Latest Odisha News

BREAKING NEWS

ମଲିଉଡ୍‌ର ଡାର୍ଟି ପିକଚର୍‌

ନୂଆଦିଲ୍ଲୀ: ଉନ୍ନତ କଳାତ୍ମକ ଫିଲ୍ମ ପାଇଁ ପ୍ରସିଦ୍ଧ ମାଲୟଲମ ଫିଲ୍ମ ଇଣ୍ଡଷ୍ଟ୍ରି ବା ମଲିଉଡରେ ଏବେ ହଇଚଇ । ଯୈାନ କେଳେଙ୍କାରୀ ନେଇ ଉଠୁଛି ପଡୁଛି ମଲିଉଡ୍ । ଜଷ୍ଟିସ ହେମା କମିଟି ରିପୋର୍ଟ ସାର୍ବଜନୀନ ହେବା ପରେ ମଲିଉଡରେ ଯୈାନ ଶୋଷଣ, କାଷ୍ଟିଂ କାଉଚ୍ ନେଇ ସୃଷ୍ଟି ହୋଇଛି ଆଲୋଡନ । ଏକାଧିକ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତାଙ୍କ ଉପରକୁ ହୋଇଛି ଅଙ୍ଗୁଳି ନିର୍ଦ୍ଦେଶ । ପ୍ରତିଦିନ ହେଉଛି ନୂଆ ନୂଆ ଚାଂଚଲ୍ୟକର ଖୁଲାସା, ଯାହା କି ମଲିଉଡକୁ ସ୍ତବ୍ଧ କରିଦେଇଛି ।

ଲୋକପ୍ରିୟ ନିର୍ଦ୍ଦେଶକ ଓ ଅଭିନେତାଙ୍କ ବିରୋଧରେ ଅଭିଯୋଗ

ମାଲୟଲମ ସିନେମାର ଲୋକପ୍ରିୟ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକଙ୍କ ବିରୋଧରେ ଆସିଛି ଯୈାନ ଉତ୍ପୀଡନର ଅଭିଯୋଗ । ଏମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତା ସିଦ୍ଦିକୀ, ମୁକେଶ, ଜୟସୂର୍ଯ୍ୟା ଓ ନିର୍ଦ୍ଦେଶକ ରଞ୍ଜିତ । ଜଷ୍ଟିସ ହେମା କମିଟି ରିପୋର୍ଟ ସାର୍ବଜନୀନ ହେବା ପରେ ନୀରବ ରହିଥିବା ଅଭିନେତ୍ରୀ ଏବେ ମୁହଁ ଖୋଲିବାରେ ଲାଗିଛନ୍ତି । ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ଯୌନ ଶୋଷଣ ଅଭିଯୋଗ ପରେ ମାଲୟଲମ ଚଳଚ୍ଚିତ୍ର କଳାକାର ସଂଘ-ଏଏମଏମଏର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଦିକି । କେବଳ ସେତିକି ନୁହେଁ , ଅଭିଯୋଗ ଆସିବା ପରେ ନୈତିକତା ଦୃଷ୍ଟିରୁ ଏଏମଏମଏର ସଭାପତି ଅଭିନେତା ମୋହନଲାଲଙ୍କ ସମେତ ସବୁ ସଦସ୍ୟ ଇସ୍ତଫା ଦେଇଛନ୍ତି । ଭଙ୍ଗ ହୋଇଛି ଏଏମଏମଏ । ଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ଅଭିଯୋଗ ପରେ କେରଳ ଚଳଚ୍ଚିତ୍ର ଏକାଡେମୀର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରଞ୍ଜିତ । ଅଭିନେତା ଜୟସୂର୍ଯ୍ୟାଙ୍କ ବିରୋଧରେ ଦୁଇଟି ଦୁଇଟି ଏତଲା ଦାୟର ହୋଇଛି ।

କାହିଁକି ଗଠନ ହୋଇଥିଲା ଜଷ୍ଟିସ ହେମା କମିିଟି ?

ମାଲୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଉତ୍ପୀଡନ ଅଭିଯୋଗ ବହୁ ପୁରୁଣା । ୨୦୧୭ରେ ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କୁ ଅପହରଣ ଓ ଯୌନ ଉତ୍ପୀଡନ ଷଡଯନ୍ତ୍ର ଅଭିଯୋଗ ଚାଂଚଲ୍ୟ ସୃଷ୍ଟି କରିଥିଲା । ଲୋକପ୍ରିୟ ଅଭିନେତା ଦିଲ୍ଲୀପଙ୍କ ବିରୋଧରେ ଅଭିଯୋଗ କରିଥିଲେ ପୀଡିତା । ଦିଲ୍ଲୀପଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ୨୦୧୭ ମସିହା ମେ ମାସରେ ମାଲୟଲମ ସିନେମାର କିଛି ମହିଳା କଳାକାର ଓ ଟେକନିସିଆନ ପୀଡିତା ଅଭିନେତ୍ରୀଙ୍କ ସମର୍ଥନରେ ବାହାରିଥିଲେ । ଲୈଙ୍ଗିକ ଅସାନତା, ଅସଦାଚରଣ ଓ ଅନ୍ୟାୟକୁ ପଦାରେ ପକାଇବା ପାଇଁ ଓମେନ ଇନ୍ ସିନେମା କଲେକ୍ଟିଭ ନାଁରେ ଏକ ସଂସ୍ଥା ଗଠନ ହୋଇଥିଲା । ଅଭିନେତ୍ରୀଙ୍କ ଯୌନ ଶୋଷଣ ଷଡଯନ୍ତ୍ରର ତଦନ୍ତ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଥିଲା ଓମେନ ଇନ୍ ସିନେମା କଲେକ୍ଟିଭ ସଂସ୍ଥା । ମାଲୟଲମ ସିନେମା ଇଣ୍ଡଷ୍ଟ୍ରିରେ ମହିଳାମାନେ ସାମନା କରୁଥିବା ସମସ୍ୟାର ସମାଧାନ ପାଇଁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ବିଭିନ୍ନ ଅଭିଯୋଗର ଯାଂଚ ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କେ. ହେମାଙ୍କ ନେତୃତ୍ୱରେ ଗଠନ କରିଥିଲେ କମିଟି ।

ଜଷ୍ଟିସ ହେମା କମିଟି ରିପୋର୍ଟରେ ଚାଂଚଲ୍ୟକର ଖୁଲାସା

ହେମା କମିଟି ରିପୋର୍ଟର କିଛି ଅଂଶ ସାର୍ବଜନୀନ ହେବା ପରେ ଚାଂଚଲ୍ୟକର ଖୁଲାସା ସାମନାକୁ ଆସିଛି । ମାଲୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ଯୈାନ ଶୋଷଣ ଓ ଅସଦାଚରଣ ବ୍ୟାପକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । କେବଳ ସେତିକି ନୁହେଁ ବେଆଇନ୍ ପ୍ରତିବନ୍ଧକ, ଭେଦଭାବ, ଡ୍ରଗ୍ସ କାରବାର, ପାରିଶ୍ରମିକରେ ଅସମାନତା ମାଲୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ବ୍ୟାପକ ବୋଲି ହେମା କମିଟି ରିପୋର୍ଟରେ କୁହାଯାଇଛି । କିଛି ପୁରୁଷ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତାଙ୍କ କବଜାରେ ହିଁ ମାଲୟଲମ ଫିଲ୍ମ ଇଣ୍ଡଷ୍ଟ୍ରି ପରିଚାଳିତ ହେଉଛି ବୋଲି ହେମା କମିଟି ରିପୋର୍ଟରେ କୁହାଯାଇଛି ।

ରିପୋର୍ଟ ପରେ ଏବେ କ’ଣ ଚାଲିଛି ?

ଜଷ୍ଟିସ ହେମା କମିଟି ରିପୋର୍ଟରେ ସାଂଘାତିକ ଅଭିଯୋଗ ଉଜାଗର ହେଲା ପରେ କେରଳ ସରକାର ଗଠନ କରିଛନ୍ତି ଏସଆଇଟି । ଅଭିଯୋଗକାରୀଙ୍କ  ବୟାନ ରେକର୍ଡ କରାଯାଉଛି । । ପୋଲିସ ପୃଥକ ପୃଥକ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରୁଛି । ଜଷ୍ଟିମ ହେମା କମିଟି ରିପୋର୍ଟ ମଲିଉଡରେ ଚାଲିଆସୁଥିବା ଡାର୍ଟି ପିକଚର ଆଡକୁ ଧ୍ୟାନ ଆକର୍ଷିତ କରିଛି ।

 

Comments are closed.