Latest Odisha News

BREAKING NEWS

ଫେରିବେ ‘ଏଂଗ୍ରି ୟଙ୍ଗମ୍ୟାନ’ର ସ୍ରଷ୍ଟା

ନୂଆଦିଲ୍ଲୀ: ସଲିମ-ଜାଭେଦ । ହିନ୍ଦୀ ସିନେମାରେ ସଫଳ ଓ ଲୋକପ୍ରିୟ ସ୍କ୍ରିନ ରାଇଟର୍ ଯୋଡି । କାହାଣୀ ଓ ଚିତ୍ରନାଟ୍ୟ ଜରିଆରେ ସତୁରୀ ଦଶକରେ ହିନ୍ଦୀ ସିନେମାରେ ଆଣିଥିଲେ ବୈପ୍ଲବିକ ପରିବର୍ତ୍ତନ । ହିନ୍ଦୀ ସିନେମାର ଧାରା ବଦଳାଇ ଥିଲେ ସଲିମ-ଜାଭେଦ୍। ହିନ୍ଦୀ ସିନେମାରେ ‘ଏଂଗ୍ରି ୟଙ୍ଗମ୍ୟାନ୍‌’ର ସ୍ରଷ୍ଟା ହେଉଛନ୍ତି ସଲିମ-ଜାଭେଦ । ଅମିତାଭ ବଚ୍ଚନଙ୍କୁ ଫ୍ଲପ୍ ଷ୍ଟାରରୁ ଏଂଗ୍ରି ୟଙ୍ଗମ୍ୟାନ୍ ଓ ସୁପରଷ୍ଟାର କରିବାରେ ସଲିମ -ଜାଭେଦ ଯୋଡିଙ୍କ ବଡ ଅବଦାନ ରହିଛି ।

ସ୍କ୍ରିନ ରାଇଟରଙ୍କ ଏହି ସୁପରହିଟ ଯୋଡି ପୁଣି ପରଦାକୁ ଫେରିବେ । ଏନେଇ ସଂକେତ ଦେଇଛନ୍ତି ଜାଭେଦ ଅଖତର । ଚାରି ଦଶକ ପରେ ଆଉ ଏକ ଫିଲ୍ମର କାହାଣୀ ଲେଖିବେ ସଲିମ ଖାନ୍ ଓ ଜାଭେଦ ଅଖତର । ଏକ ଓଟିଟି ପ୍ଲାଟଫର୍ମ ପାଇଁ ନିର୍ମିତ ଡକ୍ୟୁ ସିରିଜ ଏଂଗ୍ରି ୟଙ୍ଗମ୍ୟାନର ଟ୍ରେଲର ଲଂଚ୍ ଅବସରରେ ଜାଭେଦ ଅଖତର , ସଲିମ ଖାନଙ୍କ ସହ ପୁଣି ଫିଲ୍ମ ପଟ୍ଟକଥା ଲେଖିବେ ବୋଲି ସଂକେତ ଦେଇଛନ୍ତି । ପରିହାସ ଛଳରେ କହିଛନ୍ତି ଯେ, ଏଥର ସେମାନେ ମୋଟା ଅଙ୍କର ପାରିଶ୍ରମିକ ନେବେ ।

ସୁପରହିଟ୍ ସ୍କ୍ରିନ ରାଇଟର ଯୋଡି

ଭାରତୀୟ ସିନେମାରେ ‘ଏଂଗ୍ରି ୟଙ୍ଗମ୍ୟାନ’ର ସୃଷ୍ଟିକର୍ତ୍ତା ହେଉଛନ୍ତି ସଲିମ-ଜାଭେଦ୍ । ୧୯୭୩ରେ ଜଞ୍ଜିର ଫିଲ୍ମ ଜରିଆରେ ଏଂଗ୍ରୀ ୟଙ୍ଗମ୍ୟାନ ଚରିତ୍ରର ଉପସ୍ଥାପନ କରିଥିଲେ ସଲିମ-ଜାଭେଦ ଯୋଡି । ଜଂଜିର ଅମିତାଭ ବଚ୍ଚନଙ୍କ କ୍ୟାରିଅରର ମୋଡ ବଦଳାଇ ଦେଇଥିଲା । ସଲିମ-ଜାଭେଦଙ୍କ ଯୋଗୁଁ ଅମିତାଭ ବଚ୍ଚନ ଏଂଗ୍ରୀ ୟଙ୍ଗମ୍ୟାନ୍ ଭାବେ ଲୋକପ୍ରିୟ ହେଲେ । ଜଞ୍ଜିର୍ ପରେ ୟାଦୋଁ କି ବାରାତ୍‌, ମଜବୁର ଓ ହାତ୍ କି ସଫାଇ ଭଳି ପିଲ୍ମର କାହାଣୀ ଲେଖିଥିଲେ ସଲିମ ଖାନ ଓ ଜାଭେଦ ଅଖତର । ଶୋଲେ, ଦିବାର୍ , ତ୍ରିଶୂଲ, ଡନ୍ ଓ କାଲାପଥର ଭଳି ମାଷ୍ଟରପିସ ପଛରେ ଥିଲା ସଲିମ-ଜାଭେଦଙ୍କ ଯାଦୁକରୀ ପଟ୍ଟକଥା । ଲୋକପ୍ରିୟତା ଦୃଷ୍ଟିରୁ ଫିଲ୍ମ ପୋଷ୍ଟରରେ ସଲିମ-ଜାଭେଦଙ୍କ ନାଁ ବି ରହୁଥିଲା । ଫିଲ୍ମର ଲିଡ୍ ଆକ୍ଟରଙ୍କଠାରୁ ବି ସଲିମ-ଜାଭେଦ ଯୋଡିଙ୍କ ଫିସ୍ ଅଧିକ ଥିଲା ।

ସଲିମ-ଜାଭେଦ ନଥିଲେ..

ଅମିତାଭ ବଚ୍ଚନଙ୍କ ଫିଲ୍ମ ଗୋଟିଏ ପରେ ଗୋଟିଏ ଫ୍ଲପ୍ ହେଉଥିଲା। କ୍ୟାରିୟରରେ ଲାଗିଥିଲା ପ୍ରଶ୍ନଚିହ୍ନ । ସଲିମ-ଜାଭେଦଙ୍କ ଯୋଗୁଁ ହିଁ ଗତିଶୀଳ ହୋଇଥିଲା ଅମିତାଭଙ୍କ କ୍ୟାରିଅର । ଅମିତାଭ ବଚ୍ଚନ ଅଭିନୀତ ବହୁ ବ୍ଲକବଷ୍ଟର ଫିଲ୍ମର କାହାଣୀ ସଲିମ-ଜାଭେଦ ହିଁ ଲେଖିଛନ୍ତି । ଜଂଜିର, ଶୋଲେ, ଦୀବାର, ତ୍ରିଶୂଲ, ଡନ୍ ଗୋଟିଏ ଗୋଟିଏ ଉଦାହରଣ ।

ରହସ୍ୟମୟ ବ୍ରେକ୍ ଅପ୍

ଏକତ୍ର ୨୪ଟି ଫିଲ୍ମର କାହାଣୀ ଲେଖିଥିଲେ ସଲିମ ଜାଭେଦ । ୨୨ଟି ଫିଲ୍ମ ବ୍ଲକବଷ୍ଟର ଥିଲା । ଖ୍ୟାତି ଓ ଲୋକପ୍ରିୟତା ଶୀର୍ଷରେ ଥିବା ବେଳେ ଭାଙ୍ଗି ଯାଇଥିଲା ସଲିମ-ଜାଭେଦଙ୍କ ଯୋଡି । ୧୯୮୨ରେ ହୋଇଥିଲା ବ୍ରେକ୍ ଅପ୍ । କାହାଣୀକାର ଭାବେ ଦୁହିଁଙ୍କ ଶେଷ ଫିଲ୍ମ ଥିଲା ମିଷ୍ଟର ଇଣ୍ଡିଆ, ଯାହା କି ୧୯୮୭ରେ ରିଲିଜ ହୋଇଥିଲା । ବ୍ରେକ୍ ଅପର କାରଣ ଆଜି ଯାଏଁ ସ୍ପଷ୍ଟ ଜଣାପଡିନାହିଁ । କିଛି ଅନ୍ୟ ଲୋକଙ୍କ ପ୍ରଭାବ ଯୋଗୁଁ ଅଲଗା ହେବାକୁ ପଡିଲା ବୋଲି ଜାଭେଦ ଅଖତର ଅନେକ ଥର କହିଛନ୍ତି । ବ୍ରେକ୍ ଅପ ପରେ ଜାଭେଦ ଅଖତର ଜଣେ ଗୀତିକାର ଭାବେ ନିଜକୁ ବ୍ୟସ୍ତ ରଖିଛନ୍ତି ।

Comments are closed.