Latest Odisha News

ଚାକିରି ଛାଡ, ନହେଲେ….

ନୂଆଦିଲ୍ଲୀ: ଶେଖ ହସିନା ସରକାରର ପତନ ପରେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ବଢିଚାଲିଥିବା ଅତ୍ୟାଚାରରେ ବିରାମ ଲାଗିନାହିଁ । ଦେଶରେ ସେନା ସହଯୋଗରେ ଗଠନ ହୋଇଥିବା ଅନ୍ତରୀଣ ସରକାରର ମୁଖିଆ ମହମ୍ମଦ ୟୁନୁସ ବାଂଲାଦେଶୀ ହିନ୍ଦୁମାନଙ୍କୁ ସୁରକ୍ଷା ପାଇଁ ଦେଇଥିଲେ ପ୍ରତିଶ୍ରୁତି । ହେଲେ ପ୍ରତିଶ୍ରୁତି କେବଳ ନାମକୁ ମାତ୍ର । ଧୂଆଁବାଣରେ ପରିଣତ ହୋଇଛି ପ୍ରତିଶ୍ରୁତି । ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ହିନ୍ଦୁମାନଙ୍କୁ ନିର୍ଯାତନା ଜାରି ରହିଛି । ଭାରତ ବିରୋଧୀମାନେ ହିନ୍ଦୁ ଶିକ୍ଷକମାନଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି ।

ହିନ୍ଦୁ ଶିକ୍ଷକମାନଙ୍କୁ ଇସ୍ତଫା ପାଇଁ ବାଧ୍ୟ କରାଯାଉଛି

ବିଭିନ୍ନ ରିପୋର୍ଟ ଅନୁସାରେ ବାଂଲାଦେଶରେ ଡରାଇ, ଧମକାଇ ଏ ଯାଏଁ ପାଖାପାଖି ୫୦ ହିନ୍ଦୁ ଶିକ୍ଷକଙ୍କୁ ଚାକିରି ଛାଡିବା ପାଇଁ ବାଧ୍ୟ କରାଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନର ହିନ୍ଦୁ ଶିକ୍ଷକମାନଙ୍କୁ ଜୋର୍ ଜବରଦସ୍ତ ଇସ୍ତଫା ଦେବାକୁ କୁହାଯାଉଛି । ବରିସାଲ ଜିଲ୍ଲାର ବେକରଗଞ୍ଜ ସରକାରୀ କଲେଜର ପ୍ରିନସିପାଲ ଶୁକ୍ଲା ରାଣୀ ହାଲଦର ଭୟଭୀତ ହୋଇ ଇସ୍ତଫା ଦେଇଛନ୍ତି । ଅଗଷ୍ଟ ୨୯ ତାରିଖରେ ଛାତ୍ର ଓ ବାହାର ଲୋକଙ୍କ ଭିଡ ପ୍ରିନସିପାଲ ରାଣୀ ହାଲଦାରଙ୍କ ଅଫିସରେ ପଶି ତାଙ୍କୁ ଇସ୍ତଫା ଦେବାପାଇଁ ଧମକ ଚମକ ଦେଇଥିଲେ । ବାଧ୍ୟ ହୋଇ ଏକ ସାଦା କାଗଜରେ ପ୍ରିନସିପାଲ କେବଳ ମୁଁ ଇସ୍ତଫା ଦେଉଛି ବୋଲି ଲେଖି ଚାକିରି ଛାଡିଥିଲେ । ଅଗଷ୍ଟ ୧୮ ତାରିଖରେ ଅଜିମପୁର ସରକାରୀ ବାଳିକା ବିଦ୍ୟାଳୟ ଓ ମହାବିଦ୍ୟାଳୟର ୫୦ରୁ ଅଧିକ ଛାତ୍ରୀ ପ୍ରିନସିପାଲ ଗୀତାଞ୍ଜଳି ବରୁଆଙ୍କୁ ଘେରିଯାଇ ତାଙ୍କ ଇସ୍ତଫା ଦାବି କରିଥିଲେ । ସହକାରୀ ପ୍ରଧାନଶିକ୍ଷକ ଗୌତମ ଚନ୍ଦ୍ର ପଲ୍ ଓ ପିଇଟିଙ୍କ ମଧ୍ୟ ଜୋର୍ ଜବରଦସ୍ତ ଇସ୍ତଫା ଦାବି କରିଥିଲେ ଛାତ୍ରୀ । କବି ନଜରୁଲ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ସଂଜୟ କୁମାର ମୁଖାର୍ଜୀ ମଧ୍ୟ ସମାନ ପରିସ୍ଥିତିର ସାମନା କରିଛନ୍ତି ।

ମହମ୍ମଦ ୟୁନୁସଙ୍କ ନୀରବତାକୁ ପ୍ରଶ୍ନ

ଭାରତ ବିରୋଧୀ ଓ ଇସଲାମିଷ୍ଟମାନେ ହିନ୍ଦୁ ଶିକ୍ଷକମାନଙ୍କୁ ଲଗାତର ଟାର୍ଗେଟ କରୁଥିବା ବେଳେ ଆଖି ବୁଜି ଦେଇଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର । ଅନ୍ତରୀଣ ସରକାରର ପରାମର୍ଶଦାତା ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନୀରବତା ନେଇ ପ୍ରଶ୍ନ ଉଠିଛି । ଭୟ ଓ ଆତଙ୍କର ବାତାବରଣରେ ରହିଛନ୍ତି ହିନ୍ଦୁ ଶିକ୍ଷକ ଶିକ୍ଷୟିତ୍ରୀ । ଶେଖ ହସିନାଙ୍କ ଆୱାମୀ ଲିଗ୍‌କୁ ଛାଡିଦେଲେ ଆଉ କୌଣସି ଦଳ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ଶିକ୍ଷକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ମୁହଁ ଖୋଲିନାହାନ୍ତି । କେତେକଙ୍କ ମତରେ ହିନ୍ଦୁ ଓ ସଂଖ୍ୟାଲଘୁ ଶିକ୍ଷକଙ୍କୁ ସେମାନଙ୍କ ରାଜନୈତିକ ଆଭିମୁଖ୍ୟ ପାଇଁ ଟାର୍ଗେଟ କରାଯାଉଛି । ଶେଖ୍ ହସିନାଙ୍କ ଆୱାମୀ ଲିଗ୍‌ର ସମର୍ଥକଙ୍କୁ ଟାର୍ଗେଟ କରାଯାଉଥିବା କିଛିମତ ଦେଇଛନ୍ତି । ହେଲେ ଏହି ଦାବିର ସତ୍ୟତା କେତେ, ତାହା ଅସ୍ପଷ୍ଟ ।

ୟୁନୁସଙ୍କୁ ତସଲିମା ନସରିନଙ୍କ କଡା ସମାଲୋଚନା

ବାଂଲାଦେଶରେ ବର୍ତ୍ତାମାନର ପରିସ୍ଥିତି ନେଇ ଚିନ୍ତା ପ୍ରକାଶ କରିଛନ୍ତି ବାଂଲାଦେଶୀ ଲେଖିକା ତସଲିମା ନସରିନ । ହସିନା କ୍ଷମତାଚ୍ୟୁତ ହେଲା ପରେ ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ଆକ୍ରମଣ ବଢିଛି । ସଂପତ୍ତି ଲୁଟ୍ ହେବା ସହ ମନ୍ଦିରରେ ଭଙ୍ଗାରୁଜା ହୋଇଛି । ଟାର୍ଗେଟ୍ କିଲିଂ ବଢିଚାଲିଛି । ହସିନା ସରକାର ଅମଳର କର୍ମଚାରୀଙ୍କୁ ଭୟଭୀତ କରାଯିବା ସହ ଗିରଫ କରାଯାଉଛି । କିନ୍ତୁ ମହମ୍ମଦ ୟୁନୁସ କିଛି କହୁନାହାନ୍ତି ବୋଲି ଏକ୍ସରେ ପୋଷ୍ଟ କରଛନ୍ତି ତସଲିମା ନସରିନ ।

ନସରିନଙ୍କ ପୋଷ୍ଟରୁ ସ୍ପଷ୍ଟ ଜଣାପଡୁଛି ଯେ, ବାଂଲାଦେଶରେ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ । ଦେଶରେ ମୌଳବାଦୀ ଇସଲାମିଷ୍ଟମାନଙ୍କ ପ୍ରଭାବ ବଢିବାରେ ଲାଗିଛି । ଇସଲାମିଷ୍ଟ ପାର୍ଟି ଜମାତ-ଇ-ଇସଲାମୀ ଉପରୁ ନିକଟରେ ନିଷେଧାଦେଶ ହଟାଇଛନ୍ତି ବାଂଲାଦେଶ ସରକାର । ଜମାତ୍  ଭାରତ ବିରୋଧୀ ଦଳ ଭାବେ ଜଣାଶୁଣା । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପଛରେ ଜମାତ୍‌ର ହାତ ଥିବା ସ୍ପଷ୍ଟ ହେଉଛି ।

 

 

 

 

 

 

 

Comments are closed.