Latest Odisha News

BREAKING NEWS

ସ୍ୱଚ୍ଛଳ ବର୍ଗଙ୍କୁ ‘କୋଟା’ ମନା

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏହାର ରାଜନୈତିକ ଓ ସାମାଜିକ ପ୍ରଭାବ ନେଇ ସମୀକ୍ଷା ଆରମ୍ଭ ହୋଇଯାଇଛି । ଏସସି , ଏସଟିଙ୍କ ମଧ୍ୟରେ ସବ-କ୍ୟାଟୋଗୋରୀ ବା ଉପ-ସଂରକ୍ଷଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଉପ ସଂରକ୍ଷଣ ମାନେ କୋଟା ଭିତରେ କୋଟା ସୃଷ୍ଟି ସପକ୍ଷରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ସମେତ ୬ ଜଣ ବିଚାରପତି ମତ ଦେଇଥିଲା ବେଳେ କେବଳ ଜଣ ବିଚାରପତି ଏହାକୁ ବିରୋଧ କରିଥିଲେ । ଏହି  ପ୍ରସଙ୍ଗରେ ସାମ୍ବିଧାନିକ ପୀଠ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଖାରଜ କରିଛନ୍ତି । ୨୦୦୪ରେ ସୁପ୍ରିମକୋର୍ଟଙ୍କ୬ ଜଣିଆ ପୀଠ ଏସସି ଓ ଏସଟିଙ୍କ ମଧ୍ୟ ଉପ ସଂରକ୍ଷଣ ବ୍ୟବସ୍ଥାକୁ ମନା କରିଦେଇଥିଲେ । ନୂଆ ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସମ୍ବିଧାନର ଧାରା ୧୫ ଓ ୧୬ ଅନୁସାରେ ରାଜ୍ୟ ସରକାରମାନେ ଉପ-ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାରେ ଅସୁବିଧା ନାହିଁ । ତେବେ ଏହି ବ୍ୟବସ୍ଥା ତଥ୍ୟ ଉପରେ ଆଧାରିତ ହେବା ଦରକାର । ଏସସି, ଏସଟିଙ୍କ ମଧ୍ୟରେ ଉପବର୍ଗଙ୍କ ଲାଗି ୧୦୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।

ବଡକଥା ହେଲା ଏସସି ଓ ଏସଟିଙ୍କ ସଂରକ୍ଷଣରୁ ଆର୍ଥିକ ସ୍ୱଚ୍ଛଳ ବର୍ଗ ବା କ୍ରିମି ଲେୟରଙ୍କୁ ବାଦ୍ ଦେବାକୁ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏସସି ଓ ଏସଟିଙ୍କ ମଧ୍ୟରେ ଥିବା ସ୍ୱଚ୍ଛଳ ବର୍ଗର ଲୋକ ସଂରକ୍ଷଣର ସୁବିଧା ପାଉଥିବା ବେଳେ ପଛୁଆ ବର୍ଗ ବଂଚିତ ହେଉଛନ୍ତି ।

ବର୍ତ୍ତମାନ ଅନ୍ୟାନ୍ୟ ପଛୁଆ ବର୍ଗ-ଓବିସିଙ୍କ ସଂରକ୍ଷଣ କ୍ଷେତ୍ରରେ ହିଁ ଆର୍ଥିକ ସ୍ୱଚ୍ଛଳ ବର୍ଗଙ୍କୁ ବାଦ୍ ଦିଆଯାଉଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ବର୍ଗୀକରଣ କରାଯିବ ଓ ଆର୍ଥିକ ସ୍ୱଚ୍ଛଳଙ୍କୁ ସଂରକ୍ଷଣରୁ ବାଦ୍ ଦିଆଯିବ । ଏଥିପାଇଁ ରାଜ୍ୟ ସରକାରମାନଙ୍କୁ ପର୍ଯ୍ୟାପ୍ତ ତଥ୍ୟ ଉପସ୍ଥାପନ କରିବାକୁ ହେବ ।

ସୁପ୍ରିମକୋର୍ଟ ରାୟର ତର୍ଜମା କରି କିଛି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି ଯେ, ସବ୍‌-କ୍ୟାଟୋଗୋରୀ ବା ଉପବର୍ଗ ସୃଷ୍ଟି ଦ୍ୱାରା ଦଳିତ ଭୋଟ୍ ପ୍ରଭାବିତ ହେବ । ସବ୍ –କ୍ୟାଟୋଗୋରୀ ଅର୍ଥ ଏସସି ଓ ଏସଟି ଭୋଟ୍ ବିଭାଜନ । ବିଜେପି ସରକାର ସବ୍‌-କ୍ୟାଟୋଗୋରୀ ପ୍ରସ୍ତାବର ସମର୍ଥନ କରିଥିଲେ । ଆଂଚଳିକ ଦଳଗୁଡିକ ଏଣିକି ନିଜ ନିଜ ଫାଇଦା ଦେଖି ଏସସି, ଏସଟିଙ୍କ ସବ୍ କ୍ଲାସିଫିକେସନ କରିବେ ।

ଦଳିତ ନେତା ପ୍ରକାଶ ଆମ୍ବେଦକର ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଉପବର୍ଗ ସୃଷ୍ଟି ନେଇ ଆପତ୍ତି ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ସମାନତା ଅଧିକାର ବିରୋଧୀ ବୋଲି ମତ ଦେଇଛନ୍ତି ଆମ୍ବେଦକର । କ୍ରିମି ଲେୟର ବା ସ୍ୱଚ୍ଛଳ ବର୍ଗ କିପରି ନିରୂପଣ ହେବେ ବୋଲି ପ୍ରଶ୍ନ ହୋଇଛି ।

ସୁପ୍ରିମକୋର୍ଟଙ୍କ ରାୟ ଉତ୍ତର ପ୍ରଦେଶ, ବିହାର ଭଳି ରାଜ୍ୟମାନଙ୍କୁ ରାଜନୈତିକ ଓ ସାମାଜିକ ଦୃଷ୍ଟିରୁ ଅଧିକ ପ୍ରଭାବିତ କରିବ ବୋଲି ମତ ପ୍ରକାଶ ପାଇଛି ।

 

Comments are closed.