Latest Odisha News

ଏନଡିଏ ବଜେଟ, ମୋଦିଙ୍କ ଚ୍ୟାଲେଞ୍ଜ

ଜୁଲାଇ ୨୩ରେ ସାଧାରଣ ବଜେଟ । ବଜେଟ ଏଥର ଟିକେ ଭିନ୍ନ । ଭିନ୍ନ ଏଥିପାଇଁ ଯେ, ଏଥର ବିଜେପିର ନୁହେଁ, ଏନଡିଏର ବଜେଟ ଆସିବ । କାରଣ ଆଉ କାହାକୁ ଅଜଣା ନାହିଁ ।

କିପରି ରହିବ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ? ବେତନଭୋଗୀ ଓ ମଧ୍ୟବିତ୍ତ ଶ୍ରେଣୀ ଏଥର କଣ ପାଇବେ ? ନିଯୁକ୍ତି ସୁଯୋଗ କେମିତି ସୃଷ୍ଟି ହେବ ? ମୁଦ୍ରାସ୍ଫୀତି ଉପରେ କେମିତି ଲାଗିବ ଲଗାମ ? ଦେଶର ଅର୍ଥନୀତି ନେଇ ଅନେକ ସମସ୍ୟା ରହିଛି । ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ୟା ପ୍ରତି ଧ୍ୟାନ ଦେବା ଆଶା କରାଯାଉଛି ।

ଗତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ୮ ଦଶମିକ ୨ ହାରରେ ବଢିଥିଲା । ହେଲେ ଲୋକଙ୍କ ବ୍ୟକ୍ତିଗତ ଖର୍ଚ୍ଚ ବା ପର୍ସନାଲ କଂଜପସନ୍ ଏକ୍ସପେଂଡିଚର ବଢିଥିଲା ମାତ୍ର ଚାରି ପ୍ରତିଶତ । ଏହି ଖର୍ଚ୍ଚ ହ୍ରାସ ହିଁ ମୋଦି ସରକାରଙ୍କ ପାଇଁ ହୋଇଛି ଚିନ୍ତାର ବିଷୟ । ଏ ଦୃଷ୍ଟିରୁ ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି ସରକାରଙ୍କ ପ୍ରାଥମିକତା ହେବ ।

ପେଟ୍ରୋଲ, ଡିଜେଲ ବିକ୍ରି ଉପରେ ସରକାରୀ ଟିକସ ଆବଶ୍ୟକଠାରୁ ଅଧିକ ବୋଲି କୁହାଯାଉଛି । ଟିକସ ହ୍ରାସ କରି ସରକାର ଲୋକଙ୍କ ପାଖରେ ଅଧିକ ପଇସା ଠୁଳ କରିପାରିବେ । ଏହାଦ୍ୱାରା ଖୁଚୁରା ମୁଦ୍ରାସ୍ଫୀତି ବି କମ୍ ହୋଇପାରିବ । ଲୋକଙ୍କ କ୍ରୟ ଶକ୍ତି ବଢିବ । ରେକର୍ଡ ସପ୍ତମ ଥର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ସାଧାରଣ ବଜେଟରେ ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦେଇପାରନ୍ତି ।

କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ସୀତାରମଣ । ଆୟକର ଛାଡ ସୀମାରେ ପରିବର୍ତ୍ତନ କରିପାରନ୍ତି ଅର୍ଥମନ୍ତ୍ରୀ । ଏହାଦ୍ୱାରା ମଧ୍ୟବିତ୍ତ ଓ ବେତନଭୋଗୀ ବିଶେଷ ଉପକୃତ ହେବେ । ଆୟକର ରିହାତି ଲୋକଙ୍କ କ୍ରୟ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ, ଯାହା କି ଅର୍ଥନୀତିକୁ ଗତି ଦେଇପାରିବ ।

ବଜେଟରେ କୃଷିକ୍ଷେତ୍ରକୁ ସରକାର ପ୍ରାଥମିକତା ଦେଇପାରନ୍ତି । କୃଷକମାନଙ୍କ ପାଇଁ କିଷାନ ସମ୍ମାନ ନିଧି ରାଶି ବୃଦ୍ଧି କରାଯାଇପାରେ । ଏଥିସହ କୃୃଷି ସାମଗ୍ରୀ ଉପରେ ଟିକସ ହ୍ରାସ ବି ସମ୍ଭାବନା ରହିଛି ।

ସରକାରୀ କର୍ମଚାରୀଙ୍କୁ ଖୁସି କରିବା ପାଇଁ ନୂଆ ପେନସନ ଯୋଜନାକୁ ଅଧିକ ଆକର୍ଷଣୀୟ କରିବା ଉପରେ ଜୋର୍ ଦେଇପାରନ୍ତି ସରକାର ।

ବେକାରୀ ସମସ୍ୟା ମୋଦି ସରକାରଙ୍କ ପାଇଁ ଆଉ ଏକ ବଡ ଚ୍ୟାଲେଂଜ । ଅଧିକକୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟିକୁ ସରକାର ପ୍ରାଧାନ୍ୟ ଦେବା ଆଶା କରାଯାଉଛି । ନିଯୁକ୍ତି ସୃଷ୍ଟି ପାଇଁ ଭିତ୍ତିଭୂମି ଓ ଶକ୍ତି ଭଳି କିଛି କ୍ଷେତ୍ର ଉପରେ ମୋଦି ସରକାରଙ୍କ ଫୋକସ୍ ରହିପାରେ ।

ଲୋକସଭା ନିର୍ବାଚନରେ ବିଭିନ୍ନ ବର୍ଗର ଭୋଟର ବିଜେପିକୁ ମୁହଁ ମୋଡିଥିଲେ । ଦରଦାମ ବୃଦ୍ଧି, ବେରୋଜଗାରୀ ଭଳି ସମସ୍ୟା ନେଇ ମଧ୍ୟମ, ନିମ୍ନ ଆୟବର୍ଗ ଓ ଯୁବବର୍ଗ ମଧ୍ୟରେ ଥିବା ଚରମ ଅସନ୍ତୋଷ ଲୋକସଭା ନିର୍ବାଚନରେ ବିଜେପିର ଦୁର୍ବଳ ପ୍ରଦର୍ଶନରେ ପ୍ରତିଫଳିତ ହୋଇଥିଲା । ଏସବୁ ବର୍ଗ ପ୍ରତି ସରକାର ଏଥର ବଜେଟରେ ବିଶେଷ ଧ୍ୟାନ ଦେଇପାରନ୍ତି ।

 

Comments are closed.