Latest Odisha News

BREAKING NEWS

ଅପୂର୍ବା ଅବନୀ: ପାରାଅଲିମ୍ପିକ୍ସରେ ଭାରତର ଗୌରବ

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସରେ ଭାଗ ନେଉଥିବା ଚର୍ଚ୍ଚିତ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ ଅବନୀ ଲେଖରା ଅନ୍ୟତମ । ତିନି ବର୍ଷ ପୂର୍ବେ ଟୋକିଓ ପାରାଅଲିମ୍ପିକ୍ସ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ଅବନୀ ଲେଖରା । ପ୍ରଥମ ଭାରତୀୟ ସୁଟର ଭାବେ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ ଅବନୀ । ଏଥର ପ୍ୟାରିସ ପାରାଅଲିମ୍ପିକ୍ସରେ ମଧ୍ୟ କମାଲ କରିଛନ୍ତି ଅବନୀ । ଏସଏଚ-ୱାନ୍ ଶ୍ରେଣୀର ଏଥର ମଧ୍ୟ ୧୦ ମିଟର ଏୟାର ରାଇଫଲ ଇଭେଂଟରେ ସ୍ୱର୍ଣ୍ଣ ଜିତି ଭାରତକୁ କରିଛନ୍ତି ଗୌରବାନ୍ୱିତ । ଏଥିସହ ଦୁଇଟି ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି ଅବନୀ ।

ଅବନୀଙ୍କ ଦୁର୍ଘଟଣା ଓ ସଫଳ ଅଲିମ୍ପିକ ଅଭିଯାନ

ରାଜସ୍ଥାନ ଜୟପୁରର ମୂଳ ବାସିନ୍ଦା ହେଉଛନ୍ତି ଅବନୀ ଲେଖରା । ସେ ଜଣେ ଆଇନ୍ ଛାତ୍ରୀ । ୨୦୧୨ ମସିହାରେ ଏକ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ମେରୁଦଣ୍ଡ ସଂପର୍କିତ ସମସ୍ୟାର ସାମନା କରିଥିଲେ । ହ୍ୱିଲଚେୟାର ସାହାରା ନେଇ ଦୃଢ ମନୋବଳ ସହ ଆଗକୁ ବଢିଥିଲେ । ବାପାଙ୍କ ପରାମର୍ଶ ପରେ ଖେଳ ପ୍ରତି ଆଗ୍ରହ ଦେଖାଇ ପାରା ସୁଟିଂ ଓ ତୀରନ୍ଦାଜୀ ଅଭ୍ୟାସ ଆରମ୍ଭ କରିଥିଲେ ଅବନୀ । ସମୟକ୍ରମେ ସେ ସୁଟିଂ ପ୍ରତି ଅଧିକ ଆଗ୍ରହ ଦେଖାଇଲେ । ଜୟପୁରରେ ଥିବା ସୁଟିଂ ରେଞ୍ଜରେ ଭିନ୍ନକ୍ଷମଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିଲା । ନିଜେ ରାମ୍ପ ବ୍ୟବସ୍ଥା କରି ଅଭ୍ୟାସ କରିଥିଲେ ଅବନୀ । ସୁଟିଂ ପାଇଁ କ’ଣ ସବୁ ଉପକରଣ ଆବଶ୍ୟକ, ସେ ନେଇ ଅବନୀଙ୍କ ପିତାମାତାଙ୍କୁ ଜଣାନଥିଲା । ପରେ ଅବନୀଙ୍କ ଅଭ୍ୟାସ ପାଇଁ ସବୁ ବ୍ୟବସ୍ଥା କରାଯାଇଥିଲା ।

ଅବନୀଙ୍କ ଆନ୍ତର୍ଜାତିକ ସଫଳତା

ପାରାଅଲିମ୍ପିକ୍ସ ସୁଟିଂରେ ପଦକ ହାସଲ କରିଥିବା ଅବନୀଙ୍କ ଲକ୍ଷ୍ୟ ଥିଲା । ୨୦୨୦ ଟୋକିଓ ପାରାଅଲିମ୍ପିକ୍ସରେ ଭାଗ ନେଇ ଅବନୀ ଗୋଟିଏ ନୁହେଁ ଦୁଇଟି ପଦକ ଜିତିଥିଲେ । ଏସଏଚ-ୱାନ ଶ୍ରେଣୀରେ ୧୦ ମିଟର ଏୟାର ରାଇଫଲ ଇଭେଂଟରେ ସ୍ୱର୍ଣ୍ଣ ଓ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଂଭେଟରେ ବ୍ରୋଞ୍ଜ ହାସଲ କରି ଐତିହାସିକ ସଫଳତା ହାସଲ କରିଥିଲେ ଅବନୀ । ଗୋଟିଏ ଅଲିମ୍ପିକ୍ସରେ ଏକାଧିକ ପଦକ ଜିତିବାରେ ପ୍ରଥମ ଭାରତୀୟ ପାରାଆଥଲେଟ୍ ହୋଇଥିଲେ ଅବନୀ ।୨୦୨୨ରେ ଫ୍ରାନ୍ସରେ ଆୟୋଜିତ ବିଶ୍ୱକପ୍ ପାରା ସୁଟିଂର ଉଭୟ ୧୦ ମିଟର ଏୟାର ରାଇଫଲ ଓ ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ସ୍ୱର୍ଣ୍ଣ ଜିତିଥିଲେ ଅବନୀ । ୨୦୨୨ ହାଙ୍ଗଝୁ ପାରାଏସିଆନ ଗେମ୍ସର ୧୦ ମିଟର ଏୟାର ରାଇଫଲ ଇଭେଂଟରେ ମଧ୍ୟ ସ୍ୱର୍ଣ୍ଣ ହାସଲ କରିଥିଲେ ଅବନୀ ।

ଅନେକ ଜାତୀୟ ଓ ଆନ୍ତର୍ଜାତିକ ପୁରସ୍କାର
ପାରାଅଲିମ୍ପିକ, ପାରାଏସିଆନ ଗେମ୍ସ ଓ ବିଶ୍ୱକପ୍ ପାରା ସୁଟିଂରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶକୁ ଗୌରବଶାଳି କରିଥିବା ଅବନୀଙ୍କୁ ମିଳିଛି ଅନେକ ଜାତୀୟ ଓ ଆନ୍ତର୍ଜାତିକ ସମ୍ମାନ । ୨୦୨୧ରେ ଅବନୀଙ୍କୁ ଭାରତର ସର୍ବୋଚ୍ଚ କ୍ରୀଡା ସମ୍ମାନ ଖେଳ ରତ୍ନରେ ସମ୍ମାନିତ କରାଯାଇଥିଲା । ୨୦୨୨ରେ ପଦ୍ମଶ୍ରୀ ଓ ବିବିସି ଚେଞ୍ଜମେକର ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହୋଇଛନ୍ତି ଅବନୀ ।

 

 

Comments are closed.