Latest Odisha News

BREAKING NEWS

ଅଶାନ୍ତ ବାଂଲାଦେଶରେ ବହୁତ କିଛି ବଦଳିଛି

ଢାକା: ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ସହ ଅନେକ କିଛି ବଦଳି ଯାଇଛି । ହସିନାଙ୍କ ଇସ୍ତଫା ଓ ବାଂଲାଦେଶରୁ ପଳାୟନ ପରେ ବି ଶାନ୍ତ ହୋଇନାହାନ୍ତି ଆନ୍ଦୋଳନକାରୀ । ଉଗ୍ର ଆନ୍ଦୋଳନକାରୀ ଓ ବିରୋଧୀ ଦଳ ବାଂଲାଦେଶ ଜନ୍ମ ଓ ଏହାର ଇତିହାସକୁ ବୋଧହୁଏ ଭୁଲାଇ ଦେବା ଚାହାନ୍ତି । ହସିନା ଓ ଆୱାମୀ ଲିଗ୍ ପ୍ରତି ଲୋକଙ୍କ ଏପରି ବିତୃଷ୍ଣା ଆସିଯାଇଛି ଯେ, ବାଂଲାଦେଶ ମୁକ୍ତି ସଂଗ୍ରାମର ସେନାପତି ବଙ୍ଗବନ୍ଧୁ ତଥା ଦେଶର ପ୍ରଥମ ରାଷ୍ଟ୍ରପତି ଶେଖ ମୁଜିବର ରହମନଙ୍କୁ ମଧ୍ୟ ଅସମ୍ମାନ କରାଯାଇଛି । ୧୯୭୫ ମସିହା ଅଗଷ୍ଟ ୧୫ରେ ବଙ୍ଗବନ୍ଧୁ ଶେଖ ମୁଜିବର ରହମନଙ୍କୁ ଏକ ସାମରିକ ବିଦ୍ରୋହରେ ହତ୍ୟା କରାଯାଇଥିଲା । ବଙ୍ଗବନ୍ଧୁଙ୍କ ହତ୍ୟା ଦିବସକୁ ଜାତୀୟ ଶୋକ ଦିବସ ଭାବେ ପାଳନ କରାଯାଇ ଛୁଟି ଘୋଷଣା ହେଉଥିଲା । କିନ୍ତୁ ଏବେ ସ୍ଥିତି ଅଲଗା । ଆଉ ବଙ୍ଗବନ୍ଧୁଙ୍କ ହତ୍ୟା ଦିବସକୁ ଛୁଟି ଘୋଷଣା କରାଯିବ ନାହିଁ କି ଜାତୀୟ ଶୋକ ଦିବସ ପାଳନ ହେବ ନାହିଁ । ନିଜ ଦେଶର ପ୍ରତିଷ୍ଠାତାଙ୍କୁ କିଏ ଏପରି ଅସମ୍ମାନ କରେ ? ବଙ୍ଗବନ୍ଧୁ ଶେଖ ମୁଜିବର ରହମନ ହେଉଛନ୍ତି ଶେଖ୍ ହସିନାଙ୍କ ବାପା ।

ବଙ୍ଗବନ୍ଧୁ ଆଜି ବୈରୀ !

ବାଂଲାଦେଶରେ ସେନା ସହାୟତାରେ ଗଠନ କରାଯାଇଥିବା ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି ଯେ, ବଙ୍ଗବନ୍ଧୁଙ୍କ ହତ୍ୟା ଦିବସରେ ସରକାରୀ ଛୁଟି ରହିବ ନାହିଁ । ସେ କହିଛନ୍ତି ଯେ, ସବୁ ରାଜନୈତିକ ଦଳ ସହ ପରାମର୍ଶ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି । ଶେଖ ହସିନାଙ୍କ ବିରୋଧରେ ଉଗ୍ର ବିକ୍ଷୋଭ ପ୍ରଦର୍ଶନ ବେଳେ କିଛି ଆନ୍ଦୋଳନକାରୀ ଢାକା ଓ ଅନ୍ୟ ସହରରେ ଥିବା ବଙ୍ଗବନ୍ଧୁ ଶେଖ୍ ମୁଜିବର ରହମନଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରି ଭଙ୍ଗାରୁଜା କରିଥିଲେ । କେବଳ ସେତକି ନୁହେଁ, ଯେଉଁ କୋଠରୀରେ ବଙ୍ଗବନ୍ଧୁଙ୍କୁ ହତ୍ୟା କରାଯାଇଥିଲା, ସେଥିରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । କୋଠରୀଟିକୁ ଏକ ମ୍ୟୁଜିୟମରେ ପରିଣତ କରାଯାଇଥିଲା । ଏକ ରାଜନୈତିକ ଆନ୍ଦୋଳନରେ ନିଜ ଦେଶର ପ୍ରତିଷ୍ଠାତାଙ୍କୁ ଏମିତି ଅସମ୍ମାନ ନିରପେକ୍ଷ ବାଂଲାଦେଶୀ ନାଗରିକଙ୍କୁ ଯନ୍ତ୍ରଣା ଦେଇଛି ।

ଟାର୍ଗେଟରେ ଭାରତ –ବାଂଲା ବନ୍ଧୁତ୍ୱ ପ୍ରତୀକ

ହସିନା ହଟିଲା ପରେ ବାଂଲାଦେଶରେ ଏବେ ଭାରତ ଓ ହିନ୍ଦୁ ବିରୋଧୀ ପ୍ରଦର୍ଶନ ଜାରି ରହିଛି । ମୌଳବାଦୀ ସଂଗଠନ ଓ ଜମାତ-ଇ-ଇସଲାମୀ ପାର୍ଟିର ଭାରତ ବିରୋଧୀ ସ୍ୱର ତୀବ୍ର ହୋଇଛି । ଭାରତ ସହ ବନ୍ଧୁତାର ସବୁ ପ୍ରତୀକକୁ ନଷ୍ଟ କରିଦିଆଯାଉଛି । ୧୯୭୧ ଯୁଦ୍ଧରେ ପାକିସ୍ତାନ ସେନାର ସରେଣ୍ଡର୍ ସଂପର୍କିତ ମୂର୍ତ୍ତି  ଉପରେ ଆକ୍ରମଣ ହୋଇଛି । ମୁଜିବନଗର ଇଣ୍ଡିଆନ ମେମୋରିଆଲ କଂପ୍ଲେକ୍ସରେ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । ହିନ୍ଦୁ ମନ୍ଦିର ଓ ହିନ୍ଦୁ ସଂପତ୍ତି ଉପରେ ଜାରି ରହିଛି ଆକ୍ରମଣ । ମହମ୍ମଦ ୟୁନୁସ କେବଳ ଶାନ୍ତି ପାଇଁ ଅପିଲ କରି ଚୁପ୍ ହୋଇଯାଇଛନ୍ତି ।

ଭୟରେ ଆୱାମୀ ଲିଗ୍ କର୍ମୀ

ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ପାର୍ଟିର କର୍ମୀ ଓ କର୍ମକର୍ତ୍ତାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ଆନ୍ଦୋଳନକାରୀ । ବିରୋଧୀ ବିଏନସି ଓ ଜମାତ-ଇ-ଇସଲାମୀ ଭଳି ଦଳର ଆକ୍ରୋଶର ଶୀକାର ହେଉଛନ୍ତି ଆୱାମୀ ଲିଗ୍ ପାର୍ଟିର ନେତା ଓ କର୍ମୀ । ହସିନାଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରାଯାଇଛି । ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଭୟରେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି ଆୱାମୀ ଲିଗ୍ ପାର୍ଟିର ଅନେକ ସଦସ୍ୟ ।

Comments are closed.