Latest Odisha News

ପିଏମଶ୍ରୀ ନାହିଁ ତ ପାଣ୍ଠି ନାହିଁ !

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ନେଇ ଏବେ କିଛି ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କ ମୁହାଁମୁହିଁ ସ୍ଥିତି । ପିଏମଶ୍ରୀ ଯୋଜନା କାର୍ଯ୍ୟକାରୀ ପାଇଁ କିଛି ଅଣବିଜେପି ଶାସିତ ରାଜ୍ୟ କୁଣ୍ଠା ପ୍ରକାଶ କରିଛନ୍ତି, ଯାହାକୁ ନେଇ ଜୋର୍ ଧରିଛି ରାଜନୀତି । ପିଏମଶ୍ରୀ ଯୋଜନାରେ ଭାଗିଦାରୀ ହେବା ପାଇଁ ଦିଲ୍ଲୀ, ପଞ୍ଜାବ ଓ ପଶ୍ଚିମବଙ୍ଗ ଅମଙ୍ଗ ହେଉଛନ୍ତି । ପିଏମଶ୍ରୀ ଯୋଜନା କାର୍ଯ୍ୟକାରୀ କରିନଥିବାରୁ ତିନି ଅଣବିଜେପି ଶାସିତ ରାଜ୍ୟକୁ କୁଆଡେ ସମଗ୍ର ଶିକ୍ଷା ଅଭିଯାନ-ଏସଏସଏସ ପାଣ୍ଠି ଯୋଗାଇବା ବନ୍ଦ କରିଦେଇଛି କେନ୍ଦ୍ର ।

୨୦୨୨ରେ ଆରମ୍ଭ ହୋଇଥିବା ପିଏମଶ୍ରୀ ଯୋଜନାରୁ ପ୍ରଥମେ ବିହାର , ତାମିଲନାଡୁ, କେରଳ ଓ ଓଡିଶା ପରି ରାଜ୍ୟ ଦୂରେଇ ରହିଥିଲେ ମଧ୍ୟ ଏ ବର୍ଷ ମାର୍ଚ୍ଚରେ ଯୋଜନା କାର୍ଯ୍ୟକାରୀ ପାଇଁ ସମ୍ମତି ଦେଇଥିଲେ । ହେଲେ ଦିଲ୍ଲୀ, ପଂଜାବ ଓ ପଶ୍ଚିମବଙ୍ଗ ଏବେ ବି ଯୋଜନାରୁ ଦୂରେଇ ରହିଛନ୍ତି ।

ପ୍ରଧାନମନ୍ତ୍ରୀ ସ୍କୁଲ୍ ଫର ରାଇଜିଂ ଇଣ୍ଡିଆ -ପିଏମଶ୍ରୀ ଯୋଜନାର ଶୁଭାରମ୍ଭ ୨୦୨୨ରେ ହୋଇଥିଲା । ୨୦୨୬-୨୭ ଯାଏଁ ଚାଲିବାକୁ ଥିବା ପିଏମଶ୍ରୀ ଯୋଜନା ପାଇଁ ପ୍ରସ୍ତୁତ ହୋଇଥିଲା ମୋଟ ୨୭ ହଜାର ୩୬୦ କୋଟି ଟଙ୍କାର ବଜେଟ୍ । ଏଥିରୁ ୬୦ ପ୍ରତିଶତ କେନ୍ଦ୍ର ସରକାର ଓ ବାକି ୪୦ ପ୍ରତିଶତ ରାଜ୍ୟ ସରକାର ବହନ କରିବା ବ୍ୟବସ୍ଥା ରହିଛି । ଦେଶବ୍ୟାପୀ ଅତିକମରେ ୧୫ ହଜାର ସରକାରୀ ସ୍କୁଲକୁ ମଡେଲ୍ ସ୍କୁଲ ଭାବେ ବିକଶିତ କରିବା ହେଉଛି ପିଏମଶ୍ରୀ ଯୋଜନାର ମୂଳ ଉଦ୍ଦେଶ୍ୟ ।

ଦିଲ୍ଲୀ, ପଂଜାବ ଓ ପଶ୍ଚିମବଙ୍ଗ ସରକାର ପିଏମଶ୍ରୀ ଯୋଜନା ପ୍ରତି ସହମତି ଜଣାଇନଥିବାରୁ ସେସବୁ ରାଜ୍ୟକୁ ସମଗ୍ର ଶିକ୍ଷା ଅଭିଯାନ- ଏସଏସଏ ପାଣ୍ଠି ଯୋଗାଣ ବନ୍ଦ ରଖିଛି କେନ୍ଦ୍ର । ପିଏମଶ୍ରୀ ଯୋଜନା ଲାଗୁ କରିନଥିବା ରାଜ୍ୟଗୁଡିକୁ ଏସଏସଏ ପାଣ୍ଠି ନଦେବା ପାଇଁ ବୋଲି କେନ୍ଦ୍ର ସ୍ଥିର କରିଥିବା ସୂଚନା ମିଳିଛି ।

ତେବେ କାହିଁକି ତିନି ରାଜ୍ୟ ପିଏମଶ୍ରୀ ଯୋଜନା ଲାଗୁ ପାଇଁ କୁଣ୍ଠିତ? ଦିଲ୍ଲୀ ଓ ପଂଜାବରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି ଅନୁସାରେ ଦୁଇ ରାଜ୍ୟରେ ସ୍କୁଲ୍ ଅଫ୍ ଏମିନେନ୍ସ ଯୋଜନା କାର୍ଯ୍ୟକାରୀ ହେଉଛି । ତେଣୁ ପିଏମଶ୍ରୀ ଯୋଜନା ଆବଶ୍ୟକ ନାହିଁ । ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ଆପତ୍ତି ସଂପୂର୍ଣ୍ଣ ଅଲଗା । ଯୋଜନାର ନାମ ପିଏମଶ୍ରୀ ହୋଇଥିବାରୁ ତୃଣମୂଳ ସରକାରର ଆପତ୍ତି । ଯୁକ୍ତି ହେଲା ଯେ, ଯୋଜନା ପାଇଁ ରାଜ୍ୟ ସରକାର ମଧ୍ୟ ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ । ତେଣୁ ପିଏମଶ୍ରୀ ଯୋଜନାର ନାମ ହେବା କଥା ନୁହେଁ ।

ପିଏମଶ୍ରୀ ଯୋଜନା ଲାଗୁ କରିନଥିବାରୁ ତିନି ରାଜ୍ୟକୁ ସମଗ୍ର ଶିକ୍ଷା ଅଭିଯାନ -ଏସଏସଏସ ଅନ୍ତର୍ଗତ ପାଂଠି ବନ୍ଦ ରଖିବା ଠିକ୍ ହୋଇନାହିଁ ବୋଲି ମତ ପ୍ରକାଶ ପାଇଛି । ଏଭଳି ପଦକ୍ଷେପ ସଂଘୀୟ ବ୍ୟବସ୍ଥାର ବିରୋଧୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Comments are closed.