Latest Odisha News

ମିଛଧରା ଟେଷ୍ଟରୁ ସତ ଧରିବ ସିବିଆଇ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ ତଦନ୍ତ ଜୋରଦାର କରିଛି ସିବିଆଇ । ସବୁ ଦିଗରୁ ତଦନ୍ତ ଜାରି ରଖିଛି ଏଜେନସୀ । ସତ ଓଗାରିବା ପାଇଁ ଅଭିଯୁକ୍ତ ସଂଜୟ ରାୟର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି । ଆରଜି କର ମେଡିକାଲ କଲେଜ ଓ ହସପିଟାଲର ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷଙ୍କ କରାଯାଇଛି ପଲିଗ୍ରାଫ ଟେଷ୍ଟ । ଦିଲ୍ଲୀର ସେଂଟ୍ରାଲ ଫରେନସିକ୍ ସାଇନ୍ସ ଲାବ୍ରୋଟୋରିର ବିଶେଷଜ୍ଞମାନେ ପଲିଗ୍ରାଫ ଟେଷ୍ଟ ପାଇଁ କୋଲକାତା ଆସିଛନ୍ତି ।

ସନ୍ଦୀପ ଘୋଷଙ୍କ ପଲିଗ୍ରାଫ ଟେଷ୍ଟ

ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷ ଓ ଅନ୍ୟ ଚାରି ଡାକ୍ତର ଜଘନ୍ୟ ଅପରାଧର କିଛି ଘଂଟା ପୂର୍ବରୁ ପୀଡିତାଙ୍କ ସହ ଭୋଜନ କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିବା ଦିନଠାରୁ ହିଁ ସନ୍ଦେହ ଘେରରେ ରହିଛି ସନ୍ଦୀପ ଘୋଷଙ୍କ କାର୍ଯ୍ୟକଳାପ । ସିବିଆଇ ସନ୍ଦୀପଙ୍କୁ ଲଗାତର ୮ ଦିନ ଧରି ଘାଂଟିବା ପରେ ତାଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟଙ୍କ ଅନୁମତି ଲୋଡିଥିଲା । ସୁପ୍ରିମକୋର୍ଟରେ ଦାଖଲ କରିଥିବା ଷ୍ଟାଟସ ରିପୋର୍ଟରେ ସନ୍ଦୀପ ଘୋଷଙ୍କ ସନ୍ଦେହଜନକ ଭୂମିକା ବାବଦରେ ଉଲ୍ଲେଖ କରିଛି ସିବିଆଇ । କୋଲକାତାର ଏକ ସ୍ପେଶାଲ କୋର୍ଟ ସନ୍ଦୀପ ଘୋଷଙ୍କ ଉପରେ ପଲିଗ୍ରାଫ ଟେଷ୍ଟ ପାଇଁ ସିବିଆଇକୁ ଅନୁମତି ଦେଇଥିଲେ ।

ପଲିଗ୍ରାଫ ଟେଷ୍ଟ କ’ଣ ? 

ପଲିଗ୍ରାଫ ଟେଷ୍ଟକୁ ଲାଇ ଡିଟେକ୍ଟର ଟେଷ୍ଟ ବୋଲି ମଧ୍ୟ କୁହାଯାଏ । ପଲିଗ୍ରାଫ ହେଉଛି ଏକ ପ୍ରକାର ଡିଭାଇସ, ଯାହା ଜରିଆରେ ଅଭିଯୁକ୍ତର କଥା ସତ ନା ମିଛି ଜଣାପଡେ । ପଲିଗ୍ରାଫ ଟେଷ୍ଟ ଜରିଆରେ ପ୍ରଶ୍ନ ଓ ଉତ୍ତର ପ୍ରକ୍ରିୟା ବେଳେ ଅଭିଯୁକ୍ତର ଶରୀରରେ ହେଉଥିବା ପରିବର୍ତ୍ତନକୁ ବିଶ୍ଲେଷଣ କରି ନିଷ୍କର୍ଷ ବାହାର କରାଯାଏ । ଟେଷ୍ଟ ବେଳେ ଅଭିଯୁକ୍ତ ଯଦି ମିଛ କହେ, ତାହା ହେଲେ ତାର ହୃଦସ୍ପନ୍ଦନ, ନିଶ୍ୱାସ ପ୍ରଶ୍ୱାସ ଓ ଅନ୍ୟ ଗତିବିଧିରେ ପରିବର୍ତ୍ତନ ହୁଏ । ପଲିଗ୍ରାଫ ଟେଷ୍ଟ ବେଳେ ରକ୍ତଚାପ ଓ ନାଡି ବି ମପାଯାଏ ।

ସମ୍ବିଧାନର ଧାରା ୨୦(୩) ଅନୁସାରେ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟକୁ ଅଗ୍ରାହ୍ୟ କରିବା ଅଧିକାର ରହିଛି । କୌଣସି ଅଭିଯୁକ୍ତଙ୍କ ଉପରେ ଜୋର ଜବରଦସ୍ତ ହୋଇପାରିବ ନାହିଁ ପଲିଗ୍ରାଫ ଟେଷ୍ଟ୍ ।

ଘୋଷଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ 

ସିବିଆଇକୁ ଆରଜି କର ମେଡିକାଲ କଲେଜ ଓ ହସପିଟାଲର ସିସିଟିଭି ଫୁଟେଜ ମିଳିଛି । କୋଲକାତାର ସାଇବର କ୍ରାଇମ ପୋଲିସ ସିବିଆଇକୁ ହସ୍ତାନ୍ତର କରିଛି ଫୁଟେଜ୍ । ଏଣେ ଆରଜି କର ହସପିଟାଲରେ ଆର୍ଥିକ ଅନିୟମିତତା ଅଭିଯୋଗ ସଂପର୍କିତ କାଗଜପତ୍ର ସବୁ ସିବିଆଇକୁ ହସ୍ତାନ୍ତର କରିଛି ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ । ଆରଜି କର ହସପିଟାଲର ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ମଧ୍ୟ ଆସିଛି । ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ଆଦେଶ ପରେ ଘୋଷଙ୍କ ବିରୋଧରେ ଏତଲା ଦାୟର କରିଛି ସିବିଆଇ । ଆରଜି କର ଘଟଣାରେ ତିନିମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ସିବିଆଇକୁ ପୂର୍ବରୁ ନିର୍ଦ୍ଦେଶ ଦେଇିଛନ୍ତି ସୁପ୍ରିମକୋର୍ଟ ।

ରାସ୍ତାକୁ ଓହ୍ଲାଇଲେ ବୈଜ୍ଞାନିକ, ଛାତ୍ରସଂଘ 

ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ବିରୋଧରେ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି । ବିଭିନ୍ନ ବର୍ଗର ଲୋକେ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ଘଟଣା ପ୍ରତିବାଦରେ ବୈଜ୍ଞାନିକମାନେ କୋଲକାତାରେ ବିକ୍ଷୋଭ ଶୋଭାଯାତ୍ରା ବାହାର କରିଛନ୍ତି । ଭାରତୀୟ ଛାତ୍ର ସଂଘ-ଏସଏଫଆଇ କର୍ମୀମାନେ ମଧ୍ୟ ଆଜି ଘଟଣା ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି । ଘଟଣାରେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଡିୱାଏଫଆଇ କର୍ମୀମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି ।

 

Comments are closed.