଦେବୀ।

 

ଏ ଅବସରରେ ସମ୍ପୂର୍ଣ୍ଣ ରସଗୋଲା ସଂଗୀତକୁ ନେଇ ପ୍ରସ୍ତୁତ ଶୁଭ୍ରାଂଶୁ ପଣ୍ଡାଙ୍କ ନିର୍ଦ୍ଦେଶିତ ୧୧ ମିନିଟ୍‌ ଅବଧିର ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଚଳଚ୍ଚିତ୍ରରେ ଓଡ଼ିଶୀ ନୃତ୍ୟ ସଂରଚନା କରିଛନ୍ତି ବିଶିଷ୍ଟ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ। ଉତ୍ସବ ଅନ୍ତେ ଶ୍ରୀ ଯୋଶୀ ଓ ତାଙ୍କର ଛାତ୍ରଛାତ୍ରୀଙ୍କ ଦ୍ବାରା ସମ୍ପୂର୍ଣ୍ଣ ଗୀତକୁ ମଞ୍ଚରେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିଲା। ଗୀତରେ ମର୍ଦ୍ଦଳ ବାଦନ କରିଥିବା ପ୍ରସନ୍ନ ମିଶ୍ର ଓ ବଂଶୀ ବାଦନ କରିଥିବା ଜବାହାର ମିଶ୍ରଙ୍କ ସମେତ ସଂଗୀତ ଓ ଏହାର ଚଳଚ୍ଚିତ୍ର ପ୍ରସ୍ତୁତିରେ ସହଭାଗୀ ସମସ୍ତ କଳାକାରଙ୍କୁ ଏ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଯେ ମଧ୍ୟଯୁଗୀୟ କାବ୍ୟ ଶୈଳୀକୁ ନୂଆ ଗୀତ ମାଧ୍ୟମରେ ପରସିବା ପାଇଁ ସେ ଏ ଗୀତରେ ଚେଷ୍ଟା କରିଛନ୍ତି। ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଭାଗବତ ଶୈଳୀରେ ଗୀତଟି ଆରମ୍ଭ ହୋଇଥିବାବେଳେ ମଝିରେ ଉପେନ୍ଦ୍ର ଭଞ୍ଜ, ସାଲବେଗ ଓ ବନମାଳି ଦାସଙ୍କ ସଂଗୀତ ଅନୁକରଣରେ ଗୀତ ଖଞ୍ଜା ହୋଇଛି। ଗୀତଟି ସେଇ ମହାକବିମାନଙ୍କୁ ସମର୍ପିତ ବୋଲି ସେ କହିଛନ୍ତି। ଏ ଗୀତଟି ଉଭୟ ପାରମ୍ପରିକ ଓ ଆଧୁନିକ ଓଡ଼ିଆ ଗୀତ ଓ ସଂଗୀତ ଶୈଳୀର ପରିପ୍ରକାଶ। ଗୀତରେ ଡାହୁକ ବୋଲି ମଧ୍ୟ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

 

ଅଭିଜିତ ମିଶ୍ର କହିଛନ୍ତି, ଏ ଗୀତଟିକୁ ପ୍ରଥମେ ପଢ଼ିବା ବେଳରୁ ସେ ଏହାର ପ୍ରେମରେ ପଡ଼ିଛନ୍ତି। ପ୍ରଭୁ ଜଗନ୍ନାଥଙ୍କ କରୁଣା ଓ ଶୁଭ୍ରାଂଶୁ ପଣ୍ଡାଙ୍କ ସୃଜନ ପରିକଳ୍ପନା ତାଙ୍କୁ ଏ ସଂଗୀତ ପ୍ରସ୍ତୁତିରେ ସହାୟ ହୋଇଛି। ଓଡ଼ିଶାର ପୁରାତନ ଶୈଳୀ ଏବେ ବି ଅଧୁନାତନ ଏବଂ ତାକୁ ଉଚିତ ବାଗରେ ପରସିଲେ ନୂଆପିଢ଼ି ନିଶ୍ଚିତ ଭଲପାଇବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଅଭିଜିତ।

Comments are closed.