Latest Odisha News

ବାତ୍ୟା ବୁଲବୁଲ ପରବର୍ତ୍ତୀ ଓଡ଼ିଶାର କେଉଁ ଜିଲ୍ଲାରେ କିପରି କ୍ଷୟକ୍ଷତି ହୋଇଛି, ଜାଣନ୍ତୁ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗଙ୍କ ସୂଚନା ଅନୁଯାୟୀ ଆଜି ତା୦୯.୧୧.୨୦୧୯ ପ୍ରାତଃ ୫.୩୦ ମିନିଟରେ ସାମୁଦ୍ରିକ ଝଡ଼ ବୁଲ୍‍ବୁଲ୍‍ ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୧୧୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଥିଲା । ସେତେବେଳେ ଏହାର ବେଗ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୩ କି.ମି. ବେଗରେ ଉତ୍ତର ଦିଗକୁ ଗତି କରିଥିଲା । ଏହା କ୍ରମଶଃ ଅଗ୍ରସର ହେବା ସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳସ୍ଥ ସୁନ୍ଦରବନ ତ୍ରିକୋଣଭୂମି ମଧ୍ୟଦେଇ ସ୍ଥଳଭାଗରେ ପ୍ରବେଶ କରିବ ।

ବାତ୍ୟାର ପ୍ରଭାବରେ ଆଜି ସକାଳ ସମୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ଥଣ୍ଡ କୋହଲା ପବନ ଘଣ୍ଟାପ୍ରତି ୬୦ରୁ ୭୦ କି.ମି. ବେଗରେ ଏପରିକି ବେଳେବେଳେ ୮୦ କି.ମି. ବେଗରେ ପ୍ରବାହିତ ହେଉଥିଲା । ପରବର୍ତ୍ତୀ ସମୟରେ ଏହି ଜିଲ୍ଲା ଗୁଡ଼ିକରେ ଝଡ଼ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୮୦ କି.ମି. ଏପରିକି ବେଳେବେଳେ ୯୦ କି.ମି. ବେଗରେ ପ୍ରବାହିତ ହେବାର ନଜରକୁ ଆସିଥିଲା । ଧାମରା ବନ୍ଦର ଠାରେ ପବନର ବେଗ ସର୍ବାଧିକ ୧୧୦ କି.ମି. ପରିଲକ୍ଷିତ ହୋଇଥିଲା ।

ସେହିପରି ଏହି ସମୟ ମଧ୍ୟରେ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଥଣ୍ଡା/କୋହଲା ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି. ଏପରିକି ୬୦ କି.ମି. ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।

ଏହି ବାତ୍ୟାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ବାଲେଶ୍ୱର, ଯାଜପୁର, ପୁରୀ, କଟକ, ମୟୁରଭଞ୍ଜ, ଖୋର୍ଦ୍ଧା ଓ କେଉଁଝର ଜିଲ୍ଲାରେ ବର୍ଷା ହୋଇଅଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ୍‍ରେ ୧୮୦ ମି.ମି., ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍‍ରେ ୧୫୦.୧ ମି.ମି. ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍‍ରେ ୧୩୬ ମି.ମି. ବର୍ଷାର ପରିମାଣ ରେକର୍ଡ଼ କରାଯାଇଅଛି । ସେହିପରି ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ୍‍ରେ ୧୦୦ ମି.ମି. ଏରସମାରେ ୮୧ ମି.ମି. କୁଜଙ୍ଗରେ ୬୪ ମି.ମି., ବାଲିକୁଦାରେ ୫୬ ମି.ମି. ବର୍ଷା, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ୍‍ରେ ୮୯.୦ ମି.ମି., ମହାକାଳପଡ଼ା ବ୍ଲକ୍‍ରେ ୭୫ ମି.ମି., ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ୍‍ରେ ୭୨.୦ ମି.ମି., ବାଲେଶ୍ୱର ଜିଲ୍ଲ ।ର ଭୋଗରାଇ ବ୍ଲକ୍‍୍‍ରେ ୫୨.୨ ମି.ମି. ଏବଂ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ୍‍ରେ ୫୧.୦ ମି.ମି. ବର୍ଷା ହୋଇଅଛି ।

ବାତ୍ୟା ଜନିତ ବର୍ଷା ଓ ପବନ ଯୋଗୁଁ ୬ଟି ଜିଲ୍ଲା ଯଥା- ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ମୟୁରଭଞ୍ଜ, ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ଧନଜୀବନ କ୍ଷତିଗ୍ରସ୍ତ ହୋଇଅଛି । ପ୍ରାଥମିକ ତଥ୍ୟ ଅନୁଯାୟୀ ଜଗତସିଂହପୁର ଜିଲ୍ଳାର ସମସ୍ତ ୮ଟି ବ୍ଲକ୍‍ ଓ ୨ ଟି ପୌରପରିଷଦ କ୍ଷତିଗ୍ରସ୍ତ ହୋଇଅଛି । ଜଗତସିଂହପୁର, ଯାଜପୁର. କେନ୍ଦ୍ରପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଉପକୂଳ ଅଞ୍ଚଳରେ ପବନ ଯୋଗୁଁ ବହୁତ ଗଛ ଉପୁଡ଼ି ଯାଇଛି ଓ ବହୁତ ଗଛର ଡାଳ ଭାଙ୍ଗିଯାଇ ଗମନାଗମନ ବିଛିନ୍ନ ହୋଇଅଛି । ସେହିପରି କେତେକ ଅଞ୍ଚଳରେ ବିଦ୍ୟୁତ୍‍ ଖୁଣ୍ଟ ମଧ୍ୟ ଉପୁଡିଯାଇ ଯାତାୟତର ଅସୁବିଧା ପରିଲକ୍ଷିତ ହୋଇଅଛି ।

ବର୍ଷା ଓ ପବନ ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲ୍‍ାଗୁଡ଼ିକରେ ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଅଛି । ପ୍ରାଥମିକ ଚାକ୍ଷୁଷ ଆକଳନ ଅନୁଯାୟୀ ପ୍ରାୟ ୬ ଲକ୍ଷ ହେକ୍ଟର ଚାଷ ଜମିରୁ ଶତକଡ଼ା ୩୫ ରୁ ୪୦ ଭାଗ ଚାଷ ଜମିରେ ଫସଲହାନୀ ହୋଇଥିବାର ଜଣାପଡ଼େ । ଏ ସମ୍ପର୍କରେ ଆଜି କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବଙ୍କ ସହିତ ଭିଡ଼ିଓ କନ୍‍ଫରେନସିଂ ମାଧ୍ୟମରେ ଅବଗତ କରାଯାଇଅଛି । କ୍ୟାବିନେଟ ସଚିବଙ୍କ ସହିତ ଆଲୋଚନା ସମୟରେ, ଫସଲ କ୍ଷୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ଅନୁଧ୍ୟାନକାରୀ ଦଳ ରାଜ୍ୟକୁ ପଠାଇବା ପାଇଁ ଅନୁରୋଧ କରାଯାଇଅଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଘରର କାନ୍ଥ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଅଛି । ଏହା କ୍ଷେତ୍ରୀୟ ସ୍ତରରେ ତଦନ୍ତ ପକ୍ରିୟା ଚାଲୁରହିଅଛି ।

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ବିପଦସଂକୂଳ ସ୍ଥାନମାନଙ୍କରୁ ପ୍ରାୟ ୩୬୮୨ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ୪୬ଟି ଆଶ୍ରୟସ୍ଥଳରେ ରଖାଯାଇଅଛି । ସେମାନଙ୍କୁ ଶୁଖିଲା ଖାଦ୍ୟ ସହିତ ରନ୍ଧା ଖାଦ୍ୟ, ପାନୀୟଜଳ ଇତ୍ୟାଦି ଯୋଗାଇ ଦିଆଯାଇଅଛି ।
ପଶ୍ଚିମବଙ୍ଗ ଅଞ୍ଚଳରୁ ଆସିଥିବା ୪୩ ଟି ମାଛଧରା ଡଙ୍ଗା ଓ ସେଥିରେ ଥିବା ୩୮୧ ଜଣ କ୍ରିୟୁ ଷ୍ଟାପ୍‍ ଧାମରା ମାଛଧରା ବନ୍ଦର ଓ ତାଳଚୁଆ ଠାରେ ଆଶ୍ରୟ ନେଇଛନ୍ତି । ସେମାନଙ୍କୁ ଆବଶ୍ୟକ ଆଶ୍ରୟ ଏବଂ ଖାଦ୍ୟ ଆଦି ଯୋଗାଇ ଦିଆଯାଇଅଛି । ଧାମରାଠାରୁ କିଛି ଦୂର ସମୁଦ୍ରକୂଳରେ ଏକ ଡଙ୍ଗା ଥିବା ବେଳେ ଦୂର୍ଘଟଣା ଗ୍ରସ୍ତ ହୋଇଅଛି । ମାତ୍ର ସେଥିରେ ଥିବା ୯ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନରେ ରଖାଯାଇଅଛି ।

ବର୍ଷା ଓ ପବନ ଯୋଗୁଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେଉଁଝର ଜିଲ୍ଳାରେ ବିଦ୍ୟୁତ୍‍ ସରବରାହ ବିଛିନ୍ନ ହୋଇଥିଲା । ପ୍ରାଥମିକ ତଥ୍ୟ ଅନୁଯାୟୀ ୩୩ କେଭି ଫିଡର୍‍, ୩୩/୧୧ କେଭି ଫିଡର, ୧୧ କେଭି ଫିଡର, ବଣ୍ଟନ ଟ୍ରାନ୍‍ଫର୍ମର ପ୍ରଭାବିତ ହୋଇଅଛି । ବିଛିନ୍ନ ବିଦ୍ୟୁତ୍‍ ସରବରାହର ପୁନରୁଦ୍ଧାର କାର୍ଯ୍ୟ ଜିଲ୍ଲାମାନଙ୍କରେ ଦ୍ରୁତଗତିରେ ଚାଲୁ ରହିଅଛି । କୁଶଳୀ ଗ୍ୟାଙ୍ଗ୍‍ମ୍ୟାନ୍‍ ବିଛିନ୍ନ ହୋଇଥିବା ବିଦ୍ୟୁତ୍‍ ସରବରାହର ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଆଶାକରାଯାଉଛି ଆସନ୍ତା କାଲି ସୁଦ୍ଧା ବିଜୁଳି ସରବରାହ ସମ୍ପୂର୍ଣ୍ଣ ଭାବେ ସ୍ୱଭାବିକ ହୋଇପାରିବ ।

ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଓଡ୍ରାଫ୍‍ ଟିମ୍‍, ଏନ୍‍ଡିଆର୍‍ଏଫ୍‍ ଟିମ ଓ ଅଗ୍ନିଶମ ବାହିନୀ ମାନଙ୍କ ଦ୍ୱାରା ରାସ୍ତା ଓ ଘର ଉପରେ ପଡ଼ିଯାଇଥିବା ଗଛ ଗୁଡ଼ିକୁ କାଟି ସଫାକରି ଗମନାଗମନକ୍ଷମ କାର୍ଯ୍ୟ ଚାଲୁ ରଖିଛନ୍ତି । ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ଜିଲ୍ଲାରେ ରାସ୍ତା ଗୁଡ଼ିକରୁ ଗଛ ଏବଂ ବିଦ୍ୟୁତ୍‍ ଖୁଣ୍ଟ ଗୁଡ଼ିକ ପ୍ରାୟତଃ ହଟାଇ ଦିଆଯାଇ ଗମନାଗମନକୁ ସ୍ୱଭାବିକ କରାଯାଇଛି । ବର୍ଷା ଏବଂ ପବନର ତିବ୍ରତା ହ୍ରାସ ପରେ ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଳାରେ ରାସ୍ତା ଏବଂ ବିଦ୍ୟୁତ୍‍ ସରବରାହ ଭିତ୍ତିଭୂମିର ପୁନରୁଦ୍ଧାର କରିବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି ।

Comments are closed.