Latest Odisha News

BREAKING NEWS

ସାବଧାନ୍ ! ଘରେ ବସି ହେବେ ଡିଜିଟାଲ୍ ଆରେଷ୍ଟ

ନୂଆଦିଲ୍ଲୀ: ସାଇବର ଠକେଇର ନୂଆ ତରିକା, ଡିଜିଟାଲ୍ ଆରେଷ୍ଟ । ସାଧାରଣତଃ ଗିରଫ କରିବା ଅର୍ଥ ପୋଲିସ ଆରେଷ୍ଟ କରି ଜେଲକୁ ନେବ । ତେବେ ଡିଜିଟାଲ୍ ଆରେଷ୍ଟରେ ଠକେଇ କରୁଥିବା ସାଇବର ଠକ ପୋଲିସ ଅଧିକାରୀ, ସିବିଆଇ ଅଧିକାରୀ ବା ଅନ୍ୟ କୌଣସି ସରକାରୀ ଅଧିକାରୀଙ୍କ ନାଁରେ ଧମକ ଚମକ ଦିଅନ୍ତି। ଦିନ ଦିନ ଧରି ଭିଡିଓ କଲରେ ଆପଣଙ୍କ ଗତିବିଧିକୁ ଲକ୍ଷ୍ୟ କରନ୍ତି । ଫଳରେ କିଛି ବୁଝିବା ଆଗରୁ ଠକେଇର ଶିକାର ହେଉଛନ୍ତି ଲୋକେ।

କେମିତି କରାଯାଏ ଡିଜିଟାଲ୍ ଆରେଷ୍ଟ?

ଡିଜିଟାଲ ଆରେଷ୍ଟ ପାଇଁ ମାନବ ଚାଲାଣ, ଟଙ୍କା ହେରଫେର ଭଳି ସଂଗୀନ ଆରୋପ ଲଗାଇ ପ୍ରଥମେ ଜାଲ ବିଛାନ୍ତି ସାଇବର ଠକ । ଭିଡିଓ କଲ୍ କାଟିଲେ ସତସତିକା ପୋଲିସ ଆସି ଗିରଫ କରିନେବେ କହି ଡରାନ୍ତି । ଭିଡିଓ କଲ୍ କରିବା ବେଳେ ନକଲି ପୋଲିସ ଷ୍ଟେସନର ପୂରା ସେଟଅପ୍ ପ୍ରସ୍ତୁତ କରିଥାନ୍ତି ସାଇବର ଠକ । ନିଜେ ବି ପୋଲିସ ୟୁନିଫର୍ମରେ ନଜର ଆସନ୍ତି । ତେଣୁ କିଛି ବୁଝିବା ଆଗରୁ ଠକଙ୍କ ଜାଲରେ ଫସିଯାଆନ୍ତି ଲୋକେ । ଡିଜିଟାଲ୍ ଆରେଷ୍ଟ ହୋଇଥିବା କହି ସାଇବର ଠକ ଭିଡିଓ କଲ୍ ନକାଟିବାକୁ ଧମକ ଦିଅନ୍ତି । ସେପଟେ ଭିଡିଓ କଲ୍ ମାଧ୍ୟମରେ ନଜର ରଖନ୍ତି । କିଛି ସମୟ ପରେ ଠକ ମାମଲା ରଫାଦଫା କରିବାକୁ ଟଙ୍କା ମାଗନ୍ତି । ଅଯଥା ଥାନାର ଚକ୍କର କାଟିବା ଭୟରେ ଅନେକ ଲୋକ ଠକେଇର ଶିକାର ହୋଇଯାନ୍ତି ।

ଡିଜିଟାଲ୍ ଆରେଷ୍ଟରେ ୭ଦିନ

ନିକଟରେ ଲକ୍ଷ୍ନୌର ଡକ୍ଟର ରୁଚିକା ଟଣ୍ଡନଙ୍କୁ ୭ଦିନ ଧରି ଡିଜିଟାଲ ଆରେଷ୍ଟରେ ରଖିଥିଲେ ସାଇବର ଠକ । ପ୍ରଥମେ ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ ବା ଟ୍ରାଇରୁ କଲ୍ ଆସିଥିବା କହିଥିଲେ । ପୋଲିସ ରୁଚିକାଙ୍କ ନମ୍ବର ବନ୍ଦ କରିବାକୁ କହିଛି । ମୁମ୍ବାଇ ସାଇବର କ୍ରାଇମ୍ ଅଫିସରୁ ରୁଚିକାଙ୍କ ନମ୍ବରରୁ କିଛି ଲୋକଙ୍କୁ ଧମକପୂର୍ଣ୍ଣ ମେସେଜ ପଠାଯାଇଥିବା କୁହାଯାଇଥିଲା । ଏହାପରେ ବିଭିନ୍ନ ପର୍ଯ୍ୟାୟରେ ରୁଚିକାଙ୍କୁ ନକଲି ଆଇପିଏସ୍ ଅଫିସର,ସିବିଆଇ ଅଧିକାରୀଙ୍କ ସହ କଥା କରାଯାଇଥିଲା । ଜାତୀୟ ସୁରକ୍ଷା ମାମଲା କହି ଏସଂପର୍କରେ କାହାକୁ ନକହିବା ପାଇଁ ରୁଚିକାଙ୍କୁ କହିଥିଲେ ସାଇବର ଠକ । ୭ଦିନ ଧରି ରୁଚିକାଙ୍କୁ ଡିଜିଟାଲ ଆରେଷ୍ଟରେ ରଖିବା ସହ ୨କୋଟି ୮୧ଲକ୍ଷ ଟଙ୍କା ଠକି ନେଇଥିଲେ । କେବଳ ରୁଚିକା ନୁହେଁ ଦେଶରେ ଡିଜିଟାଲ ଆରେଷ୍ଟ ମାମଲା ବଢିବାରେ ଲାଗିଛି । ହରିୟାଣା ଫରିଦାବାଦରେ ଜଣେ ୨୩ବର୍ଷୀୟ ଯୁବତୀଙ୍କଠାରୁ ଅଢେଇ ଲକ୍ଷ ଟଙ୍କା ଠକେଇ ହୋଇଛି । ଯୁବତୀଙ୍କୁ ୨୪ଘଣ୍ଟା ଧରି ଡିଜିଟାଲ୍ ଆରେଷ୍ଟରେ ରଖିଥିଲେ ଠକ । କେବଳ ବାଥରୁମ୍ ଯିବାକୁ ଓ ପରିବାର ଲୋକଙ୍କ ସହ କିଛି ସମୟ କଥା ହେବାକୁ ଅନୁମତି ଦିଆଯାଇଥିଲା ।

କ’ଣ କରୁଛନ୍ତି ସରକାର?

ଡିଜିଟାଲ ଆରେଷ୍ଟ ନେଇ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥିସହ କେନ୍ଦ୍ର ସରକାର ମାଇକ୍ରୋସଫ୍ଟ ସହ ମିଶି ଧମକ ଚମକ ଦେବାକୁ ବ୍ୟବହାର ହେଉଥିବା ହଜାର ହଜାର ଭିଡିଓ କଲ୍ ଆଇଡି ବ୍ଲକ କରିଛନ୍ତି। ନକଲି ଅନ୍ତର୍ଜାତୀୟ କଲ୍ ରୋକିବାକୁ କାମ ଆରମ୍ଭ ହୋଇଛି। ଇଡି, ସିବିଆଇ ଭଳି ସରକାରୀ ଏଜେନ୍ସିର ଲୋଗୋର ଯେଭଳି ଅପବ୍ୟବହାର ହୋଇନପାରିବ ସେନେଇ ଅଭିଯାନ କରାଯାଉଛି । ଏଥିସହ ସୋସିଆଲ ମିଡିଆରେ ସାଇବର ଅପରାଧରୁ ରକ୍ଷା ପାଇବା ନେଇ ସଚେତନ କରାଯାଉଛି।

କେମିତି ଡିଜିଟାଲ ଆରେଷ୍ଟରୁ ରକ୍ଷା ପାଇବେ?

ପାସଓ୍ବାର୍ଡ ବାରମ୍ବାର ପରିବର୍ତ୍ତନ କରନ୍ତୁ । ଫୋନ୍, ଲାପଟପ୍ କିମ୍ବା ଅନ୍ୟ କୌଣସି ଉପକରଣରେ ସଫ୍ଟଓ୍ବେୟାର ଅପଟୁଡେଟ୍ ରଖନ୍ତୁ । ଆଣ୍ଟିଭାଇରସ ରଖିବା ସହ ନିଜେ ସାଇବର ଅପରାଧ ନେଇ ସଚେତନ ହୁଅନ୍ତୁ । କୌଣସି ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ । ଗିରଫଦାରୀ ଡିଜିଟାଲରେ ହୁଏ ନାହିଁ, ସେକଥା ଜାଣିରଖନ୍ତୁ । ପୋଲିସ ହୁଅନ୍ତୁ କି ସରକାରୀ ଅଧିକାରୀ, ଭିଡିଓ କଲରେ କୌଣସି ସୂଚନା ଦିଅନ୍ତି ନାହିଁ । ବିଧିବଦ୍ଧ ଭାବେ ଡକ୍ୟୁମେଣ୍ଟର କପି ଦିଆଯାଏ। ତେବେ ଆପଣ ଡିଜିଟାଲ ଆରେଷ୍ଟର ଶିକାର ହୋଇଥିଲେ ଏନେଇ ପୋଲିସ କିମ୍ବା ସାଇବର ସେଲରେ ଅଭିଯୋଗ କରିପାରିବେ ।

Comments are closed.