Latest Odisha News

‘ଅର୍ପଣ ଚାଉଳ’ ବିବାଦ; ମହାପ୍ରଭୁଙ୍କ ଭୋଗରେ ଲାଗି ପାରିବନାହିଁ

ପୁରୀ: ୧୦ହଜାର ଉର୍ଦ୍ଧ୍ବ କୁଇଣ୍ଟାଲ୍ ଅର୍ପଣ ଚାଉଳରେ ପୋକ।ମହାପ୍ରଭୁଙ୍କ ଭୋଗ ଲାଗିବା ଯୋଗ୍ୟ ହୋଇନାହିଁ ଗଚ୍ଛିତ ଅର୍ପଣ ଚାଉଳ। ଏନେଇ ମୁଖ୍ୟ ପ୍ରଶାସକଙ୍କୁ ଭେଟି ତାକୁ ଆବଶ୍ୟକ କରୁଥିବା ଲୋକ ମାନଙ୍କୁ ବାଣ୍ଟି ଦେବା ପାଇଁ ଆଲୋଚନା କଲା ସୁଆର ମହାସୁଆର ନିଯୋଗ।

ଗତ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଅର୍ପଣ ଚାଉଳ ନାଁରେ ଦୁଆର ଦୁଆର ବୁଲି ଚାଉଳ ଆଣିଥିଲେ ରାଜ୍ୟ ସରକାର।ମହାପ୍ରଭୁଙ୍କ କାମରେ ଲାଗିବ କହି ତାକୁ ଏଠି ସେଠୀ ପକାଇ ରଖିଥିଲେ। ତେବେ ବିଭିନ୍ନ ଆଡୁ ବିରୋଧ ପରେ ତାକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ଦାୟିତ୍ଵକୁ ଆଣିବା ସହ ଭକ୍ତଙ୍କୁ ଖେଚୁଡ଼ି କରି ବାଣ୍ଟିବା ପାଇଁ ଦାୟିତ୍ଵ ନେଇଥିଲା ସୁଆର ମହାସୁଆର ନିଯୋଗ। ବାରମିଷା ଚାଉଳ ଯୋଗୁଁ ସେତେବେଳେ ଦେଖା ଦେଇଥିଲା ବିବାଦ ।

ସେତେବେଳ ୧୪ ହଜାର କୁଇଣ୍ଟଲ୍ ରୁ ୪ ହଜାର କୁଇଣ୍ଟାଲକୁ ନିଜ ଜିମାରେ ନେଇଥିଲା ନିଯୋଗ। ତେବେ ଦୀର୍ଘ ୪ ମାସ ରୁ ଅଧିକ ସମୟରେ ଅଢେଇରୁ ୩ ହଜାର କୁଇଣ୍ଟାଲ୍ ଚାଉଳ ଖର୍ଚ୍ଚ ହୋଇ ଶ୍ରଦ୍ଧାଳୁଙ୍କୁ ଖେଚୁଡ଼ି କାନିକା ବଣ୍ଟା ଯାଇଥିବା ବେଳେ ବାକି ଚାଉଳ ଗୁଡିକରେ ପୋକ ଲାଗିଛି।

ତେଣୁ ନିଯୋଗ ପାଖରେ ବଳକା ଥିବା ଦେଢ଼ ହଜାର କୁଇଣ୍ଟାଲ ଓ ଅନ୍ୟ ୧୦ ହଜାର କୁଇଣ୍ଟାଲ ଚାଉଳ ଏବେ ମହାପ୍ରଭୁଙ୍କ ଭୋଗରେ ଲାଗିବା ଭଳି ସ୍ଥିତି ରେ ନାହିଁ। ଚାରି ମାସରେ ମାତ୍ର ଅଢେଇ ହଜାର କୁଇଣ୍ଟାଲ୍ ଖର୍ଚ୍ଚ ହୋଇଥିବା ବେଳେ ବାକି ଥିବା ୧୦ ହଜାର ରୁ ଉର୍ଦ୍ଧ୍ବ କୁଇଣ୍ଟଲ୍ ଚାଉଳ ଏବେ ସମ୍ପୁର୍ଣ୍ଣ ନଷ୍ଟ ହେବା ଆଶଙ୍କା କରିଛି ନିଯୋଗ।

ସେଥିପାଇଁ ଏହା ସମ୍ପୂର୍ଣ୍ଣ ନଷ୍ଟ ହେବା ପୂର୍ବରୁ ଖୁବ୍ ଶୀଘ୍ର ଗରିବ ମାନଙ୍କୁ ବାଣ୍ଟି ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଜଣାଇଛି ସୁଆର ମହାସୁଆର ନିଯୋଗ।

ଅପରପକ୍ଷେ ଅର୍ପଣ ଚାଉଳ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି,‘ଅର୍ପଣ ଚାଉଳ ଠାକୁରଙ୍କ ପାଖରେ ଲାଗି ହୋଇପାରିବନି। ପୂର୍ବ ସରକାର ଏହି କଥା ଶୁଣିବାକୁ ନାରାଜ ଥିଲେ। ଖୁବଶୀଘ୍ର ଏହାକୁ ନେଇ ପରିଚାଳନା କମିଟି ବସିବ। ଯାହାପରେ ନିଷ୍ପତ୍ତି ନେବେ ରାଜ୍ଯ ସରକାର।

ସେହିପରି ଏହି ପ୍ରସଙ୍ଗରେ ବିଜେଡି ନେତା ପ୍ରଦୀପ ଦିଶାରି କହିଛନ୍ତି ଯେ ଅର୍ପଣ ଚାଉଳକୁ ନେଇ ରାଜନୀତି କରିବା ଠିକ୍ ନୁହେଁ। ଲୋକମାନେ ନିଜ ଇଚ୍ଛାରେ ଅର୍ପଣ କରିଛନ୍ତି। ଏହାକୁ ଠିକ୍ ଭାବେ ପ୍ରଶାସନ ରଖିପାରିଲା ନାହିଁ ବୋଲି ସେ କହିଛନ୍ତି।

 

 

Comments are closed.